କନକ ବ୍ୟୁରୋ: ଆମେରିକା କାହାର ନୁହେଁ । ସ୍ବାର୍ଥ ଯେଉଁଟି ଟ୍ରମ୍ପ ସେଇଠି । ଏକଥା ଏଇଥି ପାଇଁ କୁହାଯାଉଛି କାରଣ ଟ୍ରମ୍ପ ଏବେ ୟୁକ୍ରେନ୍‌-ଋଷିଆ ଯୁଦ୍ଧରେ ମୁଣ୍ଡ ପୂରାଇବେନି ବୋଲି କହୁଛନ୍ତି । ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଲାଣି । ଅବଶ୍ୟ ଏହା କେତେ ସତ କେତେ ଗପ ତାହା ଜଣାନାହିଁ । ହେଲେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । କଥାହେଲା, ସଜସଜ ଆଲାସ୍କାରେ ମିଟିଂ କରିଥିଲେ ଟ୍ରମ୍ପ । ଖାଲି ମିଟିଂ କରିଥିଲେ ତାହା ନୁହେଁ ବରଂ ଗୁରୁତ୍ବପୂର୍ଣ୍ଣ ଆଲୋଚନା ବି କରିଥିଲେ । ତୁରନ୍ତ ଯୁଦ୍ଧ ବନ୍ଦ କରିବା ପାଇଁ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ହେଲେ ଆଲୋଚନାରେ କୌଣସି ନିଷ୍କର୍ସ ବାହାରିପାରିନଥିଲା । ପରେ ପରେ ମସ୍କୋରେ ପୁଣି ଥରେ ମିଟିଂ ହେବ ବୋଲି କୁହାଗଲା । ହେଲେ ଏବେ ଟ୍ରମ୍ପ ଯେଉଁପରି ଭାବରେ କହିଲେ କି ଏବେ ଆଉ ସେ ଦୁଇଦେଶ କଥା ବୁଝିବେ ନାହିଁ ତାହାକୁ ନେଇ ଚର୍ଚ୍ଚା ଜୋର । 

Advertisment

ଟ୍ରମ୍ପଙ୍କ ମୁଣ୍ଡ ଗୋଳମାଳ ହେଲାଣି
କହିଲେ, ୟୁକ୍ରେନ୍‌-ଋଷିଆ ଯୁଦ୍ଧ
ନିଜ କଥା ନିଜେ ବୁଝନ୍ତୁ

ଋଷିଆ-ୟୁକ୍ରେନ୍‌ ଯୁଦ୍ଧ
ନୂଆ ମୋଡ଼ ନେଲା ଟ୍ରମ୍ପଙ୍କ ନିଷ୍ପତ୍ତି

୩ ବର୍ଷ ହେଲାଣି ଋଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଲାଗିଛି । କେବେ ଋଷିଆ ଯୁକ୍ରେନ ଉପରେ ଆକ୍ରମଣ କରୁଛି ତ ଆଉ କେତେବେଳେ ଋଷିଆ ଉପରେ ୟୁକ୍ରେନ୍‌ ଉପରେ ଆକ୍ରମଣ କରୁଛି । ଯୁଦ୍ଧରେ ସାଧାରଣ ଲୋକଙ୍କର ଜୀବନ ଯାଉଛି । ତେଣୁ ପୂରା ବିଶ୍ବ ଚାହୁଛି, ତୁରନ୍ତ ଯୁଦ୍ଧ ବନ୍ଦ ହେଉ । ହେଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷ-ୟୁକ୍ରେନ ଯୁଦ୍ଧକୁ ଶେଷ କରିବା ପାଇଁ ଏକ ବଡ଼ ଧରଣର କୂଟନୈତିକ ପ୍ରୟାସ ଆରମ୍ଭ କରିଛନ୍ତି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲାସ୍କାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ଏବଂ ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ୱାଶିଂଟନରେ ଆଲୋଚନା କରିଛନ୍ତି ଟ୍ରମ୍ପ । ଟ୍ରମ୍ପଙ୍କ ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୁଟିନ ଏବଂ ଜେଲେନସ୍କିଙ୍କୁ ଏକାଠି ବସାଇ ଶାନ୍ତି ଆଲୋଚନା ପାଇଁ ରାଜି କରାଇବା । ସେ ଦାବି କରିଛନ୍ତି ଯେ ଯଦି ସେ କ୍ଷମତାରେ ଥାଆନ୍ତେ, ତେବେ ଏହି ଯୁଦ୍ଧ କେବେବି ହୋଇନଥାନ୍ତା ଏବଂ ସେ ୨୪ ଘଣ୍ଟା ମଧ୍ୟରେ ଏହାକୁ ସମାପ୍ତ କରିଦେଇଥାଆନ୍ତେ। ହେଲେ ଏବେ ସବୁ ପ୍ରକାର ପ୍ରୟାସ କରିବା ପରେ ଦୁଇଦେଶ ମଧ୍ୟରେ ଯୁଦ୍ଧ ଥମୁନି । 

