କନକ ବ୍ୟୁରୋ : ମଜବୁତ ହେବ ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ । ଜୁଲାଇ ୮ ପୂର୍ବରୁ ଭାରତ-ଆମେରିକା ମଧ୍ୟରେ ବଡ଼ ବାଣିଜ୍ୟିକ ଚୁକ୍ତି ସମ୍ଭାବନା ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ଭାରତ ସହିତ ବାଣିଜ୍ୟିକ ଚୁକ୍ତିକୁ ନେଇ ବୟାନ ଦେଇଥିଲେ । ସେ କହିଥିଲେ ଯେ, ଶୀଘ୍ର ଭାରତ ସହିତ ବାଣିଜ୍ୟିକ ଚୁକ୍ତିନାମା ହେବାକୁ ଯାଉଛି । ଏହି ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିକ୍ରିୟା ଦେଇଛନ୍ତି । ସେ ଆମେରିକା ସହିତ ଟ୍ରେଡ ଡିଲ୍ ପ୍ରସଙ୍ଗରେ ଭାରତ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।

Advertisment

ନିର୍ମଳା କହିଛନ୍ତି ଭାରତକୁ ଆମେରିକା ସହିତ ଭଲ ଡିଲ୍ କରିବା ଜରୁରୀ, ମାତ୍ର ଏହାକୁ ନେଇ କିଛି ସର୍ତ୍ତ ବି ରହିବ । ଭାରତରେ କୃଷି ଓ ଡାଏରୀ ସେକ୍ଟର ପାଇଁ ଏବେ ନିଶ୍ଚିତ ସୀମା ରହିଛି । ଏହା ଉପରେ ବିଚାର ଜରୁରୀ । ସବୁ ଦିଗକୁ ଦୃଷ୍ଟିରେ ରଖି ଆମେରିକା ସହ ଭଲ ଚୁକ୍ତିନାମା କରିବାକୁ ପଡ଼ିବ । ନିକଟରେ ଟ୍ରମ୍ପ କହିଥିଲେ ଯେ, ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ଚୁକ୍ତିକୁ ନେଇ ସ୍ଥିତି ଜୁଲାଇ ୮ ତାରିଖ ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ । ଟ୍ରମ୍ପଙ୍କ ମତରେ ଭାରତ ଓ ଆମେରିକା ମଧ୍ୟରେ ଟ୍ରେଡ ଡିଲକୁ ନେଇ ଥିବା ସମସ୍ତ ବାଧା ଶୀଘ୍ର ଦୂର ହୋଇପାରେ । ଚୁକ୍ତିନାମାରେ ଆଇଟି, ମ୍ୟାନୁଫେକଚରିଂ ଓ ସର୍ଭିସେସ୍ ସହିତ ଅଟୋମୋବାଇଲ ସେକ୍ଟର ବି ସାମିଲ । ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ଚୁକ୍ତିକୁ ନେଇ ଅଦ୍ୟାବଧି ସ୍ଥିତି ସ୍ପଷ୍ଟ ହୋଇ ନାହିଁ । ଏହି ପ୍ରସଙ୍ଗରେ ଶୀଘ୍ର କିଛି ବଡ଼ ଖବର ଆସିପାରେ ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ପାରସ୍ପରିକ ଶୁଳ୍କ ପାଇଁ ସମୟ ସୀମା ଜୁଲାଇ ୯ ରେ ଶେଷ ହେଉଛି । ଏହି ସମୟରେ ଟ୍ରମ୍ପ ଶୁଳ୍କ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ସ୍ପଷ୍ଟ ଭାବରେ କହିଛନ୍ତି ଯେ ୯ ଜୁଲାଇ ପରେ ସେ ଅନେକ ଦେଶ ଉପରେ ଲାଗୁ ହୋଇଥିବା ଶୁଳ୍କ ପାଇଁ ସମୟ ସୀମା ବୃଦ୍ଧି କରିବେ ନାହିଁ । ସେ ତାଙ୍କ ବିବୃତ୍ତିରେ ଏହା ମଧ୍ୟ କହିଛନ୍ତି ଯେ, ସମୟ ସୀମା ଶେଷ ହେବା ପରେ, ତାଙ୍କ ପ୍ରଶାସନ ସେହି ଦେଶଗୁଡ଼ିକୁ ନୋଟିସ୍ ଜାରି କରିବ । ଯେଉଁମାନଙ୍କ ସହିତ କୌଣସି ଚୁକ୍ତି ହୋଇନାହିଁ । ଏହି ଦେଶଗୁଡ଼ିକ ଉପରେ ୧୦ରୁ  ୫୦ ପ୍ରତିଶତ ପର୍ଯ୍ୟନ୍ତ ଭାରୀ ଶୁଳ୍କ ଲାଗୁ କରାଯାଇପାରିବ । ଜୁଲାଇ ୯ ପୂର୍ବରୁ ନୋଟିସ୍ ପଠାଇବାକୁ ପ୍ରସ୍ତୁତି ।