କନକ ବ୍ୟୁରୋ: ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପଶୁପ୍ରେମୀଙ୍କୁ ଆଶ୍ବସ୍ତି ଆଣି ଦେଇଛି । ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ବୁଲା କୁକୁରଙ୍କ ସ୍ଥାନାନ୍ତରଣ ନିଷ୍ପତ୍ତିକୁ ନେଇ କଡା ଆଭିମୁଖ୍ୟ ଦେଖାଇଛନ୍ତି । ସର୍ତ୍ତ ସହ କଟକଣା ଲଗାଇ ସର୍ବୋଚ୍ଚ ଅଦାଲତ କହିଛନ୍ତି, ବନ୍ଧ୍ୟାକରଣ କର କିନ୍ତୁ ସ୍ଥାନାନ୍ତରଣ ନୁହେଁ । 

Advertisment

ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ସ୍ଥାନାନ୍ତରଣ ନୁହେଁ, ବୁଲା କୁକୁରଙ୍କୁ ଜଳାତଙ୍କ ନିରୋଧୀ ଇଞ୍ଜେକ୍ସନ ଓ ବନ୍ଧ୍ୟାକରଣ ପରେ ପୂର୍ବ ସ୍ଥାନରେ ଛାଡ଼ିଦେବାକୁ ନିର୍ଦ୍ଦେଶ । ୧୧ ଅଗଷ୍ଟର ରାୟ ଉପରେ ରୋକ୍‌ ଲଗାଇ କିଛି ସର୍ତ୍ତ ଓ କଟକଣା ସହ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ତେବେ ରୋଗିଣା ଓ ଆକ୍ରମଣାତ୍ମକ କୁକୁରଙ୍କୁ ନଛାଡ଼ି ଆଶ୍ରୟସ୍ଥଳରେ ରଖିବାକୁ କହିଛନ୍ତି । ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । 

ବୁଲା କୁକୁରଙ୍କ ପାଇଁ ସର୍ତ୍ତ

- ବୁଲା କୁକୁରଙ୍କୁ ଖାଦ୍ୟ ଦେବାକୁ ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ କରିବାକୁ ନିର୍ଦ୍ଦେଶ
- ସର୍ବସାଧାରଣରେ କୁକୁରଙ୍କୁ ଖାଦ୍ୟ ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ
- କୁକୁରଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଚାହୁଥିଲେ ଅନୁମତି ନେବାକୁ ପଡ଼ିବ
- ପୋଷ୍ୟ କୁକୁର ଯେମିତି ପୁନର୍ବାର ରାସ୍ତାକୁ ନ ଫେରିବେ ତାର ଦାୟିତ୍ବ ନେବେ ମାଲିକ
- କୁକୁରଙ୍କୁ ଉଦ୍ଧାର ବେଳେ ଉଦ୍ଧାରକାରୀ ଟିମ୍‌କୁ ଅଟକାଇଲେ ୨ ଲକ୍ଷ ଟଙ୍କାର ଜରିମାନା

ବୁଲା କୁକୁରଙ୍କ ବନ୍ଧ୍ୟାକରଣକୁ ଗୁରୁତ୍ବ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାସହ ଜଳାତଙ୍କ ଆକ୍ରାନ୍ତ କୁକୁରଙ୍କୁ ଭିନ୍ନ ଆଶ୍ରୟସ୍ଥଳରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କୁକୁରଙ୍କ ପାଇଁ ନିର୍ଦ୍ଦିଷ୍ଟ ଖାଦ୍ୟ ଜୋନ୍ କରିବାକୁ ପୌରପାଳିକା ଓ ମହାନଗର ନିଗମକୁ କୁହାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ବିଏମ୍‌ସି ମେୟର କହିଛନ୍ତି, ଓଡ଼ିଶାରେ କୁକୁରଙ୍କ ବନ୍ଧ୍ୟାକରଣ ୨୦୦୮ରୁ ଜାରି ରହିଛି । ଅନ୍ୟପଟେ ବୁଲା କୁକୁରଙ୍କ ପାଇଁ ବ୍ୟୟବରାଦ ହେଉଥିବା ଟଙ୍କା କେଉଁ ବାଟରେ ଖର୍ଚ୍ଚ ହେଉଛି ବୋଲି ପ୍ରଶ୍ନ କରିଛନ୍ତି ପଶୁପ୍ରେମୀ । ଓଡ଼ିଶାରେ ଏବେ ୧୭ ଲକ୍ଷରୁ ଅଧିକ ବୁଲା କୁକୁର ରହିଛନ୍ତି । ତେବେ ଏହି କୁକୁରଙ୍କ ମଧ୍ୟରୁ ଜଳାତଙ୍କ ଆକ୍ରାନ୍ତ ଓ ଆକ୍ରମଣାତ୍ମକ କୁକୁର କିଏ ? ସେମାନଙ୍କର ଚିହ୍ନଟ କରିବା ସବୁଠୁ ବଡ଼ ଚ୍ୟାଲେଞ୍ଜ ।