କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଡ଼ା ଚେତାବନୀ । ମହିଳା ବିରୋଧି ଅପରାଧରେ ସାମିଲ ଥିବା ଅଭିଯୁକ୍ତଙ୍କୁ ଆଦୌ ଛଡ଼ାଯିବ ନାହିଁ । କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ମୋଦିଙ୍କ ବଡ଼ ବୟାନ । ଦେଶରେ ମହିଳା ବିରୋଧୀ ହିଂସା ବଢ଼ୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରାଧୀମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । ଯେଉଁମାନେ ମହିଳା ବିରୋଧୀ ଅପରାଧରେ ସାମିଲ ଅଛନ୍ତି, ସେମାନଙ୍କୁ ଆଦୌ ଛଡ଼ା ଯିବ ନାହିଁ ବୋଲି ମୋଦି ପ୍ରତିଶ୍ରୁତି ଦେଇଛନ୍ତି ।

ମହାରାଷ୍ଟ୍ର ଜଲଗାଓଁରେ ଆୟୋଜିତ ଲକ୍ଷପତି ଦିଦି କାର୍ଯ୍ୟକ୍ରମରେ ମୋଦି କୋଲକାତା, ବଦଲାପୁର ଓ ଆସାମରେ ଘଟିଥିବା ମହିଳା ବିରୋଧୀ ହିଂସା ପ୍ରସଙ୍ଗ ଉଠାଇଛନ୍ତି । ମହିଳା ବିରୋଧୀ ଅପରାଧକୁ କ୍ଷମା ଯୋଗ୍ୟ ନୁହେଁ । ଅପରାଧୀ ଯିଏ ବି ହେଉ ନା କାହିଁକି ତାଙ୍କୁ ଛଡ଼ାଯିବ ନାହିଁ ବୋଲି ମୋଦି କହିଛନ୍ତି ।

ମୋଦି କହିଛନ୍ତି, ମହିଳାମାନଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ମୁଁ ପୁଣିଥରେ ସବୁ ରାଜ୍ୟର ସରକାରମାନଙ୍କୁ କହିବାକୁ ଚାହେଁ ଯେ ମହିଳା ବିରୋଧୀ ଅପରାଧ କ୍ଷମା ଯୋଗ୍ୟ ନୁହେଁ । ଅପରାଧୀ ଯିଏ ବି ହେଉଥାଉ ନା କାହିଁକି, ସେମାନଙ୍କୁ ଆଦୌ ଛଡ଼ା ଯିବା କଥା ନୁହେଁ । ମହିଳାମାନଙ୍କ ସୁରକ୍ଷା ଓ ସମ୍ମାନ ଅକ୍ଷୁଣ୍ଣ ରଖିବାର ଦାୟିତ୍ୱ ସମାଜ ଓ ସରକାରଙ୍କର । ଆମେ ମହିଳାଙ୍କ ବିରୋଧରେ ହିଂସା ଘଟାଉଥିବା ଅପରାଧୀଙ୍କ ପାଇଁ ଆଇନକୁ ସଶକ୍ତ କରିବା ସହ ନୂଆ କଠୋର ଆଇନ ପ୍ରଣୟନ କରିଛୁ ।