କନକ ବ୍ୟୁରୋ: ଇଣ୍ଡିମେଣ୍ଟ ଅଡ଼ୁଆ ବଢ଼ାଇଛନ୍ତି ତେଜସ୍ବୀ ଯାଦବ । ଗତକାଲି ଆରାରେ ଆୟୋଜିତ ଭୋଟ୍ ଅଧିକାର ଯାତ୍ରାରେ ନିଜକୁ ଏକତରଫା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପରେ ଏବେ ସରଗରମ ହୋଇଛି ବିହାର ରାଜନୀତି । ବଡ଼ କଥା ହେଲା ଏହାକୁ ନେଇ ଅନ୍ୟ ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ବଢ଼ିଯାଇଥିବା ବେଳେ ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୁହଁ ଖୋଲିନାହାନ୍ତି ।

Advertisment

ସବୁଠାରୁ ବଡ଼ କଥା ହେଲା, ତେଜସ୍ବୀଙ୍କ ଘୋଷଣା କରିବା ସମୟରେ ରାହୁଲ ଗାନ୍ଧୀ, ଅଖିଳେଶ ସିଂ ଯାଦବ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ । ଏହା ରାହୁଲଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିବାରୁ ସେ ଏହି ପ୍ରସଙ୍ଗରେ ମୁହଁ ଖୋଲି ନଥିଲେ କଂଗ୍ରେସ ଯୁବରାଜ । ତେବେ ବିହାରରେ ଏବେ ଚାଲିଥିବା ‘ଭୋଟର ଅଧିକାର ଯାତ୍ରା’ କଂଗ୍ରେସ ଓ ଆର୍‌ଜେଡିର ଶକ୍ତି ପ୍ରଦର୍ଶନ କ୍ଷେତ୍ର ପାଲଟିଛି । କିନ୍ତୁ ନିଜକୁ ଏକତରଫା ଭାବେ ବିହାର ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରି ଇଣ୍ଡିମେଣ୍ଟ ପାଇଁ ବିବାଦ ବଢ଼ାଇଛନ୍ତି । 

ଖାଲି ଏତିକି ନୁହେଁ ଆରାରେ ଏକ ରାଲିରେ ଉଦ୍‌ବୋଧନ ଦେଇ ତେଜସ୍ବୀ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ଆକ୍ରମଣ କରି ତାଙ୍କୁ ‘କପିକ୍ୟାଟ୍‌ ମୁଖ୍ୟମନ୍ତ୍ରୀ’ କହିଛନ୍ତି । ନୀତୀଶ କେବଳ ତାଙ୍କ ନୀତିକୁ ନକଲ କରି ଘୋଷଣା କରୁଛନ୍ତି ବୋଲି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି । ତେଜସ୍ବୀ ସାଧାରଣ ଜନତାଙ୍କୁ ପଚାରିଥିଲେ ସେମାନେ ଜଣେ ଅସଲି ମୁଖ୍ୟମନ୍ତ୍ରୀ ଚାହୁଛନ୍ତି ନା’ ନକଲି ।

ଗୋଟିଏ ପଟେ ବିହାର ଦଖଲର ସ୍ବପ୍ନ ଦେଖୁଥିବା ଇଣ୍ଡି ମେଣ୍ଟ ଜନ ସମର୍ଥନ ପାଇଁ ଭୋଟ୍ ଅଧିକାର ଯାତ୍ରା କରୁଥିବା ବେଳେ ଏବେ ତେଜସ୍ବୀଙ୍କ ମନମାନି ମହାମେଣ୍ଟ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଇଣ୍ଡି ମେଣ୍ଟ ସତରେ ତେଜସ୍ବୀଙ୍କ ସ୍ବରରେ ସ୍ବର ମିଳାଇବ ନା ଅନ୍ୟ କାହାକୁ ବିହାର ବ୍ୟାଟେଲ୍ ପାଇଁ ବାଛିବ ତାହାକୁ ସଭିଏଁ ଅପେକ୍ଷା କରି ରହିଛନ୍ତି ।