କନକ ବ୍ୟୁରୋ: ଉତ୍ତରକାଶୀରେ ବାଦଲଫଟା ବର୍ଷା ପରେ କାନ୍ଦୁଛି ଧରାଲି, ଆକସ୍ମିକ ବନ୍ୟାରେ ଘର ହରାଇବା ଦୁଃଖରେ ଛଟପଟ ହେଉଛନ୍ତି ଗ୍ରାମବାସୀ । ଉତ୍ତରାଖଣ୍ଡ ଧରାଲି ଗାଁର ସୁଶୀଳା ସୋମେଶ୍ବର ମନ୍ଦିରରେ ଥିବା ରିଲିଫ୍ କ୍ୟାମ୍ପରେ ଅନ୍ୟ ୧୫୦ ଜଣଙ୍କ ପାଇଁ ରୋଷେଇ କରୁଛନ୍ତି । ସେ କହିଛନ୍ତି, ଆମର ଏବେ ଘର ନାହିଁ, ଜମି ନାହିଁ, ପୋଷାକ ନାହିଁ । କାଗଜପତ୍ର ବି ନାହିଁ । ସବୁ ଭାସିଯାଇଛି । ଆମକୁ ଆବାସ ଯୋଗାଇ ଦେବାକୁ ସରକାରଙ୍କୁ ଅନୁରୋଧ କରୁଛୁ । ମନ୍ଦିରର ରିଲିଫ୍ କ୍ୟାମ୍ପରେ ରହୁଥିବା ଲୋକମାନଙ୍କର ଘର, ଯାନବାହନ, ଆସବାବପତ୍ର ସବୁକିଛି ଭାସିଯାଇଛି କିମ୍ବା ଆବର୍ଜନା ତଳେ ପୋତି ହୋଇଯାଇଛି । ଏପରିକି ଏକ କିମ୍ବଦନ୍ତୀ ମନ୍ଦିର ମଧ୍ୟ କେଇ ମିଟରର ଆବର୍ଜନା ତଳେ ପୋତି ହୋଇ ଯାଇଛି । ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି । ଏକାଧିକ କର୍ତ୍ତୃପକ୍ଷ ଓ ଭାରତୀୟ ସେନା ମିଳିତ ଭାବେ ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି ।
ବଲବିନ୍ଦର ସିଂହ ପାୱାର ଭଗ୍ନାବଶେଷ ଗଦାରୁ ନିଜକୁ ମୁକୁଳାଇବା ଘଟଣା ଭାଇରାଲ ଭିଡିଓରେ କଏଦ ହୋଇଛି, ଯେଉଁଠାରେ ସେ ଆହତ ହୋଇଥିଲେ ମଧ୍ୟ ବନ୍ୟାର ପ୍ରବଳ ସ୍ରୋତ ସହ ଲଢ଼େଇ କରି ଭଗ୍ନାବଶେଷରୁ ବାହାରକୁ ବାହାରିଥିଲେ । ପାୱାର ଜାଣନ୍ତି ନାହିଁ ଯେ ସେ ସୁରକ୍ଷା ପାଇଁ ସଂଘର୍ଷ କରୁଥିବା ବେଳେ ସ୍ରୋତରେ ଫସି ରହିଥିବା ଆଉ ଦୁଇ ଜଣଙ୍କର କ’ଣ ହେଲା । ଆଖିରେ ଥିବା ଏକ ପ୍ରମୁଖ କ୍ଷତ ଓ ଆଘାତ ସହ ସେ ବର୍ତ୍ତି ଯାଇଥିଲେ । ନେପାଳରୁ ଆସିଥିବା ପୁଅ ସୁଶୀଲ ବିପର୍ଯ୍ୟୟ ସମୟରେ ଧରାଲିରେ ଥିବା ତାଙ୍କ ବାପା ଓ ପରିବାରର ଅନ୍ୟ ୬ ଜଣ ସଦସ୍ୟଙ୍କୁ ଖୋଜିବା ପାଇଁ ବ୍ୟକ୍ତିଗତ ମିସନରେ ଅଛନ୍ତି । ହଜାର ହଜାର ଟନ୍ ଆବର୍ଜନା ତଳେ ଗାଁର ଅନେକ ହୋଟେଲ ମଧ୍ୟ ରହିଛି ।
ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନରୁ ଜଣାପଡିଛି ଯେ ଏକଦା ଯେଉଁଠି କୋଠା ଥିଲା ସେଠାରେ କେବଳ ଜଳାଶୟ, କାଦୁଅ ଓ ପଥର ଅଛି । ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେସନ ଜୋରସୋରରେ ଚାଲିଥିବା ବେଳେ ଏଥିପାଇଁ ସନ୍ଧାନୀ କୁକୁର ଓ ଡ୍ରୋନ୍ ବି ମୁତୟନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୫୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଏହି ବିପର୍ଯ୍ୟୟର ସାକ୍ଷୀ ମୁଖବାଙ୍କ ଭଳି ଆଖପାଖ ଗ୍ରାମର ବାସିନ୍ଦାଙ୍କ କହିବା ଅନୁଯାୟୀ, ବିହାର ଓ ନେପାଳର ସ୍ଥାନୀୟ ଲୋକ ଓ ଶ୍ରମିକମାନେ ନିର୍ମାଣାଧୀନ ହୋଟେଲରେ କାମ କରୁଥିଲେ ଏବଂ ବିପର୍ଯ୍ୟୟ ସମୟରେ ଧରାଲିର ପ୍ରାୟ ଦୁଇ ଡଜନ ବଡ଼ ହୋଟେଲରେ ପର୍ଯ୍ୟଯକ ରହୁଥିଲେ । ଗଙ୍ଗାର ଉତ୍ପତ୍ତି ସ୍ଥଳ ଗଙ୍ଗୋତ୍ରୀକୁ ଯିବା ବାଟରେ ଧରାଲି ହେଉଛି ମୁଖ୍ୟ ରହଣିସ୍ଥଳ । ସେଥିପାଇଁ ସେଠାରେ ଅନେକ ହୋଟେଲ, ହୋମଷ୍ଟେ, ରେସ୍ତୋରାଁ ଓ ଗେଷ୍ଟ ହାଉସ ରହିଛି, ଯାହା ଏବେ ଆକସ୍ମିକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି ।