କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ତଣ୍ଟିରେ ଏବେ ବୁଲା କୁକୁର କଣ୍ଟା ଭଳି ଲାଗିଲେଣି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦୁଇମାସ ମଧ୍ୟରେ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ସତ୍ୟପାଠ ଦାଖଲ ହୋଇନଥିବାରୁ ମୁଖ୍ୟସଚିବଙ୍କୁ ସମନ କରିଛନ୍ତି ସର୍ବୋଚ୍ଚ ଅଦାଲତ ।

Advertisment

ପୁଣି ଚର୍ଚ୍ଚାକୁ ଫେରିଲା କୁକୁର ଗଣନା ମାମଲା । ଅଗଷ୍ଟ ୨୨ରେ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ଶୁଣିଲେନି ସରକାର । ସେଦିନ ବିଚାରପତି ବିକ୍ରମ ନାଥ, ବିଚାରପତି ସନ୍ଦୀପ ‌ମେହଟା ଏବଂ ବିଚାରପତି ଏନ୍‌ଭି ଅଞ୍ଜାରିଆ ରୋକ୍‌ଠୋକ୍ ଶୁଣାଇଥିଲେ, ବୁଲା କୁକୁରମାନଙ୍କୁ ଧରି କୃମିନାଶକ ଔଷଧ ଦିଅ । ଟିକାକରଣ କରି ନିଜ ନିଜ ଅଞ୍ଚଳରେ ଛାଡ଼ । ହେଲେ କେତେ କୁକୁରଙ୍କୁ ବନ୍ଧ୍ୟାକରଣ କଲେ, ତା’ ରିପୋର୍ଟ ଦେଇପାରିଲେନି ରାଜ୍ୟ ସରକାର । ବାବୁଙ୍କ ମନମାନି ଦେଖି ସୁପ୍ରିମକୋର୍ଟ ଖପ୍ପା । ମୁଖ୍ୟଶାସନ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ୩ ତାରିଖରେ ବ୍ୟକ୍ତିଗତ ହାଜର ହୋଇ ତଥ୍ୟ ରଖ । ପଶୁପ୍ରେମୀଙ୍କ କହିବା କଥା, ରାଜ୍ୟ ସରକାରରେ ପ୍ରସ୍ତୁତି ନାହିଁ । କେମିତି ରିପୋର୍ଟ ଦେବେ ? ଏଯାଏଁ ପ୍ରସ୍ତୁତ ହୋଇନି ଆବଶ୍ୟକ ଭିତ୍ତିଭୂମି । ମାନବ ସମ୍ବଳ ଅଭାବ ବି ଅନ୍ୟତମ କାରଣ ।

ଜାତୀୟ ହାରରେ ପ୍ରତି ଏକ ହଜାର ଜନ ସଂଖ୍ୟାରେ ବୁଲାକୁକୁରଙ୍କ ସଂଖ୍ୟା ୧୧ ରହିଛି । ଓଡ଼ିଶାରେ ଏହି ସଂଖ୍ୟା ୩୯ । ନିକଟରେ ହୋଇଥିବା ଗଣତି କହୁଛି,  ଭୁବନେଶ୍ୱରରେ ପ୍ରତି ହଜାର ଜନ ସଂଖ୍ୟାରେ ହାରାହାରି ୩୬ ବୁଲାକୁକୁର ଅଛନ୍ତି । ଅତଏବ ଟିକାକରଣ ହିଁ ଏବେ ଏକମାତ୍ର ବିକଳ୍ପ । ବିଏମସି କମିସନର କହିଛନ୍ତି, ଟିକାକରଣ କିଭଳି ବଢ଼ିବ, ତା ଉପରେ ଗୁରୁତ୍ୱ ଦିଆଯିବ । ପଶୁପ୍ରେମୀଙ୍କ ମତାମତ ନେଇ ଏବିସି କାର୍ଯ୍ୟକ୍ରମ ଚାରିଗୁଣା କରିବାକୁ ଲକ୍ଷ୍ୟ ରଖିଛୁ ।

ଭୁବନେଶ୍ୱର ପରିସଂଖ୍ୟାନ ସିନା ସରକାରଙ୍କ ପକେଟ୍‌ରେ ଅଛି, ହେଲେ ଅନ୍ୟ ଜିଲ୍ଲାରେ ନା କୁକୁରଙ୍କ ସଂଖ୍ୟା କର୍ତ୍ତୃପକ୍ଷ ଜାଣନ୍ତି ନା ଏହାକୁ ରୋକିବା ଲାଗି କିଛି ପଦକ୍ଷେପ ନିଆଯାଉଛି । ଏବେ ଦେଖିବା କଥା ସୁପ୍ରିମକୋର୍ଟରେ କଣ ତଥ୍ୟ ରଖୁଛନ୍ତି ଓଡ଼ିଶାର ମୁଖ୍ୟଶାସନ ସଚିବ ।