କନକ ବ୍ୟୁରୋ : ଜୁନ୍ ୩୦ ତାରିଖ ସୁଦ୍ଧା ବେଙ୍ଗାଲୁରୁ ପୌର ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ସୁପ୍ରିମକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଦୀର୍ଘ ଦିନ ଧରି ପଡ଼ି ରହିଥିବା ପୌର ନିର୍ବାଚନ ପାଇଁ କଡ଼ା ତଥା ଅବିସ୍ତାରିତ କାର୍ଯ୍ୟସୂଚୀ ପାଳନ କରିବାକୁ କର୍ଣ୍ଣାଟକ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ୱାର୍ଡ଼ୱାରି ସଂରକ୍ଷଣ ତାଲିକା ଫେବ୍ରୁଆରି ୨୦ ସୁଦ୍ଧା ପ୍ରକାଶ କରିବାକୁ କହିଛନ୍ତି ।
ପୂର୍ବରୁ ଡିସେମ୍ବର ୧୫ ସୁଦ୍ଧା ଦେଇଥିବା ସମୟସୀମାକୁ କୋର୍ଟ ବୃଦ୍ଧି କରିଛନ୍ତି । ନିର୍ବାଚନ ପ୍ରକ୍ରିୟାବେଳେ ସମୟସୀମା ଆଉ ବୃଦ୍ଧି କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ନବଗଠିତ ଗ୍ରେଟର ବେଙ୍ଗାଲୁରୁ ଓ ବୃହତ ବେଙ୍ଗାଲୁରୁ ମହାନଗର ପାଲିକେ ନିର୍ବାଚନ ସମ୍ବନ୍ଧୀୟ ପୂର୍ବ ନିର୍ଦ୍ଦେଶଗୁଡ଼ିକର ଅନୁପାଳନ ଉପରେ କୋର୍ଟ ନଜର ରଖିଥିବା ସମୟରେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଅଧିକ ପଢ଼ନ୍ତୁ : ରାଜ୍ ଠାକ୍ରେଙ୍କ ‘ରସମଲାଇ’ ମନ୍ତବ୍ୟରେ ଅନ୍ନାମଲାଇଙ୍କ ତୀବ୍ର ପ୍ରତିକ୍ରିୟା
ଏହି ମାମଲାର ଶୁଣାଣିବେଳେ କର୍ଣ୍ଣାଟକ ସରକାରଙ୍କ ପକ୍ଷ ରଖି ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ୱାର୍ଡ଼ୱାରି ସଂରକ୍ଷଣ ତାଲିକା ପ୍ରସ୍ତୁତ ଓ ପ୍ରକାଶନ କାର୍ଯ୍ୟ ମାସକ ଭିତରେ ଶେଷ କରାଯିବ ବୋଲି କହିଥିଲେ । ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ବରିଷ୍ଠ ଓକିଲ କେଏନ୍ ଫଣୀନ୍ଦ୍ର ମାର୍ଚ୍ଚ୧୬ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ ବୋଲି କୋର୍ଟଙ୍କୁ ଜଣାଇଥିଲେ । ସେ କହିଥିଲେ ଯେ, ସ୍କୁଲ ଓ କଲେଜ ପରୀକ୍ଷା ଶେଷ ହେବା ପରେ ହିଁ ନିର୍ବାଚନ ଆୟୋଜନ କରିବାକୁ ସମ୍ଭବ ହୋଇପାରିବ । କାରଣ ଶିକ୍ଷାନୁଷ୍ଠାନକୁ ପୁଲିଂ ଷ୍ଟେସନ ଭାବେ ବ୍ୟବହାର କରାଯାଇପାରିବ ଓ ଶିକ୍ଷକଙ୍କୁ ନିର୍ବାଚନ ଦାୟିତ୍ବରେ ନିୟୋଜିତ କରାଯାଇପାରିବ । ଫଣୀନ୍ଦ୍ର କୋର୍ଟଙ୍କୁ କହିଥିଲେ ଯେ, ମେ’ ୨୬ରେ ବୋର୍ଡ଼ ପରୀକ୍ଷା ଶେଷ ହେବା ପରେ ନିର୍ବାଚନ ଅନୁଷ୍ଠିତ ହେବ । ସୁପ୍ରିମକୋର୍ଟ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଆବେଦନକୁ ଗ୍ରହଣ କରି ଜୁନ୍ ୩୦ ସୁଦ୍ଧା ନିର୍ବାଚନ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/12/supreme-court-2026-01-12-17-44-10.jpg)