କନକ ବ୍ୟୁରୋ: କଫ୍ ସିରପ୍ କାଣ୍ଡ ପରେ ନିଦରୁ ଉଠିଛନ୍ତି କେନ୍ଦ୍ର ସରକାର । ମଧ୍ୟ ପ୍ରଦେଶ ଏବଂ ରାଜସ୍ଥାନରେ ବିଷାକ୍ତ କଫ ସିରପରେ କୁନି କୁନି ପିଲାଙ୍କ ଜୀବନ ଯିବା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଔଷଧ ଲେଖିଥିବା ଡାକ୍ତର ଏବଂ ଔଷଧ କମ୍ପାନିର ମାଲିକଙ୍କୁ ଗିରଫ କରିବା ପରେ ଏବେ କେନ୍ଦ୍ର ସରକାର ଆଉ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଔଷଧ ଏବଂ ପ୍ରସାଧନ ସାମଗ୍ରୀର ଗୁଣବତ୍ତା ତଦାରଖ ଏବଂ ଯାଞ୍ଚ କରିବା ପାଇଁ କେନ୍ଦ୍ର ସରକାର ଏକ ନୂତନ ଆଇନ ଆଇନ୍ ଆଣିବାକୁ ଯାଉଛନ୍ତି ।
ଗତ କିଛି ଦିନ ଭିତରେ ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାରେ କଫ ସିରପ୍ ପିଇବା ପରେ ଅନେକ ପିଲାଙ୍କ ମୃତ୍ୟୁ ହୋଇଛି । ତଦନ୍ତରୁ ଜଣାପଡିଛି, ସିରପରେ ଡାଇଥାଇଲିନ୍ ଗ୍ଲାଇକଲ୍ ନାମକ ଏକ ବିଷାକ୍ତ ରାସାୟନିକ ପଦାର୍ଥ ଥିଲା । ଏହି ଘଟଣା ଦେଶର ଔଷଧ ଉତ୍ପାଦନ ବ୍ୟବସ୍ଥା ଏବଂ ନିରୀକ୍ଷଣ ପ୍ରଣାଳୀ ଉପରେ ବଡ଼ ପ୍ରଶ୍ନ ଛିଡ଼ା କରିଛି । ସରକାରଙ୍କ ଘୋଷଣା ମୁତାବକ, ଖୁବ୍ ଶୀଘ୍ର ଏକ ନୂତନ "ଔଷଧ, ଚିକିତ୍ସା ଉପକରଣ ଆଇନ" ଆଣିବ, ଯାହା ୧୯୪୦ ମସିହାରୁ ପ୍ରଚଳିତ ପୁରୁଣା ଔଷଧ ଆଇନ ଠାରୁ କଡ଼ା କଡ଼ି ହେବ ।
ନୂଆ ଔଷଧ ଆଇନରେ ଔଷଧର ଗୁଣବତ୍ତା ଉପରେ କଡ଼ା ନଜର ରହିବ । ଏବେଠାରୁ ସମସ୍ତ ଔଷଧ, ବିଶେଷକରି କଫ ସିରପ୍ ଏବଂ ଇଞ୍ଜେକ୍ସନ ଗୁଡ଼ିକର ଗୁଣବତ୍ତା ଯାଞ୍ଚ କରାଯିବ । ଯଦି କୌଣସି ଔଷଧରେ ସାମାନ୍ୟ ପରିମାଣରେ ବିଷାକ୍ତ ପଦାର୍ଥ ମିଳେ, ତେବେ ଔଷଧ କମ୍ପାନିର ଲାଇସେନ୍ସ ବାତିଲ କରାଯିବ । ସେହିପରି ସିଡିଏସକୋ ପାଖରେ ଏବେ ଅଧିକ କ୍ଷମତା ରହିବ । ଯାହାଦ୍ବାରା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସକ୍ଷମ ହେବ । ନକଲି, ଭେଜାଲ କିମ୍ବା ନିମ୍ନମାନର ଔଷଧ ବିକ୍ରି କରୁଥିବା ଲୋକଙ୍କ ବିରୁଦ୍ଧରେ ସିଧାସଳଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏବଂ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କୁ ତୁରନ୍ତ ଗିରଫ କରାଯିବା ସହ ଆଇନ ଅନୁଯାୟୀ ଦଣ୍ଡ ଏବଂ ଜରିମାନା କରାଯିବ ।
ଖାଲି ଏତିକି ନୁହେଁ ଲାଇସେନ୍ସ ପ୍ରକ୍ରିୟା ସମ୍ପୂର୍ଣ୍ଣ ଡିଜିଟାଇଜେସନ୍ କରାଯିବ । ପୂର୍ବରୁ ଔଷଧ ଲାଇସେନ୍ସ ପ୍ରକ୍ରିୟା ବିଳମ୍ବ ଏବଂ ଫାଇଲ୍ ସମ୍ବନ୍ଧୀୟ ଅସୁବିଧା ହେଉଥିଲା, ଯାହା ଫଳରେ ଦୁର୍ନୀତିର ଅଭିଯୋଗ ଆସୁଥିଲା । ହେଲେ ଏବେଠାରୁ, ସ୍ୱଚ୍ଛତାକୁ ଗୁରୁତ୍ବ ଦେଇ ସମସ୍ତ କାର୍ଯ୍ୟ ଅନଲାଇନରେ କରାଯିବ ।