କନକ ବ୍ୟୁରୋ : ଆଫାଗାନିସ୍ତାନ-ପାକିସ୍ତାନ ମଧ୍ୟରେ ଘମାଘୋଟ ସଂଘର୍ଷ । ସୀମାରେ ଦୁଇ ଦେଶର ସେନା ମଧ୍ୟରେ ଗୁଳିବର୍ଷା । ୧୨ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ । ଆଫଗାନିସ୍ତାନ ଉପରେ ପାକିସ୍ତାନର ମିଶାଇଲ ମାଡ଼ ପରେ ତାଲିବାନର କଡ଼ା ଯବାବ । ଭାରତକୁ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ଗସ୍ତ ପରେ ଦୁଇ ମଧ୍ୟରେ ବଢୁଛି ବିବାଦ ।

Advertisment

ଗତକାଲି ବିଳମ୍ବିତ ରାତିରେ ଆଫଗାନିସ୍ତାନ ସେନା ପାକିସ୍ତାନର ୮ଟି ଅଞ୍ଚଳରେ ଏକକାଳୀନ ପ୍ରଚଣ୍ଡ ଆକ୍ରମଣ କରିଛି । ଡୁରାଣ୍ଡ ଲାଇନ୍‌ରେ ତାଲିବାନ ଓ ପାକ୍‌ ସେନା ମଧ୍ୟରେ ସଂଘର୍ଷ ଜାରି ରହିଛି । ଆଫଗାନିସ୍ତାନ ଗଣମାଧ୍ୟମ ପ୍ରବଳ ଗୁଳି ବିନିମୟକୁ ନିଶ୍ଚିତ କରିବା ସହ ଅନେକ ମୃତାହତ ହୋଇଥିବା ଖବର ପ୍ରକାଶ କରିଛି । ଏହି ଆକ୍ରମଣରେ ଅତି କମ୍‌ରେ ୧୨ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଥିବା ଜଣାପଡ଼ିଛି ।

ହଜାର ହଜାର ତାଲିବାନୀ ସୈନ୍ୟ ଏହି ସାମରିକ ଅଭିଯାନରେ ସାମିଲ ଅଛନ୍ତି । ଡୁରାଣ୍ଡ ସୀମା ନିକଟରେ ପାକିସ୍ତାନର ଫ୍ରଣ୍ଟିୟର କର୍ପସ୍‌ ଉପରେ ତାଲିବାନ ସବୁଠାରୁ ବଡ଼ ଆକ୍ରମଣ କରିଛି । ଏହି ବହୁମୁଖୀ ଆକ୍ରମଣ ପାକିସ୍ତାନର ସାମ୍ପ୍ରତିକ ବାୟୁସେନା ଆକ୍ରମଣର ପ୍ରତିଶୋଧ ବୋଲି ତାଲିବାନ କହିଛି । ଦୁଇ ଦିନ ତଳେ କାବୁଲ, ଖୋଷ୍ଟ ଓ ନଙ୍ଗରହାର ପ୍ରଦେଶରେ ତାଲିବାନର ପ୍ରତିଷ୍ଠାନ ଉପରେ ପାକିସ୍ତାନ ବୋମାମାଡ଼ କରିଥିଲା । ଆଜି ତାଲିବାନର ୨୦୧ ଖାଲିଦ ବିନ୍‌ ଵାଲିଦ ଆର୍ମି କର୍ପ‌୍‌ସ ଏହି ଆକ୍ରମଣର ଦାୟିତ୍ୱ ନେଇ ଏହାକୁ ଆଫଗାନ ସାର୍ବଭୌମତ୍ୱର ରକ୍ଷା ବୋଲି ଦାବି କରିଛି ।