କନକ ବ୍ୟୁରୋ: ଏଣିକି ବର୍ଷିକିଆ ଫାସ୍‌ଟ୍ୟାଗ୍‌ । ଅର୍ଥାତ୍‌ ବର୍ଷକୁ ଥରେ ପାସ୍‌ କଲେ ପୂରା ବର୍ଷକସାରା ଆପଣଙ୍କୁ ଆଉ ଦେବାକୁ ପଡ଼ିବ ନାହିଁ ଟଙ୍କା । କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରଣାଳୟ ଏହି ନିୟମ ଲାଗୁ ହେବା ପରେ ଗ୍ରାହକ ବି ବେଶ୍‌ ଖୁସି । ସେଇଥି ଲାଗି ତ ଗୋଟିଏ ଦିନରେ ପାଖାପାଖି ୧.୪ ଲକ୍ଷ ଗାଡ଼ି ଚାଳକ ବର୍ଷିକିଆ ପାସ୍‌ ବୁକ୍‌ କରିଛନ୍ତି । ଯେଉଁମାନେ କି ମାତ୍ର ୩ ହଜାର ଟଙ୍କା ଦେଇ ପୂରା ବର୍ଷ ଟୋଲ୍‌ଗେଟ୍‌ରେ ଯାତ୍ରା କରିପାରିବେ ।  

Advertisment

ବର୍ଷିକିଆ ଫାସଟ୍ୟାଗ୍‌କୁ ନେଇ ଗାଡ଼ି ଚାଳକ ବେଶ୍‌ ଖୁସ୍‌
ଗୋଟିଏ ଦିନରେ ୧.୪ ଲକ୍ଷରୁ ଅଧିକ ପାସ୍‌ ହେଲା ବୁକ୍‌
ଅଗଷ୍ଟ ୧୫ରେ ଲାଗୁ ହେଲା ନୂଆ ନିୟମ
ଅଗଷ୍ଟ ୧୬ରେ ପ୍ରବଳ ଆବେଦନ

ପୂର୍ବ ନିର୍ଦ୍ଧାରିତ ନିୟମ ଅନୁସାରେ, ଅଗଷ୍ଟ ୧୫ରେ ପୂରା ଦେଶରେ ଲାଗୁ ହୋଇଛି ନୂଆ ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା । ଏହି ବ୍ୟବସ୍ଥା ଅନୁସାରେ, ଗାଡ଼ି ଚାଳକମାନେ ପୂରା ବର୍ଷକ ପାଇଁ ୩ ହଜାର ଟଙ୍କା ଦେଇ ପାସ୍‌ କରିପାରିବେ । ତେଣୁ ଏକା ସାଙ୍ଗରେ ଟଙ୍କା ଦେଇ ଟୋଲ୍‌ ପାସ୍‌ କରିବାକୁ ଅନେକ ଇଚ୍ଛା କରିଛନ୍ତି ।     

ବାର୍ଷିକ ଫାସଟ୍ୟାଗ୍ ପାସ୍ର କେମିତି କରିବେ ବ୍ୟବହାର?

ବାର୍ଷିକ ପାସ୍ ହେଉଛି NHAI ଦ୍ୱାରା ଆରମ୍ଭ କରାଯାଇଥିବା ଏକ ପ୍ରି-ପେଡ୍ ଟୋଲ୍ ଯୋଜନା ।  ଯାହା କେବଳ ବ୍ୟକ୍ତିଗତ ଏବଂ ଅଣ-ବାଣିଜ୍ୟିକ ଯାନ ଯେପରିକି କାର୍, ଜିପ୍ ଏବଂ ଭ୍ୟାନ୍ ପାଇଁ ଉଦ୍ଦିଷ୍ଟ। ଏହି ଯୋଜନା ଅଧୀନରେ, ଉପଭୋକ୍ତାମାନଙ୍କୁ ଥରକେ ୩,୦୦୦ ଟଙ୍କା ଦେୟ ଦେବାକୁ ପଡ଼ିବ। ଏହି ପାସ୍ ଏକ ବର୍ଷ କିମ୍ବା ୨୦୦ ଥର ଟୋଲ୍ ପ୍ଲାଜା ଅତିକ୍ରମ କରିବା ପର୍ଯ୍ୟନ୍ତ ବୈଧ ରହିବ । ସୂଚନା ଅନୁସାରେ, ଏହା ଦେଶର ପ୍ରାୟ ୧,୧୫୦ ଜାତୀୟ ରାଜପଥ (NH) ଏବଂ ଜାତୀୟ ଏକ୍ସପ୍ରେସୱେ (NE) ଟୋଲ୍ ପ୍ଲାଜାରେ କାର୍ଯ୍ୟକାରୀ ହେଉଛି। ହେଲେ ଏହି ପାସ୍ ରାଜ୍ୟ ରାଜପଥ କିମ୍ବା ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ ଟୋଲ୍ ରାସ୍ତାରେ ବୈଧ ହେବ ନାହିଁ ।

