କନକ ବ୍ୟୁରୋ : ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ୍ ଲଦିବା ପରେ ଏହାର ମୁକାବିଲା ପାଇଁ ଭାରତ ରଣନୀତି ଆରମ୍ଭ କରିଛି । ଦେଶବାସୀଙ୍କ ସ୍ବାର୍ଥ ସହ କୌଣସି ପ୍ରକାର ବୁଝାମଣା କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋକ୍ ଠୋକ୍ କହିବା ସହ ବିଦେଶୀ ରାଷ୍ଟ୍ରଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି । ଆଜି ମୋଦୀ ଫୋନ୍ ଯୋଗେ ବ୍ରାଜିଲ୍ ରାଷ୍ଟ୍ରପତି ଲୁଲା ଡି ସିଲଭାଙ୍କ କଥା ହୋଇଥିଲେ । ଦ୍ବିପାକ୍ଷିକ ବାଣିଜ୍ୟ, ବୈଷୟିକ, ଶକ୍ତି, ପ୍ରତିରକ୍ଷା, କୃଷି ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ସମ୍ପର୍କ ଦୃଢ଼ କରିବାକୁ ଦୁଇଦେଶ ରାଜି ହୋଇଛନ୍ତି । ଅନ୍ୟତମ ବ୍ରିକ୍ସ ରାଷ୍ଟ୍ର ବ୍ରାଜିଲ ମଧ୍ୟ ଆମେରିକା ଟାରିଫ୍ ବୃଦ୍ଧି ସମସ୍ୟାର ସାମ୍ନା କରୁଛି । ନିକଟରେ ମୋଦୀ ବ୍ରାଜିଲ ଗସ୍ତ କରିଥିବା ବେଳେ ମଧ୍ୟ ଆଲୋଚନା ହୋଇଥିଲା । କେବଳ ଏତିକି ନୁହେଁ, ପାରମ୍ପରିକ ବନ୍ଧୁ ରାଷ୍ଟ୍ର ରୁଷ୍ ସହ ଚୀନ ସହିତ ମଧ୍ୟ ଭାରତ ସମ୍ପର୍କ ବଢ଼ାଉଛି । ନିକଟରେ ଭାରତର ବୈଦେଶିକ ବ୍ୟାପାର ଓ ପ୍ରତିରକ୍ଷା ମନ୍ତ୍ରୀ ଚୀନ ଯାଇ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିଥିଲେ ।
ଚଳିତବର୍ଷ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଆସିବାର ସମ୍ଭାବନା ଅଛି । ରୁଷଠାରୁ ଭାରତ ଅଧିକ ତୈଳ ଆମଦାନୀ କରୁଥିବାରୁ ଆମେରିକା ଅଯଥା ରାଗୁଥିବା ବେଳେ ଦେଶର ସ୍ବାର୍ଥ ପାଇଁ ସାଲିସ କରାଯିବ ନାହିଁ ବୋଲି ମୋଦୀ କହିଛନ୍ତି । ବାଣିଜ୍ୟ ସମ୍ପର୍କ ରକ୍ଷା ପରସ୍ପର ଦାୟିତ୍ବ ବୋଲି ସ୍ପଷ୍ଟ କରିଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବଶୀଘ୍ର ଚୀନ୍ ଗସ୍ତ କରିବେ । ବ୍ରାଜିଲ ସମେତ ଅନ୍ୟ ବ୍ରିକ୍ସ ରାଷ୍ଟ୍ର ଏବଂ ବିଭିନ୍ନ ବିକାଶଶୀଳ ରାଷ୍ଟ୍ରଙ୍କ ସହ ଦ୍ବିପାକ୍ଷିକ ସମ୍ପର୍କ ବଢ଼ାଇବା ପାଇଁ ଭାରତ ଚେଷ୍ଟା କରୁଛି । ଆମେରିକା ଟାରିଫ୍ ବୋଝର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କୂଟନୀତି ସହ ବାଣିଜ୍ୟ ଓ ଦେଶର ସ୍ବାର୍ଥ ମଧ୍ୟରେ ସନ୍ତୁଳନ ରକ୍ଷା କରି ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/08/78-2025-08-08-14-18-37.jpg)