କନକ ବ୍ୟୁରୋ : ଦୁଇବର୍ଷ ଧରି ଗାଜାରେ ଇସ୍ରାଏଲ ଓ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିରାମ ଲାଗିଛି । ଭୟଙ୍କର ଯୁଦ୍ଧରୁ ତ୍ରାହିତ୍ରାହି ଡାକୁଥିବା ସାଧାରଣ ନାଗରିକ ଆଶ୍ୱସ୍ତ ହେଉଛନ୍ତି । ହମାସ ପଣବନ୍ଦୀ ରଖିଥିବା ଇସ୍ରାଏଲ ଲୋକଙ୍କୁ ମୁକ୍ତ କରିଛି । ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପହଞ୍ଚି ସମସ୍ତ ପ୍ରକ୍ରିୟା ଅନୁଧ୍ୟାନ କରିଛନ୍ତି ।
୨୦୨୩ ଅକ୍ଟୋବର ୭ ତାରିଖରେ ଗାଜାରେ ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଦୁଇବର୍ଷର ଏହି ଯୁଦ୍ଧରେ ୬୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଅସ୍ତ୍ରବିରତି କାର୍ଯ୍ୟକାରୀ ଆରମ୍ଭ ହେବା ପରେ ହଜାର ହଜାର ପାଲେଷ୍ଟାଇନ ଲୋକ ଗାଜାକୁ ଫେରୁଛନ୍ତି । ଭୟଙ୍କର ଯୁଦ୍ଧ ଯୋଗୁ ଏମାନେ ଘର ଛାଡ଼ି ପଳାଇଥିଲେ । ଏବେ ଜନ୍ମମାଟିକୁ ଫେରି ଧ୍ୱଂସସ୍ତୂପ ତଳୁ ସ୍ମୃତି ସାଉଣ୍ଟୁଛନ୍ତି । ଏହି ଦୃଶ୍ୟ ଅତି ହୃଦୟସ୍ପର୍ଶୀ ହୋଇଛି । ଲୋକଙ୍କ ଆଖିରୁ ଆନନ୍ଦର ଲୁହ ଝରୁଥିବା ଦେଖିବାକୁ ମିଳିଛି ।
ଇସ୍ରାଏଲ ଆକ୍ରମଣ ପରେ ୨୫୦ ଇସ୍ରାଏଲ ଲୋକଙ୍କୁ ହମାସ୍ ପଣବନ୍ଦୀ କରି ରଖିଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ମତ୍ୟୁ ହୋଇଛି । ଜୀବିତ ଥିବା ୨୦ ଜଣ ପଣବନ୍ଦୀଙ୍କୁ ହମାସ୍ ମୁକ୍ତ କରିଛି । ଏହି ଇସ୍ରାଏଲ ଲୋକମାନଙ୍କୁ ଗ୍ରହଣ କରିଛି ରେଡକ୍ରସ୍ । ପରେ ସେମାନଙ୍କୁ ଇସ୍ରାଏଲକୁ ରେଡକ୍ରସ୍ ହସ୍ତାନ୍ତର କରିବ । ପଣବନ୍ଦୀ ଥିବା ସମୟରେ ମୃତ୍ୟୁର ଶିକାର ହୋଇଖିବା ଲୋକଙ୍କ ମୃତଦେହ ଇସ୍ରାଏଲକୁ ହମାସ୍ ହସ୍ତାନ୍ତର କରିବ । ଇସ୍ରାଏଲ ଜେଲରୁ ମଧ୍ୟ ପ୍ରାୟ ୨ ହଜାର ପାଲେଷ୍ଟାଇନ୍ ମୁକ୍ତି ପାଇଛନ୍ତି ।
ହମାସ୍ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବନ୍ଦ ଓ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପହଞ୍ଚିବା ପରେ ତାଙ୍କୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ୱାଗତ କରିଥିଲେ । ମୁକ୍ତି ପାଇଥିବା ପଣବନ୍ଦୀ ପରିବାରଙ୍କୁ ଟ୍ରମ୍ପ ସାକ୍ଷାତ କରିବା ସହ ଇସ୍ରାଏଲ ସଂସଦକୁ ସମ୍ବୋଧନ କରିଛନ୍ତି । ଇସ୍ରାଏଲ ପରେ ଟ୍ରମ୍ପ ଇଜିପ୍ଟ ଯାଇ ଗାଜା ଶାନ୍ତି ପ୍ରକ୍ରିୟା ଉପରେ ଆୟୋଜିତ ୨୦ଟି ଦେଶର ପ୍ରତିନିଧିଙ୍କ ସହ ସମ୍ମିଳନୀରେ ଯୋଗଦେଇଥିଲେ ।