Supreme Court : ପ୍ରଧାନ ବିଚାରପତିଙ୍କ ପ୍ରଶ୍ନ, ED କୁ କାହିଁକି ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି ?

ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ କହିଥିଲେ ଯେ ଇଡିର ଅଧିକାରୀମାନେ ସମସ୍ତ ସୀମା ଅତିକ୍ରମ କରୁଛନ୍ତି ଏବଂ ଏହାକୁ ରାଜନୈତିକ ଲଢେଇ ପାଇଁ ବ୍ୟବହାର କରାଯିବା ଉଚିତ ନୁହେଁ । ଏହାସହ କୋର୍ଟ କହିଥିଲେ, "ରାଜନୈତିକ ଲଢେଇ ନିର୍ବାଚନ ମଇଦାନରେ ଲଢାଯିବା ଆବଶ୍ୟକ, ଏଥିପାଇଁ ଇଡିକୁ କାହିଁକି ବ୍ୟବହାର କରାଯାଉଛି?

Supreme Court

Supreme Court Photograph: (Kanak News)

କନକ ବ୍ୟୁରୋ : ଇଡିକୁ ରାଜନୀତିରେ ବ୍ୟବହାର କରୁଛି କିଏ । କିଛି ଏମିତି ପ୍ରଶ୍ନକୁ ନେଇ ଅନେକ ସମୟରେ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଏହାରି ଭିତରେ ସୁପ୍ରିମକୋର୍ଟ ମଧ୍ୟ ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି । ଆଉ ପ୍ରଶ୍ନ କରିଛନ୍ତି, ରାଜନୈତିକ ଉଦ୍ଦେଶ୍ୟ ରଖି କାହିଁକି ଇଡିକୁ ବ୍ୟବହାର କରାଯାଉଛି । ଭାରତର ସୁପ୍ରିମକୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର କାର୍ଯ୍ୟକଳାପକୁ ନେଇ ଏକ ବିତର୍କ ହୋଇଛି । ରାଜନୈତିକ ଉଦ୍ଦେଶ୍ୟରେ ଇଡିର ବ୍ୟବହାର ହେଉଥିବା ନେଇ କୋର୍ଟ ଚିନ୍ତା ବ୍ୟକ୍ତ କରିଥିବା ବେଳେ, ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହାକୁ ଏକ ଅନୁଷ୍ଠାନ ବିରୋଧରେ ସୁଚିନ୍ତିତ ଭାବେ କରାଯାଉଥିବା ଏକ ଷଡ୍‌ଯନ୍ତ୍ର ବୋଲି କହିଛନ୍ତି ।  

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ପତ୍ନୀଙ୍କୁ ଏକ ମାମଲାରେ ଇଡିର ସମନକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ କହିଥିଲେ ଯେ ଇଡିର ଅଧିକାରୀମାନେ ସମସ୍ତ ସୀମା ଅତିକ୍ରମ କରୁଛନ୍ତି ଏବଂ ଏହାକୁ ରାଜନୈତିକ ଲଢେଇ ପାଇଁ ବ୍ୟବହାର କରାଯିବା ଉଚିତ ନୁହେଁ । ଏହାସହ କୋର୍ଟ କହିଥିଲେ, "ରାଜନୈତିକ ଲଢେଇ ନିର୍ବାଚନ ମଇଦାନରେ ଲଢାଯିବା ଆବଶ୍ୟକ, ଏଥିପାଇଁ ଇଡିକୁ କାହିଁକି ବ୍ୟବହାର କରାଯାଉଛି?
ଏହାର ଜବାବରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ବାଢିଥିଲେ ଯେ ଏକ ଅନୁଷ୍ଠାନ ବିରୋଧରେ ଏକ ଭିତ୍ତିହୀନ ଧାରଣା ସୃଷ୍ଟି କରିବା ପାଇଁ ଏକ ସୁଚିନ୍ତିତ ପ୍ରୟାସ କରାଯାଉଛି। ସେ ଆହୁରି ମଧ୍ୟ କହିଥିଲେ ଯେ କିଛି ମାମଲାରେ ଯଦି ଇଡି ଦ୍ୱାରା କିଛି ଭୁଲ ହୋଇଥାଏ, ତେବେ ଅଦାଲତ ହସ୍ତକ୍ଷେପ କରିବେ କିନ୍ତୁ ସାଧାରଣ ଭାବେ ଏପରି ମନ୍ତବ୍ୟ ଦେବା ଆଦୌ ଠିକ୍ ନୁହେଁ ।

ଏହି ଶୁଣାଣି ସମୟରେ କିଛି ବରିଷ୍ଠ ଓକିଲଙ୍କୁ ଇଡି ପକ୍ଷରୁ ସେମାନଙ୍କ ମହକିଲଙ୍କୁ ଦେଇଥିବା ଆଇନଗତ ପରାମର୍ଶ ପାଇଁ ସମନ ଜାରି କରାଯିବା ପ୍ରସଙ୍ଗ ମଧ୍ୟ ଉଠିଥିଲା । ଏହାକୁ ନେଇ ପ୍ରଧାନ ବିଚାରପତି କହିଥିଲେ ଯେ ଜଣେ ଓକିଲ ଏବଂ ତାଙ୍କ ମହକିଲଙ୍କ ମଧ୍ୟରେ କଥାବାର୍ତ୍ତା ଗୋପନୀୟ ହୋଇଥାଏ ଏବଂ ଏଥିପାଇଁ ଓକିଲଙ୍କୁ ସମନ କରାଯାଇପାରିବ ନାହିଁ ।

ସଲିସିଟର ଜେନେରାଲ ଏହା ମଧ୍ୟ କହିଥିଲେ ଯେ ଗଣମାଧ୍ୟମ ଏବଂ ୟୁଟ୍ୟୁବ୍ ସାକ୍ଷାତକାର ଉପରେ ଆଧାର କରି କୌଣସି ଧାରଣା ସୃଷ୍ଟି କରାଯିବା ଅନୁଚିତ । ତେବେ ପ୍ରଧାନ ବିଚାରପତି ସ୍ପଷ୍ଟ କରିଥିଲେ ଯେ ଅଦାଲତର ମନ୍ତବ୍ୟ ଗଣମାଧ୍ୟମର ଖବର ଉପରେ ନୁହେଁ ବରଂ ଅଦାଲତରେ ଦାଖଲ ହେଉଥିବା ମାମଲାଗୁଡ଼ିକର ଅନୁଭୂତି ଉପରେ ଆଧାରିତ । ଏହାପରେ ସଲିସିଟର ଜେନେରାଲ ଏହି କଥାକୁ ସ୍ୱୀକାର କରିଥିଲେ ଯେ ଆଇନଗତ ପରାମର୍ଶ ପାଇଁ ଓକିଲଙ୍କୁ ସମନ କରାଯିବା ଭୁଲ ଥିଲା । ତେବେ ଅନୁଷ୍ଠାନଗୁଡ଼ିକୁ ବଦନାମ କରିବା ପାଇଁ ମିଥ୍ୟା କାହାଣୀ ସୃଷ୍ଟି କରାଯାଉଥିବା ନେଇ ସେ ଚିନ୍ତା ପ୍ରକଟ କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe