କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷା ବାହିନୀର ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ସୁରକ୍ଷା ବାହିନୀ ଜିଲ୍ଲାର କଚୱାନ ଅଞ୍ଚଳରେ ଆତଙ୍କବାଦୀ ବିରୋଧୀ ଅପରେସନ ଚଳାଇଥିବା ବେଳେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ସେହି ଅଞ୍ଚଳର ଜଙ୍ଗଲରେ କିଛି ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଏକ ନିର୍ଦ୍ଦିଷ୍ଟ ସୂତ୍ରରୁ ସୂଚନା ପାଇବା ପରେ ଜାମ୍ମୁ କାଶ୍ମୀର ପୋଲିସ, ସେନା ଏବଂ ସିଆରପିଏଫ୍ ଦ୍ୱାରା ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା ।

Advertisment

ଯେତେବେଳେ ମିଳିତ ସୁରକ୍ଷା ବାହିନୀ ସନ୍ଦିଗ୍ଧ ଅଞ୍ଚଳ ଆଡ଼କୁ ଯାଇଥିଲେ, ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ସୁରକ୍ଷା ବାହିନୀ ମଧ୍ୟ ଏହାର କଡ଼ା ଜବାବ ଦେଇଥିଲା । ଫଳରେ ଉଭୟ ପକ୍ଷ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା ।

ସୁରକ୍ଷା ଏଜେନ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ ଶାଂଗସ୍ ଲାର୍ନୁ ଜଙ୍ଗଲରେ ଏହି ଅପରେସନ୍ ଚାଲିଛି ଏବଂ ଏପର୍ଯ୍ୟନ୍ତ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେନାର ସୂଚନାନୁସାରେ, ନିହତ ହୋଇଥିବା ଆତଙ୍କବାଦୀ ଶାଂଗସର ଟେରିଟେରାଲ୍ ଆର୍ମି ହିଲାଲ ଅହମ୍ମଦଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ । କୁହାଯାଉଛି ଯେ ଗତ ୧୨ ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ ତିନୋଟି ଆତଙ୍କବାଦୀ ସମ୍ବନ୍ଧୀୟ ଘଟଣା ଘଟିଲାଣି । ଏହାକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି ।

ବଢୁଥିବା ଆତଙ୍କବାଦୀ ଆକ୍ରମଣ ଉପରେ ନ୍ୟାସନାଲ କନଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା ଏହାକୁ ଏକ ଗଭୀର ଷଡ଼ଯନ୍ତ୍ର ବୋଲି କହିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ଏହି ଆକ୍ରମଣ ଦ୍ୱାରା ଏକ ସଙ୍କଟ ସୃଷ୍ଟି କରିବାର ପ୍ରୟାସ  କରାଯାଉଛି । କଶ୍ମୀରକୁ ଅସ୍ଥିର କରିବା ସେମାନଙ୍କର ଉଦ୍ଦେଶ୍ୟ ହୋଇପାରେ । ସେ କହିଛନ୍ତି ଯେ ଏହି ଆକ୍ରମଣ ପଛରେ କୌଣସି ଗୁପ୍ତଚର ଏଜେନ୍ସି ରହିଥିବାର ସନ୍ଦେହ ସୃଷ୍ଟି ହୋଇଛି । ସେପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଆତଙ୍କବାଦକୁ କଡ଼ା ଜବାବ ଦିଆଯିବ ।