indians Photograph: (google)
କନକ ବ୍ୟୁରୋ: ଭାରତ ପୁଣି ଥରେ ଫେରିବାକୁ ଆକୁଳ ନିବେଦନ କରିଛନ୍ତି ନିକଟରେ ବାଂଲାଦେଶ ନିର୍ବାସିତ ହୋଇଥିବା ୧୪ ଜଣ ଲୋକ । ସେମାନଙ୍କ ମଧ୍ୟରେ ୬୫ ବର୍ଷୀୟ ଅଲକନ ବିବି ଅଛନ୍ତି । ଅଲକନ ବିବି ଓ ତାଙ୍କ ସ୍ବାମୀ ଶେଖ ଜବ୍ବାର ଏବଂ ୧୪ ଜଣଙ୍କୁ ଡିସେମ୍ବର ୮ରେ ଓଡ଼ିଶା ପୁଲିସ ଅଟକ ରଖିଥିଲା । ସେମାନେ ସପ୍ତାହ ସପ୍ତାହ ଧରି ପୁଲିସ ହେପାଜତରେ ରହିବା ପରେ ଡିସେମ୍ବର ୨୬ରେ ସେମାନଙ୍କୁ ବାଂଲାଦେଶ ପଠାଯାଇଥିଲା । ଅଲକନ ବିବିଙ୍କ ପରିବାରକୁ ପଶ୍ଚିମବଙ୍ଗର ନଦିୟା ଜିଲ୍ଲା ଦେଇ ବାଂଲାଦେଶ ନିର୍ବାସିତ କରାଯାଇଥିଲା । ଅଲକନ ବିବି ବାଂଲାଦେଶରୁ ନିଜର ସମ୍ପର୍କୀୟଙ୍କୁ ଫୋନ କରି ସହାୟତା କରିବାକୁ ନିବେଦନ କରିଛନ୍ତି। ପୁଲିସ ସେମାନଙ୍କୁ ମାଡ଼ ମାରି ଜୋରଜବରଦସ୍ତ ବାଂଲାଦେଶ ପଠାଇ ଦେଇଥିବା ବୃଦ୍ଧ ମହିଳା ଜଣକ ଅଭିଯୋଗ କରିଛନ୍ତି । ଆମ ପାଖରେ ନା କିଛି ଖାଇବା ଓ ପିଇବାକୁ ଅଛି , ନା ରହିବାକୁ ଘର ଅଛି ବୋଲି ଅଲକନ୍ ବିବି କହିଛନ୍ତି । ଆମକୁ ଏଠାରୁ ନେଇଯାଅ, ନହେଲେ ଆମେ ମରିଯିବୁ । ମୋ ପିଲା ମୋ ପାଖରେ ନାହାନ୍ତି ବୋଲି ଅଲକାନ ବିବି କହିଥିଲେ ।
ଅଧିକ ପଢ଼ନ୍ତୁ: ପୁଅ ବଞ୍ଚାଇବାକୁ ଚିତ୍କାର କରୁଥିଲା
ଅଲକନ ବିବିଙ୍କ ସମ୍ପର୍କୀୟ କହିଛନ୍ତି ନିର୍ବାସିତଙ୍କ ପାଖରେ ବାଂଲାଦେଶର କୌଣସି କାଗଜପତ୍ର ନଥିବାରୁ ବାଂଲାଦେଶ ସୁରକ୍ଷାକର୍ମୀ ସେମାନଙ୍କୁ ଭାରତ ପଠାଇ ଦେଇଥିଲେ । କିନ୍ତୁ ବିଏସ୍ଏଫ୍ ସେମାନଙ୍କୁ ତଡ଼ି ଦେଇଥିଲା । ଏପରି ସମସ୍ୟା ଭିତରେ ପରିବାରଠାରୁ ୫ ଜଣ ସଦସ୍ୟ ଅଲଗା ହୋଇଯାଇଛନ୍ତି । ୯ ଜଣ ଲୋକ ବାଂଲାଦେଶର ସିଲହଟ୍ରେ ଅଛନ୍ତି । ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ରହୁଥିବା ଜବ୍ବାରଙ୍କ ଭଉଣୀ ରାହିମା ସେମାନଙ୍କ ଭାରତ ପ୍ରତ୍ୟାବର୍ତ୍ତନ ପାଇଁ ଲଢ଼ୁଛନ୍ତି । ରାହିମା କହିଛନ୍ତି, ତାଙ୍କ ତିନି ଭାଇଙ୍କ ପରିବାର ଅନେକ ଦଶନ୍ଧି ହେଲା ଓଡ଼ିଶାରେ ରହିଆସୁଛନ୍ତି । ସେମାନେ ସେଠାକାର ପଞ୍ଜିକୃତ ଭୋଟର ମଧ୍ୟ । ଆଧାର କାର୍ଡ଼, ରାସନ କାର୍ଡ଼ ସହିତ ଜମିଜମା କାଗଜପତ୍ର ମଧ୍ୟ ସେମାନଙ୍କର ରହିଛି । ଏହାସତ୍ତ୍ବେ ପୁଲିସ ସେମାନଙ୍କୁ ଅନୁପ୍ରବେଶକାରୀ କହି ତଡ଼ି ଦେଇଛି । ତେବେ ପୁଲିସ ଏ ବିଷୟରେ କୌଣସି ପ୍ରତିକ୍ରିୟା ରଖିନାହିଁ ।
Follow Us