କନକ ବ୍ୟୁରୋ: ପଶ୍ଚିମବଙ୍ଗ ସରକାରଙ୍କୁ ଆଶ୍ୱସ୍ତି ଦେଇ ସୁପ୍ରିମ୍କୋର୍ଟ ଜୁନ୍ ୧୭ କଲିକତା ହାଇକୋର୍ଟଙ୍କ ରାୟ ଉପରେ ରୋକ୍ ଲଗାଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଭୂଷଣ ରାମକ୍ରିଷ୍ଣନ ଗବାଇ, ଜଷ୍ଟିସ କେ ବିନୋଦ ଚନ୍ଦ୍ରନ ଓ ଜଷ୍ଟିସ ଏନ୍ଭି ଅଞ୍ଜରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଆବେଦନର ଶୁଣାଣି କରି କହିଛନ୍ତି ଯେ ପ୍ରାଥମିକ ଦୃଷ୍ଟିରୁ ହାଇକୋର୍ଟଙ୍କ ଆଦେଶ ଭୁଲ୍ ମନେ ହେଉଛି । ଯଦି ଉଭୟ ପକ୍ଷ ଚାହିବେ ତେବେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହି ମାମଲାର ନିଷ୍ପତ୍ତି ନେବା ପାଇଁ ଏକ ନୂତନ ଖଣ୍ଡପୀଠ ଗଠନ କରିବାକୁ ସେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରିବେ ବୋଲି ପ୍ରଧାନ ବିଚାରପତି ପରାମର୍ଶ ଦେଇଛନ୍ତି ।
ଏହା ପୂର୍ବରୁ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲଙ୍କ ଯୁକ୍ତିକୁ ଗ୍ରହଣ କରି କହିଥିଲେ, ଏହା ଆଶ୍ଚର୍ଯ୍ୟଜନକ । ହାଇକୋର୍ଟ କେମିତି ଏଭଳି ନିର୍ଦ୍ଦେଶ ଦେଇପାରିବେ ? ସଂରକ୍ଷଣ ନିୟମିତ ପ୍ରାଶାସନିକ କାର୍ଯ୍ୟର ଏକ ଅଂଶ । ଶିକ୍ଷକ ଓ ଅନ୍ୟମାନଙ୍କ ନିଯୁକ୍ତିରେ ବାଧା ସୃଷ୍ଟି ହୋଇଥିବା ଦର୍ଶାଇ ହାଇକୋର୍ଟଙ୍କ ଆଦେଶ ଉପରେ ରୋକ୍ ଲଗାଇବାକୁ ସିବଲ ଦାବି କରିଥିଲେ । ପ୍ରତିପକ୍ଷଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରଞ୍ଜିତ କୁମାର ଓ ଗୁରୁ କୃଷ୍ଣକୁମାର ହାଇକୋର୍ଟଙ୍କ ଆଦେଶ ଉପରେ ରୋକ୍ ଲଗାଇବା ଆବେଦନକୁ ବିରୋଧ କରିଥିଲେ ।
କୃଷ୍ଣକୁମାର କହିଛନ୍ତି ଯେ କାର୍ଯ୍ୟନିର୍ବାହୀ ଆଦେଶ ଦ୍ୱାରା ସଂରକ୍ଷଣ ପ୍ରଦାନ କରିବା ପାଇଁ ରାଜ୍ୟ ସ୍ୱାଧୀନ କିନ୍ତୁ ଏଥିରେ ଆଇନଗତ ଢାଞ୍ଚା ପାଳନ କରିବାକୁ ପଡ଼ିବ । ବିନା ତଥ୍ୟରେ ନୂଆ ଓବିସି ତାଲିକା ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି । ତେବେ ରାଜ୍ୟ ପଛୁଆ ବର୍ଗ କମିସନଙ୍କ ନୂଆ ସର୍ଭେ ଓ ରିପୋର୍ଟ ଆଧାରରେ ଏହି ନୂଆ ତାଲିକା ପ୍ରସ୍ତୁତ କରାଯାଇଛି ବୋଲି ସିବଲ କହିଛନ୍ତି ।
ଓବିସି-ଏ ଓ ଓବିସି-ବି ବର୍ଗରେ ୧୪୦ଟି ଉପବିଭାଗରେ ସଂରକ୍ଷଣ ସଂକ୍ରାନ୍ତରେ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତି ଉପରେ ଅନ୍ତରୀଣ ରହିତାଦେଶ ଜାରି କରିବାକୁ ହାଇକୋର୍ଟଙ୍କ ଖଣ୍ଡପୀଠ ଜୁନ୍ ୧୭ରେ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାର କାର୍ଯ୍ୟନିର୍ବାହୀ ବିଜ୍ଞପ୍ତି ମାଧ୍ୟମରେ ଓବିସି-ଏ ଅଧୀନରେ ୪୯ଟି ଉପବିଭାଗ ଏବଂ ଓବିସି-ବି ବର୍ଗରେ ୯୧ଟି ଉପବିଭାଗକୁ ଅନ୍ତର୍ଭୁକ୍ତ କରିଛନ୍ତି । ଓବିସି-ଏ ଅଧୀନରେ ଅଧିକ ପଛୁଆ ବର୍ଗର ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ କମ୍ ପଛୁଆ ବର୍ଗ ଓବିସି-ବି ଅଧୀନରେ ଆସୁଛନ୍ତି ।