କନକ ବ୍ୟୁରୋ : ସ୍ୱେଚ୍ଛାକୃତ ଅବସର ନିଅ, ନହେଲେ ସରକାରଙ୍କ ଅନ୍ୟ ବିଭାଗକୁ ସ୍ଥାନାନ୍ତର ହୁଅ । ତିରୁମାଲା ତିରୁପତି ଦେବସ୍ଥାନମର ୫୪ତମ ଗଭର୍ଣ୍ଣିଂ କାଉନସିଲ ବୈଠକରେ ନିଆଯାଇଥିବା ଏହି ନିଷ୍ପତ୍ତି ଏବେ ମନ୍ଦିରରେ କାମ କରୁଥିବା ଅଣହିନ୍ଦୁ କର୍ମଚାରୀଙ୍କ ଚିନ୍ତା ବଢାଇଛି ।

Advertisment

ତିରୁମାଲା ତିରୁପତି ଦେବସ୍ଥାନମର ନୂଆ ଅଧ୍ୟକ୍ଷ ବିଆର ନାଇଡୁ ଏହି ନିଷ୍ପତ୍ତି ନେଇଥିବା ବେଳେ ଏନେଇ ଏକ ସଂକଳ୍ପ ମଧ୍ୟ ପାରିତ କରାଯାଇଛି । ଏହି ସଂକଳ୍ପରେ ଅଣହିନ୍ଦୁ କର୍ମଚାରୀ ମାନଙ୍କୁ ଭିଆରଏସ ନଚେତ ଅନ୍ୟବିଭାଗକୁ ସ୍ଥାନାନ୍ତର ହେବା ମଧ୍ୟରୁ ଗୋଟିଏକୁ ବାଛିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିଷ୍ପତ୍ତି ସମ୍ବିଧାନର ଧାରା ୧୬(୫) ଉପରେ ଆଧାରିତ । ସମ୍ବିଧାନର ଏହି ଧାରା ଧାର୍ମିକ ପ୍ରକୃତିର ଅନୁଷ୍ଠାନଗୁଡ଼ିକୁ ସେମାନଙ୍କର ଧର୍ମର ସଦସ୍ୟମାନଙ୍କୁ ନିଯୁକ୍ତି ଦେବାର ସ୍ୱତନ୍ତ୍ର ଅଧିକାର ପ୍ରଦାନ କରିଛି ।

ଟିଟିଡି ଅର୍ଥାତ ତିରୁମାଳା ତିରୁପତି ଦେବସ୍ଥାନମର ପକ୍ଷରୁ ନିଆଯାଇଥିବା ନୂତନ ନିଷ୍ପତ୍ତି ବୋର୍ଡର ୭୦୦୦ ସ୍ଥାୟୀ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୩୦୦ କର୍ମଚାରୀଙ୍କୁ ପ୍ରଭାବିତ କରିବ । ସେହିପରି ମନ୍ଦିରର ଆଧ୍ୟାତ୍ମିକ ପବିତ୍ରତାକୁ ବଜାୟ ରଖିବା ପାଇଁ ଟିଟିଡି ତିରୁମାଲା ଦେବସ୍ଥାନମ ପକ୍ଷରୁ ମନ୍ଦିରକୁ ନେଇ ରାଜନୈତିକ ଭାଷଣ ଏବଂ ବିବୃତ୍ତି ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏପରି ବିବୃତ୍ତି ଦେଉଥିବା କିମ୍ବା ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଟିଟିଡିର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି ବିଜେପି ।

ବିଭିନ୍ନ ପ୍ରସଙ୍ଗକୁ ନେଇ ଗତ କିଛି ମାସ ହେବ ତିରୁପତି ମନ୍ଦିର ଚର୍ଚ୍ଚାରେ ରହିଛି । ମନ୍ଦିର ଲଡୁରେ ଅପମିଶ୍ରିତ ଘିଅ ବ୍ୟବହାର କରାଯାଉଥିବା ନେଇ ଖବର ଆସିଥିବା ବେଳେ ଏହାକୁ ନେଇ ବିବାଦ ଦେଖିବାକୁ ମିଳିଥିଲା ।