ଶାନ୍ତି ଆଲୋଚନାର ସର୍ତ୍ତ କଣ ?

ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବରେ କିଛି ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ରହିଥିବା ନେଇ ଆଲୋଚନା ହେଉଛି । ଏଥିମଧ୍ୟରୁ ପ୍ରମୁଖ ହେଉଛି ୟୁକ୍ରେନ ନାଟୋରେ ସାମିଲ ନହେବା । ଏହା ଋଷର ଏକ ଦୀର୍ଘ ଦିନର ଦାବି ରହିଆସିଛି । ଏହା ବଦଳରେ ଆମେରିକା ଏବଂ ୟୁରୋପୀୟ ସହଯୋଗୀ ଦେଶମାନେ ୟୁକ୍ରେନକୁ ନାଟୋ ଭଳି ସୁରକ୍ଷା ଗ୍ୟାରେଣ୍ଟି ଦେବା ପାଇଁ ପୁଟିନ ରାଜି ହୋଇଥିବା କୁହାଯାଉଛି । ଯାହାକୁ ଏକ "ଗେମ୍-ଚେଞ୍ଜିଂ" ପଦକ୍ଷେପ ବୋଲି ବିବେଚନା କରାଯାଉଛି । ଏହା ସହିତ, ଋଷ ଦ୍ୱାରା ଦଖଲ କରାଯାଇଥିବା ଡୋନବାସ ଅଞ୍ଚଳ ଉପରେ ଋଷର ନିୟନ୍ତ୍ରଣକୁ ସ୍ୱୀକୃତି ଦେବା ଭଳି ପ୍ରସ୍ତାବ ମଧ୍ୟ ରହିଛି । ଟ୍ରମ୍ପଙ୍କ ରଣନୀତି ହେଉଛି, ପ୍ରଥମେ ଏକ ଶାନ୍ତି ଚୁକ୍ତି ସ୍ୱାକ୍ଷର କରିବା ଏବଂ ପରେ ଅସ୍ତ୍ରବିରତି ଲାଗୁ କରିବା, ଯାହା ପାରମ୍ପରିକ କୂଟନୀତିଠାରୁ ଭିନ୍ନ ବୋଲି କୁହାଯାଉଛି ।

ଟ୍ରମ୍ପଙ୍କ ଏହି ଏକପାଖିଆ ପ୍ରୟାସକୁ ନେଇ ୟୁରୋପୀୟ ଦେଶଗୁଡ଼ିକ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି । ୱାଶିଂଟନରେ ଜେଲେନସ୍କିଙ୍କ ସହ ହୋଇଥିବା ବୈଠକରେ ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ ଏବଂ ଇଟାଲୀର ନେତାମାନେ ମଧ୍ୟ ଉପସ୍ଥିତ ଥିଲେ । ତେବେ ଭାରତର ବି ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଛି । ପୁଟିନ ଆଲାସ୍କା ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରି ଆଲୋଚନା ବିଷୟରେ ଅବଗତ କରାଇଥିଲେ । ଭାରତ ଆରମ୍ଭରୁ ହିଁ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଆହ୍ୱାନ ଦେଇଆସିଛି । ହେଲେ ଋଷିଆ ଉପରେ ଚାପ ପକାଇବାକୁ ଭାରତ ଉପରେ ଶୁଳ୍କ ବୃଦ୍ଧି କରୁଛନ୍ତି ଟ୍ରମ୍ପ ବୋଲି ଚର୍ଚ୍ଚା ବି ହେଉଛି । ତେବେ ସମୟ କହିବ ଯୁଦ୍ଧ ଥମୁଛି ନା ବଢୁଛି ।