କନକ ବ୍ୟୁରୋ : ୧୯୫୫ ନାଗରିକତା ନିୟମର ଧାରା ‘୬କ’କୁ ସୁପ୍ରିମ୍କୋର୍ଟ ବୈଧ ଘୋଷଣା କରିଛନ୍ତି । ଏହାଦ୍ୱାରା ୧୯୭୧ ବାଂଲାଦେଶ ଦଙ୍ଗା ସମୟରେ ଦେଶ ଛାଡି ଭାରତ ପଳାଇ ଆସିଥିବା ବାଂଲାଦେଶୀମାନଙ୍କୁ ଭାରତର ନାଗରିକତା ମିଳିବ । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼, ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଏମ୍ଏମ୍ ସୁନ୍ଦ୍ରେଶ, ଜେବି ପାର୍ଦିୱାଲ୍ ଏବଂ ମନୋଜ ମିଶ୍ରଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ମାମଲା ଶୁଣାଣି କରି ଏହାକୁ ବୈଧ ଘୋଷଣା କରିଛନ୍ତି । ଖଣ୍ଡପୀଠରେ ୪ ଜଣ ବିଚାରପତି ଧାରା ‘୬କ’ର ସମର୍ଥନରେ ମତ ରଖିଥିବା ବେଳେ ଜଷ୍ଟିସ୍ ଜେବି ପାର୍ଦିୱାଲ୍ ବିରୋଧରେ ଯାଇଥିଲେ ।
ଏହି ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଯେଉଁ ବାଂଲାଦେଶୀମାନେ ଜାନୁଆରୀ ୧୯୬୬ରୁ ମାର୍ଚ୍ଚ ୧୯୭୧ ମଧ୍ୟରେ ଆସାମକୁ ଆସିଛନ୍ତି, ସେମାନଙ୍କୁ ଏହି ସୁବିଧା ମିଳିବ । କିନ୍ତୁ ଏହା କେବଳ ଆସାମ ପାଇଁ ଲାଗୁ ହେବ । କିନ୍ତୁ ପଶ୍ଚିମବଙ୍ଗ ଅବା ଅନ୍ୟ କୌଣସି ରାଜ୍ୟରେ ଥିବା ଅନୁପ୍ରବେଶକାରୀଙ୍କ କ୍ଷେତ୍ରରେ ଏହି ସୁବିଧା ଲାଗୁ ହେବ । ଯଦିଓ ଆସାମଠୁ ପଶ୍ଚିମବଙ୍ଗରେ ଅଧିକ ଅନୁପ୍ରବେଶକାରୀ ଅଛନ୍ତି ହେଲେ ସେମାନଙ୍କୁ ଏହି ସୁବିଧା ମିଳିବ ନାହିଁ । କାରଣ ଜନସଂଖ୍ୟା ଦୃଷ୍ଟିରୁ ଆସାମରେ ଅଧିକ ପରିମାଣରେ ବାଂଲାଦେଶୀ ଅଛନ୍ତି । ଏବେ ଆସମରେ ୪୦ ଲକ୍ଷ ଅନୁପବେଶକାରୀ ଥିବା ବେଳେ ପଶ୍ଚିମବଙ୍ଗରେ ୫୭ ଲକ୍ଷ ଅନୁପ୍ରବେଶକାରୀ ଅଛନ୍ତି ।
ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଅଲ୍ ଇଣ୍ଡିଆ ଆସାମ ଷ୍ଟୁଡେଣ୍ଟ ୟୁନିୟନ ସ୍ୱାଗତ କରିଛି । କିନ୍ତୁ ପଡ଼ୋଶୀ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ନାଗରିକତା ପ୍ରଦାନ କରିବା ନେଇ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରୁଛି ଇଣ୍ଡିଆ ଆସାମ ଷ୍ଟୁଡେଣ୍ଟ ୟୁନିୟନ ।