କନକ ବ୍ୟୁରୋ: ଜିଏସଟି ନେଇ ମୋଦୀ ସରକାର ଦେଶବାସୀଙ୍କୁ ପାର୍ବଣ ଉପହାର ଦେବା ପରେ ଏବେ ଚାରିଆଡ଼େ ଉତ୍ସାହ । ଏହାରି ଭିତରେ ଦେଶର ବିଶିଷ୍ଟ ବ୍ୟକ୍ତିମାନେ ନୂଆ ଜିଏସଟି ନୀତିକୁ ପ୍ରଶଂସା କରିଛନ୍ତି । ନୂତନ ନୀତି ଗୁଡ଼ିକ ଭାରତୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି । ଜିଏସଟି ସଂସ୍କାର ଆସିବା ପରେ ଜୋହୋ କମ୍ପାନିର ସିଇଓ ଶ୍ରୀଧର ବେମ୍ବୁ ଆମେରିକା ରାଷ୍ଟ୍ରପତିଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଭାରତ ଏବେ ଦେଖାଇବ ଯେ 'ଡେଡ୍ ଇକୋନୋମି' କାହାକୁ କୁହାଯାଏ । ଆପଣଙ୍କର ମନେଥିବ ଟାରିଫ୍ ପୂର୍ବରୁ ଭାରତକୁ ଆକ୍ଷେପ କରି ଟ୍ରମ୍ପ କହିଥିଲେ ଭାରତର ଅର୍ଥନୀତି ଡେଡ୍  । ଆଉ ଏବେ ନୂଆ GST ନୀତି ଘୋଷଣା ହେବା ପରେ ଦେଶର ଅନେକ ବିଶିଷ୍ଟ ବ୍ୟକ୍ତିମାନେ ଟ୍ରମ୍ପଙ୍କୁ କଟାକ୍ଷ କରିବାରେ ଲାଗିଛନ୍ତି ।

Advertisment

ଶ୍ରୀଧର ବେମ୍ବୁ ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ ଲେଖିଛନ୍ତି, ଟିକସ ହ୍ରାସ ଏବଂ ଘରୋଇ ଉତ୍ପାଦନରେ ନିବେଶକୁ ପ୍ରୋତ୍ସାହିତ କରିବା ହେଉଛି ଘରୋଇ ଚାହିଦା ବୃଦ୍ଧି କରିବାର ସର୍ବୋତ୍ତମ ଉପାୟ ।  ସରକାର ନୂଆ ଜିଏସଟି ନୀତି ଆଣି ଏକ ବୁଦ୍ଧମାନର କାର୍ଯ୍ୟ କରିଛନ୍ତି । ଆଉ ଆମେ ଏବେ ଟ୍ରମ୍ପଙ୍କୁ ଦେଖାଇବୁ ଯେ 'ମୃତ ଅର୍ଥନୀତି' କିପରି ଦେଖାଯାଏ ।' ବେମ୍ବୁ ନିଶ୍ଚିତ ଯେ ଜିଏସଟିରେ ହୋଇଥିବା ସଂସ୍କାର ଗୁଡ଼ିକ ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ।

ଆସନ୍ତା ସେପ୍ଟେମ୍ବର ୨୨ରୁ ଜିଏସଟି ୫% ଏବଂ ୧୮% ଦୁଇଟି ସ୍ଲାବରେ ଲାଗୁ ହେବ । ଦୈନନ୍ଦିନ ବ୍ୟବହାର, ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା କ୍ଷେତ୍ରର ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସଟି ହ୍ରାସ ପାଇବ । ପୂର୍ବରୁ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ପଲିସି ଉପରେ ୧୮% ଟିକସ ଲାଗୁ କରାଯାଉଥିଲା ।  ଏହାକୁ ଏବେ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି । ଅର୍ଥମନ୍ତ୍ରୀ କହିଛନ୍ତି ଏହାଦ୍ବାରା ସାଧାରଣ ଲୋକ, ଶ୍ରମିକ, କୃଷକ ଲାଭବାନ ହେବେ ।'