ଏହି ପାସ୍‌ କଲେ ଲାଭ କଣ ?

ବର୍ଷିକିଆ ପାସ୍‌ କଲେ ଗାଡ଼ି ଚାଳକମାନେ ଅନେକ ଲାଭ ପାଇବେ । ଅର୍ଥାତ୍‌ କମ୍‌ ଟଙ୍କାରେ ଅଧିକ ଟୋଲ୍‌ରେ ପାସ୍‌ ମିଳିପାରିବ । ଯେହେତୁ ମାତ୍ର ୩,୦୦୦ ଟଙ୍କାରେ ୨୦୦ ଥର ଯାତ୍ରା କରିବାର ସୁବିଧା ମିଳିବ ତେଣୁ ପ୍ରତି ଟୋଲ୍ରେ ଅତିକ୍ରମ ପିଛା ମାତ୍ର ୧୫ ଟଙ୍କା ଖର୍ଚ୍ଚ ହେବ ।  ଯାହା ନିୟମିତ ଟୋଲ୍ ଦର ତୁଳନାରେ ଯଥେଷ୍ଟ କମ୍ । ଏହା ବ୍ୟତୀତ, ଏହି ପାସ୍ କଲେ ବାରମ୍ବାର ଫାସଟ୍ୟାଗ୍ ରିଚାର୍ଜ କରିବାକୁ ପଡ଼ିବ ନାହିଁ ।

ପାସ୍‌ ଆକ୍ଟିଭ୍‌ କରିବେ କେମିତି ?

ବାର୍ଷିକ ଟୋଲ୍‌ ପାସ୍ ପାଇଁ କୌଣସି ନୂଆ ଫାସଟ୍ୟାଗ୍ କିଣିବାର ଆବଶ୍ୟକତା ନାହିଁ । ଏହାକୁ ଆପଣଙ୍କର ପୂର୍ବରୁ ଥିବା ଫାସଟ୍ୟାଗ୍ ଉପରେ ସକ୍ରିୟ କରାଯାଇପାରିବ। ଏଥିପାଇଁ ଆପଣଙ୍କ ଫାସଟ୍ୟାଗ୍ ଆକ୍ଟିଭ୍‌ ଥିବା ସହ ଗାଡ଼ିର ପଞ୍ଜୀକରଣ ନମ୍ବର ସହିତ ଆଡ୍‌ ହୋଇଥିବ ଏବଂ ଗାଡ଼ି କୌଣସି ପ୍ରକାର ବ୍ଲାକଲିଷ୍ଟ ହୋଇନଥିବା ଆବଶ୍ୟକ । ମୋଟ୍‌ ଉପରେ ବର୍ଷିକିଆ ଫାସ୍‌ଟ୍ୟାଗ୍‌କୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା ଚାଲିଛି । ଯେହେତୁ କମ୍‌ ଟଙ୍କାରେ ଅଧିକ ଟୋଲ୍‌ଗେଟ୍‌ର ପାସ୍‌ କରିବାର ସୁଯୋଗ ମିଳିବ ତେଣୁ ଏହି ପାସ୍‌ କରିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳୁଛି ।