କନକ ବ୍ୟୁରୋ: ‘ବିଧାୟକ’ କୌଣସି ରାଜନେତା କିମ୍ବା ମଣିଷର ନାଁ ନୁହେଁ ବରଂ ଗୋଟେ ମଇଁଷିର ନାଁ । ମିରଟର ସର୍ଦ୍ଦାର ବଲ୍ଲଭଭାଇ ପଟେଲ କୃଷି ଶ୍ୱବିଦ୍ୟାଳୟରେ ଚାଲିଥିବା ପଶୁ ମେଳାରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଏହି ବିଧାୟକ ମଇଁଷି । ଯାହାର ମୂଲ୍ୟ ପାଖାପାଖି ୮ କୋଟି ଟଙ୍କା ଥିବାବେଳେ, ତା’ ରହିବା ଖାଇବା ଏମିତି ଯେ ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି ।
ହରିୟାଣାର ପଦ୍ମଶ୍ରୀ ନରେନ୍ଦ୍ର ସିଂହଙ୍କ ପାଖରେ ଅଛି ଏହି 'ବିଧାୟକ' ମଇଁଷି । "ମୁରା ପ୍ରଜାତିର ଚାଷୀ ସଂସ୍କାରକ" ଭାବରେ ନରେନ୍ଦ୍ର ସିଂହ ବେଶ୍ ଜଣାଶୁଣା । ନରେନ୍ଦ୍ର ସିଂହ ବର୍ଷ ବର୍ଷ ଧରି ପଶୁପାଳନରେ ପରୀକ୍ଷଣ କରିଆସୁଛନ୍ତି ଏବଂ ସର୍ବୋତ୍ତମ ମୁରା ପ୍ରଜାତିର ମଇଁଷି ପ୍ରଜନନ କରନ୍ତି । "ବିଧାୟକ" ମଇଁଷିକୁ ନେଇ ସେ କୁହନ୍ତି, ଏ ମଇଁଷିଟି ତାଙ୍କର ସବୁଠାରୁ ଖାସ୍ ବା ଦାମୀ ମଇଁଷି । କାରଣ ଏହାର ବୟସ ୭ ବର୍ଷ ହୋଇଥିବାବେଳେ, ଉଚ୍ଚତା ପାଖାପାଖି ୬ ଫୁଟ୍ ଏବଂ ଓଜନ ୧୩୦୦ କ୍ବିଣ୍ଟାଲରୁ ଅଧିକ । ନରେନ୍ଦ୍ର ସିଂହ ଆହୁରି ମଧ୍ୟ କୁହନ୍ତି ‘ବିଧାୟକ’ କେବଳ ଏକ ମଇଁଷି ନୁହେଁ ବରଂ ମୁରା ପ୍ରଜାତିର ଏକ ଜୀବନ୍ତ ଉପହାର ।
ପଶୁ ମେଳାରେ ଲୋକମାନେ "ବିଧାୟକ"ର ଗୋଟିଏ ଝଲକ ପାଇବା ପାଇଁ ହଜାର ହଜାର ଲୋକ ଏକାଠି ହୋଇଥିଲେ । ଅନେକ ଗୋପାଳକ ତାଙ୍କୁ କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ କିନ୍ତୁ ଯେତେବେଳେ ସେମାନେ ମଇଁଷିର ଦାମ୍ ୮ କୋଟି ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ଏନେଇ ବିଧାୟକର ମାଲିକ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ ଏହି ମଇଁଷିକୁ ବିକ୍ରି ପାଇଁ ମେଳାକୁ ଆଣିନାହାନ୍ତି ।
ବଡ଼କଥା ହେଉଛି ପ୍ରତିବର୍ଷ ଏହି ମଇଁଷି ସ୍ପର୍ମରୁ ୪୦-୫୦ ଲକ୍ଷ ଟଙ୍କା ରୋଜଗାର କରନ୍ତି ମାଲିକ ନରେନ୍ଦ୍ର ସିଂହ । ସାରା ଦେଶର ଚାଷୀମାନେ ପ୍ରଜନନ ଉନ୍ନତି ପାଇଁ ଏହାର ସମ୍ଭାବନାକୁ ବିଚାର କରି ମୁରା ମଇଁଷିର ସ୍ପର୍ମ କିଣିଥାନ୍ତି । ଏଯାଏଁ "ବିଧାୟକ" ମଇଁଷିର ସ୍ପର୍ମ ବ୍ୟବହାର କରି ହଜାର ହଜାର ମଇଁଷି ଉତ୍ପାଦନ କରାଯାଇଛି । ଯାହା ମଧ୍ୟରୁ ଅନେକ ପ୍ରତିଦିନ ୨୦ରୁ ୨୧ ଲିଟର କ୍ଷୀର ଉତ୍ପାଦନ କରୁଛନ୍ତି ।
ମୁରା ମଇଁଷି ପ୍ରଜାତିକୁ ସବୁଠାରୁ ଉତ୍କୃଷ୍ଟ ପ୍ରଜାତି ଭାବରେ ବିବେଚନା କରାଯାଏ । ଆଉ ଏହି ପ୍ରଜାତିର କିଙ୍ଗ୍ ହେଉଛି ‘ବିଧାୟକ’ । ଏହି ମଇଁଷିର ଜେନେଟିକ୍ କ୍ଷମତା ଏତେ ଉନ୍ନତ ଯେ ଏହାର ସ୍ପର୍ମରୁ ଜନ୍ମିତ ମଇଁଷି ଗୁଡ଼ିକ ଅନ୍ୟ ସାଧାରଣ ମଇଁଷି ତୁଳନାରେ ୩୦ରୁ ୪୦ ପ୍ରତିଶତ ଅଧିକ କ୍ଷୀର ଉତ୍ପାଦନ କରିଥାନ୍ତି । ସେଥିପାଇଁ କୃଷି ବୈଜ୍ଞାନିକମାନେ ଏହାକୁ "ଜୀବନ୍ତ ଜେନେଟିକ୍ ସମ୍ପତ୍ତି" ବୋଲି କୁହନ୍ତି । ଖାଲି ଏତିକି ନୁହେଁ ‘ବିଧାୟକ’ ମଇଁଷିର ଜୀବନଶୈଳୀ କୌଣସି ରାଜାଠାରୁ କମ୍ ନୁହେଁ । ପ୍ରତି ମାସରେ ପ୍ରାୟ ଲକ୍ଷେ ଟଙ୍କା ମଇଁଷି ପଛରେ ଖର୍ଚ୍ଚ ହୁଏ । ସକାଳୁ ରାତି ଯାଏଁ ଏସିରେ ରହିବା ସହ ସବୁଜ ଚାରା, ଗହମ ଭୁସା ଏବଂ ଡାଲି ସହିତ କାଜୁ, ବାଦାମ, ଖଜୁର ଏବଂ ଘିଅ ସହିତ ଏକ ସ୍ୱତନ୍ତ୍ର ଖାଦ୍ୟ ଖାଇଥାଏ ଏହି ମଇଁଷି । "ବିଧାୟକ ମଇଁଷି ଖାଲି ଦାମୀ ନୁହେଁ ବରଂ ଦେଶବ୍ୟାପି ଅନେକ ପ୍ରତିଯୋଗିତାର ବିଜେତା ହୋଇଛି । ସେ ଜାତୀୟ ପଶୁ ମେଳା ଏବଂ କୃଷକ ମେଳାରେ ଏକାଧିକ ଥର ଶ୍ରେଷ୍ଠ ମୁରା ମଇଁଷିର ଟାଇଟଲ ଜିତିଛି ।