କନକ ବ୍ୟୁରୋ : ବିଳମ୍ବିତ ରାତିରେ ନାଇଟ ଆଉଟରେ ବାହାରିଥିଲେ ଦୁଇ ଆର୍ମି ଅଫିସର ଏବଂ ତାଙ୍କର ଦୁଇ ମହିଳା ବାନ୍ଧବୀ । ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋରରୁ ୫୦ କିଲୋମିଟର ଦୂରରେ ଥିବା ଐତିହାସିକ ଜାମା ଗେଟ ବୁଲିବାକୁ ବାହାରିଥିଲେ ୪ ଜଣ । ଜାମା ଗେଟ ବୁଲିବା ପରେ ପାଖରେ ଥିବା ଅହଲ୍ୟା ପିକ୍‌ନିକ୍ ସ୍ଥାନକୁ ଯାଇଥିଲେ ।  ସେଠାରେ ପହଂଚିବା ପରେ ତାଙ୍କୁ ଘେରିଯାଇଥିଲେ ୬ରୁ ୮ ଦୁର୍ବୃତ୍ତ । କେହି କିଛି ବୁଝିବା ପୂର୍ବରୁ ସେମାନେ ବନ୍ଧୁକ, ଛୁରୀ, ବାଡ଼ିରେ ସେନା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ରାତି ପ୍ରାୟ ସାଢେ ୨ଟା ବେଳେ ଦୁବୃର୍ତ୍ତମାନେ ବନ୍ଧୁକ ଦେଖାଇ ଯବାନଙ୍କ ବାନ୍ଧବୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ଘଟଣା ସ୍ଥଳରେ ପୁଲସ ପହଞ୍ଚି ଦୁଇ ଯବାନଙ୍କ ସହ ଦୁଇ ବାନ୍ଧବୀଙ୍କୁ ଉଦ୍ଧାର କରିଛି । ଏଥିସହ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି, ଅନ୍ୟ ୬ ଜଣ ଫେରାର ଅଛନ୍ତି ।

ସାଧାରଣତଃ ସେନା ଯବାନଙ୍କ ପାଇଁ ଦେଶବାସୀଙ୍କ ମଧ୍ୟରେ ଭଲ ପାଇବା ରହିଥାଏ । କିନ୍ତୁ ଏହି ଘଟଣାରେ ଅଭିଯୁକ୍ତମାନେ ଏଭଳି ଅମାନୁଷିକ କାର୍ୟ୍ୟ କରିବା ସହ ଦୁଇ ଆର୍ମି ଅଫିସରଙ୍କ ଗୁରୁତର ଭାବେ ଆକ୍ରମଣ କରିଛନ୍ତି । ପରେ ଜଣେ ସେନା ଅଧିକାରୀଙ୍କୁ ବନ୍ଧକ ରଖି ୧୦ ଲକ୍ଷ ଟଙ୍କା ମୁଣ୍ଡଜାମିନ ମାଗିଥିଲେ । ଟଙ୍କା ଆଣିବା ବିଳମ୍ବ ହେବାରୁ ବନ୍ଧକ ଥିବା ସେନା ଅଧିକାରୀଙ୍କୁ ଦୁର୍ବୃତ୍ତମାନେ ମାଡ଼ ମାରିଥିଲେ । ଟଙ୍କା ଯୋଗାଡ କରିବାକୁ ଜଣେ ଅଫିସରଙ୍କୁ ବାହାରକୁ ଛାଡିଥିଲେ । ବାହାରକୁ ଆସିଥିବା ଯବାନ ପୁଲିସକୁ ସୂଚନା ଦେଇଥିଲେ। ରାତି ସାଢେ ୨ଟାରୁ ସକାଳ ୬ ଟା ପର୍ୟ୍ୟନ୍ତ ଆର୍ମି ଅଫିସର ଏବଂ ତାଙ୍କୁ ବାନ୍ଧବୀଙ୍କୁ ନିର୍ୟ୍ୟାତନା ଦେଇଥିଲେ ଦୁର୍ବୃତ୍ତ । ଭୋର ପ୍ରାୟ ସାଢେ ୬ଟା ବେଳେ ଘଟଣା ସ୍ଥଳରେ ପୁଲିସ ପହଂଚି ସେମାନଙ୍କୁ ଉଦ୍ଧାର କରିଥିଲା ।

ଅଭିଯୋଗ ପରେ ମଧ୍ୟପ୍ରଦେଶର ବାଡଗୋଣ୍ଡ ପୁଲିସ ଲୁଟ, ଡକାୟତି ସହ ଗଣ ଦୁଷ୍କର୍ମ ମାମଲା ରୁଜୁ କରିଛି । ବିଏନଏସ୍ ସେକ୍ସନ ୭୦( ଗଣ ଦୁଷ୍କର୍ମ), ୩୧୦-୨(ଡକାୟତି), ୩୦୮-୨(ବଳପୂର୍ବକ ଟଙ୍କା ଆଦାୟ), ୧୧୫-୧(ସଙ୍ଘବଦ୍ଧ ଭାବେ ଆକ୍ରମଣ) ଏବଂ ଆର୍ମ୍ସ ଆକ୍ଟରେ ମାମଲା ରୁଜୁ କରିଛି ପୁଲିସ । ଅଭିଯୁକ୍ତମାନେ ନିକଟସ୍ଥ ଜଙ୍ଗଲରେ ଲୁଚି ରହିଥିବା ବେଳେ ସେମାନଙ୍କୁ ଗରିଫ କରିବାକୁ ଚଢାଉ ଜାରି ରଖିଛି ମଧ୍ୟ ପ୍ରଦେଶ ପୁଲିସ ।