କନକ ବ୍ୟୁରୋ : ଟ୍ରମ୍ପ ସରକାରରେ ସ୍ପେଶ ଏକ୍ସ ମୁଖ୍ୟଙ୍କୁ ମିଳିବ କି ଗୁରୁତ୍ୱପୂର୍ଣ୍ଣ ଭୂମିକା ? ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପଛରେ ଏଲନ ମସ୍କଙ୍କ ବଡ଼ ହାତ ଥିବା କୁହାଯାଉଛି । ଏବେ ସବୁ ସମୟରେ ଟ୍ରମ୍ପଙ୍କ ପାଖେ ପାଖେ ନଜର ଆସୁଛନ୍ତି ବିଶ୍ୱର ସବୁଠୁ ବଡ଼ ଧନୀ ବ୍ୟକ୍ତି । ଏମିତି କି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଠକ ଓ ଆଲୋଚନାରେ ମଧ୍ୟ ଟ୍ରମ୍ପଙ୍କ ସହ ମସ୍କ ଯୋଗଦେଉଛନ୍ତି । ନିକଟରେ ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଫୋନ ଜରିଆରେ ଆଲୋଚନା କରିଥିଲେ, ଏହି ସମୟରେ ମସ୍କ ମଧ୍ୟ ଟ୍ରମ୍ପଙ୍କ ସହ ଉପସ୍ଥିତ ରହି ଜେଲେନସ୍କିଙ୍କ ସହ କଥା ହେଉଥିବା ଦାବି ହେଉଛି ।

Advertisment

ଟେସ୍‌ଲା ଓ ସ୍ପେସ୍‌ ଏକ୍ସ ଭଳି ନିଜର ଦୁଇ ଚର୍ଚ୍ଚିତ କମ୍ପାନି ଜରିଆରେ ବ୍ୟବସାୟ ଓ ପ୍ରଯୁକ୍ତି ଦୁନିଆରେ ନିଜ ସ୍ଥିତିକୁ ବେଶ୍ ଦୃଢ଼ କରିପାରିଥିବା ମସ୍କ ଏବେ ଟ୍ରମ୍ପ୍‌ଙ୍କ ନିକଟତର ହୋଇ ଆମେରିକାର ଜଣେ ବିଶି‌‌ଷ୍ଟ ବ୍ୟକ୍ତି ଭାବେ ଉଭା ହୋଇଛନ୍ତି । ନିର୍ବାଚନ ସମୟରେ ଟ୍ରମ୍ପ୍‌ଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରଚାର କରିବା ସହ ସମର୍ଥନ ଯୋଗାଡ଼ କରିଥିଲେ ଟେସଲା ମୁଖ୍ୟ ।

ଏହି ସମୟରେ ଆମେରିକା ସରକାରରେ ମସ୍କଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେବା ଲାଗି ଟ୍ରମ୍ପ୍ ମଧ୍ୟ ପ୍ରସ୍ତାବ ରଖିଥିଲେ । ଆଗକୁ ନୂଆ ସରକାର ଶପଥ ନେବାକୁ ଯାଉଥିବା ବେଳେ ଏଲନ ମସ୍କଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ବୈଷୟିକ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିବା ସମ୍ଭାବନା ରହିଛି । ଟ୍ରମ୍ପଙ୍କ ଜରିଆରେ ବ୍ୟବସାୟ ଦୁନିଆର ବେତାଜ ବାଦଶାହ ପାଲଟିଥିବା ମସ୍କ ରାଜନୀତିରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି ।