driving Photograph: (Kanak News)
କନକ ବ୍ୟୁରୋ: ରାସ୍ତାରେ ଗଲାବେଳେ ହଠାତ୍ ଗାଡ଼ି ବ୍ରେକ୍ ମାରିଲେ ଦୁର୍ଘଟଣା ହୁଏ । ଥରେ କି ଅଧେ ନୁହେଁ ବରଂ ବାରମ୍ବାର ଏମିତି ଘଟଣା ସାମ୍ନାକୁ ଆସିଛି । ଯେଉଁଥି ଲାଗି ଅନେକଙ୍କ ଜୀବନ ଯାଉଥିବା ବି ଦେଖାଯାଇଛି । ହେଲେ ଏବେ ଏହି ଘଟଣାକୁ ନେଇ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି, ରାସ୍ତାରେ ଯିବା ବେଳେ ହଠାତ୍ ବ୍ରେକ୍ ମାରିବା ଅପରାଧ । କୋର୍ଟଙ୍କ ରାୟ ଆସିବା ପରେ ଏବେ ସବୁଠି ଚର୍ଚ୍ଚା ଓ ଆଲୋଚନା ।
ରାସ୍ତାରେ ଯିବା ବେଳେ ହଠାତ୍ ବ୍ରେକ୍ ମାରିଲେ ଅପରାଧ
ବଡ଼ ରାୟ ଦେଲେ ସୁପ୍ରିମ୍କୋର୍ଟ
ନିୟମ ନଜାଣିଲେ ହଇରାଣ ହେବେ ଆପଣ
କୋର୍ଟ କହିଲେ, ହାଇୱେରେ ହଠାତ୍ ବ୍ରେକ୍ ମାରିବା ଏକ ଅବହେଳା
ରାସ୍ତାରେ ବ୍ରେକ୍ ମାରିବା ଘଟଣାକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି, ଜାତୀୟ ରାଜପଥରେ କୌଣସି ସୂଚନା ନଦେଇ ହଠାତ୍ ଗାଡ଼ିର ବ୍ରେକ୍ ମାରିବା ଏକ ଆପରାଧିକ ଅବହେଳା ଭାବରେ ବିବେଚନା କରାଯିବ । ଯଦି ଏପରି କରିବା ଦ୍ୱାରା କୌଣସି ଦୁର୍ଘଟଣା ଘଟେ ତେବେ ହଠାତ୍ ବ୍ରେକ୍ ମାରିଥିବା ଚାଳକଙ୍କୁ ଦାୟୀ କରାଯାଇପାରିବ । ଜଷ୍ଟିସ୍ ସୁଧାଂଶୁ ଧୁଲିଆ ଏବଂ ଜଷ୍ଟିସ୍ ଅରବିନ୍ଦ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ଏହି ମାମଲାଟି ୨୦୧୭ ମସିହାରେ ତାମିଲନାଡୁର କୋଏମ୍ବାଟୁରରେ ଘଟିଥିବା ଏକ ସଡ଼କ ଦୁର୍ଘଟଣା ସହ ଜଡ଼ିତ ରହିଛି । ଏହି ଦୁର୍ଘଟଣାରେ ଏସ୍ ମହମ୍ମଦ ହାକିମ ନାମକ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ତାଙ୍କର ବାମ ଗୋଡ଼ ହରାଇବାକୁ ପଡ଼ିଥିଲା । ହାକିମ ଏକ ମୋଟରସାଇକେଲରେ ଯାଉଥିବା ବେଳେ ତାଙ୍କ ଆଗରେ ଯାଉଥିବା ଏକ କାର୍ ହଠାତ୍ ରାଜପଥ ମଝିରେ ଅଟକି ଯାଇଥିଲା । ଫଳରେ ହାକିମଙ୍କ ମୋଟରସାଇକେଲଟି କାରକୁ ପଛରୁ ଧକ୍କା ଦେଇଥିଲା ଏବଂ ସେ ରାସ୍ତା ଉପରେ ପଡ଼ିଯାଇଥିଲେ । ଠିକ୍ ସେହି ସମୟରେ ପଛରୁ ଆସୁଥିବା ଏକ ବସ୍ ତାଙ୍କ ଉପରେ ମାଡ଼ିଯାଇଥିଲା ।
କାର୍ ଚାଳକ କହିଥିଲେ
ସ୍ତ୍ରୀଙ୍କୁ ବାନ୍ତି ଲାଗିବାରୁ ଅଟକିଥିଲା ଗାଡ଼ି
ପୂରା ମାମଲା ହେଉଛି ରାସ୍ତାରେ ଯିବା ବେଳେ କାର୍ ଚାଳକଙ୍କ ଗର୍ଭବତୀ ସ୍ତ୍ରୀଙ୍କୁ ହଠାତ୍ ବାନ୍ତି ଲାଗିଥିଲା । ତେଣୁ ସେ ରାସ୍ତା ଉପରେ କାର୍ ଅଟକାଇଥିଲେ । ହେଲେ ଏହି କାରଣରୁ ସୁପ୍ରିମକୋର୍ଟ ଗ୍ରହଣ କରିନଥିଲେ ଏବଂ ଅଯୁକ୍ତିକର ବୋଲି କହିଥିଲେ । କୋର୍ଟ କହିଛନ୍ତି, ହାଇୱେରେ ଗାଡ଼ିଗୁଡ଼ିକ ଦ୍ରୁତ ଗତିରେ ଚଳାଚଳ କରିବା ସ୍ୱାଭାବିକ । ଯଦି କୌଣସି ଚାଳକ ନିଜ ଗାଡ଼ି ଅଟକାଇବାକୁ ଚାହାନ୍ତି, ତେବେ ପଛରେ ଆସୁଥିବା ଗାଡ଼ିଗୁଡ଼ିକୁ ସତର୍କ ସୂଚନା ଦେବା ତାଙ୍କର ଦାୟିତ୍ୱ ।" କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ବ୍ୟକ୍ତିଗତ ଜରୁରୀ ପରିସ୍ଥିତିରେ ମଧ୍ୟ ରାଜପଥ ମଝିରେ ହଠାତ୍ ଗାଡ଼ି ଅଟକାଇବା ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଏହାକୁ ଗ୍ରହଣ କରାଯାଇପାରିବ ନାହିଁ ।
ତେବେ ମାମଲାକୁ ବିଚାରକରି, କୋର୍ଟ କାର୍ ଚାଳକଙ୍କୁ ୫୦% ଦାୟୀ କରିଥିବା ବେଳେ ବସ୍ ଚାଳକଙ୍କୁ ୩୦% ଏବଂ ଆବେଦନକାରୀ (ହାକିମ)ଙ୍କୁ ୨୦% ସହ-ଅବହେଳା ପାଇଁ ଦାୟୀ କରିଥିଲେ । କୋର୍ଟ ମୋଟ ୧.୧୪ କୋଟି ଟଙ୍କାର କ୍ଷତିପୂରଣ ରାଶି ନିର୍ଦ୍ଧାରଣ କରିଥିଲେ କିନ୍ତୁ ହାକିମଙ୍କ ୨୦% ଅବହେଳା ପାଇଁ ଏହି ରାଶିକୁ କମାଇ ୯୧.୨ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ରାଶି ଉଭୟ କାର୍ ଏବଂ ବସର ବୀମା କମ୍ପାନିକୁ ଚାରି ସପ୍ତାହ ମଧ୍ୟରେ ଦେବାକୁ କୁହାଯାଇଛି । ଯାହା ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ।
Follow Us