କନକ ବ୍ୟୁରୋ: ଜମ୍ମୁ କଶ୍ମୀର ନିର୍ବାଚନରେ ବିଜେପି ଜମ୍ମୁ ସମ୍ଭାଗରେ ଭଲ ପ୍ରଦର୍ଶନ କରି ୨୯ ସିଟରେ ବିଜୟୀ ହୋଇଛି । ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନରେ ବିଜେପିର ଏକମାତ୍ର ମହିଳା ପ୍ରାର୍ଥୀ ଶଗୁନ ପରିହାର କିସ୍ତୱାର ସିଟରୁ ବିଜୟୀ ହୋଇଛନ୍ତି । ସେ ବିଜୟୀ ହେବା ପରେ କହିଛନ୍ତି କି, ଅଞ୍ଚଳର ସୁରକ୍ଷା ପାଇଁ କାମ କରିବେ । ଶଗୁନ ନ୍ୟାସନାଲ କନଫରେନ୍ସରର ବରିଷ୍ଠ ନେତା ପୂର୍ବ ମନ୍ତ୍ରୀ ସଜ୍ଜାଦ ଅହମ୍ମଦ କିଚଲୁଙ୍କୁ ୫୨୧ ଭୋଟରେ ହରାଇଛନ୍ତି । ତେବେ ଆସନ୍ତୁ ଜାଣିବା କିଏ ଶଗୁନ ପରିହାର ।
ସୂଚନା ଅନୁସାରେ ଶଗୁନ ପରିହାରଙ୍କ ପରିବାର ଆରମ୍ଭରୁ ବିଜେପି ସହ ଜଡିତ । ତାଙ୍କ ଦାଦା ଜମ୍ମୁ କଶ୍ମୀରରେ ବିଜେପିର ଜଣେ ନେତା ଥିଲେ । ନଭେମ୍ବର ୨୦୧୮ରେ କିସ୍ତୱାରରେ ଆତଙ୍କବାଦୀମାନେ ଶଗୁନଙ୍କ ବାପା ଅଜିତ ପରିହାର ଓ ଦାଦା ଅନୀଲ ପରିହାରଙ୍କୁ ଗୁଳି କରି ହତ୍ୟା କରିଥିଲେ ।
ଶଗୁନ ପରିହାରଙ୍କୁ ମୋଟ ୨୯ ହଜାର ୫୩ ଖଣ୍ଡ ଭୋଟ ମିଳିଥିଲା । ସେହିପରି ଏନସିର ସଜ୍ଜା କିଚଲୁଙ୍କୁ ୨୮ ହଜାର ୫୩୨ ଖଣ୍ଡ ଭୋଟ ମିଳିଥିଲା । ପିଡିପି ପ୍ରାର୍ଥୀଙ୍କୁ ୯୮୭ ଭୋଟ ମିଳିଥିଲା । କୁହାଯାଏ କିସ୍ତୱାର ମୁସଲିମ ବହୁଳ ଅଞ୍ଚଳ । ହେଲେ ଶଗୁନଙ୍କର ମୁସଲିମ ଅଞ୍ଚଳରେ ବି ଭଲ ଦବଦବା ରହିଥିଲା । ଯେଉଁଥିପାଇଁ ସେ ବିଜୟୀ ହୋଇପାରିଛନ୍ତି ।