କନକ ବ୍ୟୁରୋ: ଦେଶର ଜଣେ ଚର୍ଚ୍ଚିତ ମହିଳା ଆଇଏଏସ୍ ଦୁର୍ଗା ଶକ୍ତି ନାଗପାଲ ଏବେ ଅଡ଼ୁଆରେ । ତାଙ୍କ ଉପରେ ଦେଢ଼କୋଟି ଟଙ୍କା ଜରିମାନା । ସରକାରୀ କ୍ବାର୍ଟର୍ସକୁ ଯଥାଶୀଘ୍ର ଖାଲି କରିବାକୁ ତାଗିଦ୍ ।
ଆଇଏଏସ୍ ଦୁର୍ଗା ଶକ୍ତି ନାଗପାଲଙ୍କୁ ନୋଟିସ୍ ଜାରି କରିଛି ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନ ବା IARI । ନୋଟିସରେ କୋଟିଏ ୬୩ ଲକ୍ଷ ଜରିମାନା ଭରିବାକୁ ନିର୍ଦ୍ଦେଶ ଅଛି । ଏସବୁ ମାମଲା ସେ ରହୁଥିବା ସରକାରୀ କ୍ବାର୍ଟର୍ସକୁ ନେଇ । ଏ କ୍ବାର୍ଟର୍ସ ଆଇଏଏସ୍ ଦୁର୍ଗା ଶକ୍ତି ନାଗପାଲଙ୍କୁ ୨୦୧୫ରେ ଆଲର୍ଟ ହୋଇଥିଲା । ନୋଟିସରେ ସ୍ପଷ୍ଟ ଲେଖାଯାଇଛି । କ୍ବାର୍ଟର୍ସ ୨୦୨୨ଯାଏଁ ମିଳିଥିବାବେଳେ ଏହା ପରେ ବି ସେ ସେଠାରେ ରହିଥିଲେ । ୨୦୨୨ରୁ ୨୦୨୫, ୩ ବର୍ଷ କାଳ ବେଆଇନ୍ ଭାବେ ସେଠାରେ ରହିଥିଲେ । କ୍ବାର୍ଟର୍ସ ଛାଡ଼ିବାକୁ ନିର୍ଦ୍ଦେଶ ହୋଇଥିଲେ ବି ଛାଡ଼ିନଥିଲେ ଆଇଏଏସ୍ ମାଡାମ୍ । ଏବେ ଏହି ମାମଲାକୁ ନେଇ ସେ ଅଡ଼ୁଆରେ ।
ଦୁର୍ଗା ଶକ୍ତି ନାଗପାଲ୍ ୨୦୧୦ ବ୍ୟାଚ୍ ଉତ୍ତରପ୍ରଦେଶ କ୍ୟାଡରର ଆଇଏଏସ୍ । ଏବେ ସେ ଲଖୀମପୁର ଖେରୀରେ ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ଦାୟିତ୍ବ ତୁଲାଉଛନ୍ତି । ୨୦୧୫ରେ ସେ ଯେତେବେଳେ ତତ୍କାଳୀନ କୃଷିମନ୍ତ୍ରୀ ରାଧାମୋହନ ସିଂହଙ୍କ ବିଶେଷ କାର୍ଯ୍ୟ ଅଧିକାରୀ (OSD) କାର୍ଯ୍ୟଭାର ଗ୍ରହଣ କରିଥିଲେ ସେହି ସମୟରେ ତାଙ୍କୁ ଦିଲ୍ଲୀରେ ଟାଇପ୍ 6A କାଟାଗରୀ କ୍ବାର୍ଟର୍ସ ଆଲର୍ଟ ହୋଇଥିଲ । ସେ ସମୟରେ ଏହାର ମାସିକ ଭଡ଼ା ଓ ପାଣି ବିଲ୍ ଦେଇ ରହୁଥିଲେ ଦୁର୍ଗା ଶକ୍ତି । ୨୦୨୧ରେ ଏ ଦାୟିତ୍ବ ଶେଷ ପରେ ନିଜ କ୍ୟାଡରକୁ ଫେରିଲେ କିନ୍ତୁ ଏ ସରକାରୀ ବଙ୍ଗଳାରେ ରହିଲେ । ୨୦୨୨ରେ ଏହାକୁ ଖାଲି କରିବାକୁ କୃଷି ବିଭାଗ ପକ୍ଷରୁ ନୋଟିସ୍ ହେଲା ,କିନ୍ତୁ ଖାଲି କଲେନି ।
କୃଷି ବିଭାଗର ସୂନା ମୁତାବକ, ୨୦୨୦ରୁ ଏହି ସରକାରୀ ବଙ୍ଗଳା ଖାଲି କରିବାର ନିୟମ ଥିଲା । କିନ୍ତୁ ୨୦୨୨ ପର୍ଯ୍ୟନ୍ତ ଏଠାରେ ରହିବାର ସମୟ ସୀମା ବଢ଼ାଇବାକୁ ଅପିଲ କରିଥିଲେ ଦୁର୍ଗା ଶକ୍ତି । ଏଥିରେ ବିଭାଗ ରାଜି ହୋଲା । ୨୦୨୨ ଏପ୍ରିଲ ଯାଏଁ ସରକାରୀ ବଙ୍ଗଳାରେ ରହିବାକୁ ଅନୁମତି ଦେଲା । କିନ୍ତୁ ଏପ୍ରିଲ ପରେ ରହିଲେ ମାର୍କେଟ ଦର ହିସାବରେ ମାସକୁ ୯୨ ହଜାର ଟଙ୍କା ଭଡ଼ା ଦେବାକୁ ପଡ଼ିବ ବୋଲି ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶ ଦେଲେ । କିନ୍ତୁ ଏପ୍ରିଲ ପରେ ବି ୫ ବର୍ଷ ସରକାରୀ ବଙ୍ଗଳାରେ ରହିଲେ ଦୁର୍ଗା ଶକ୍ତି । ଫଳରେ ଭଡ଼ା ବଢ଼ି ବଢ଼ି ଏବେ କୋଟି କୋଟି ଟଙ୍କା ହେଲାଣି, ଯାହା ଦେବାକୁ ମାଡାମ୍ ବାଧ୍ୟ ।
ନିୟମ ଅନୁସାରେ ଆଲର୍ଟ ସମୟ ସରିବା ପରେ ୬ ରୁ ୮ ମାସ ଅଧିକ ସମୟ ଯାଏଁ ଜଣେ ଅଧିକାରୀ ସରକାରୀ କ୍ବାର୍ଟର୍ସରେ ରହିପାରିବେ । କିନ୍ତୁ ଆଇଏଏସ୍ ଦୁର୍ଗା ଶକ୍ତି ନାଗପାଲ ଏ ନିୟମକୁ ଉଲଂଘନ କରି ଦୀର୍ଘଦିନ ଧରି କ୍ବାର୍ଟର୍ସରେ ରହିବାକୁ ନେଇ ସମ୍ପୃକ୍ତ ବିଭାଗ କଠୋର ହୋଇଛି । କେବଳ ଏ ଘଟଣା ନୁହେଁ ଅନେକ ସମୟରେ ଅଧିକାରୀମାନେ କ୍ବାର୍ଟର୍ସ ଉପରେ କବଜା କରି ରହିବା ଅଭିଯୋଗ ହେବା ପରେ ଏହି ମାମଲା ଅଦାଲତ ଯାଏଁ ଯାଇସାରିଛି । ତଥାପି ସୁଧୁରୁନାହାନ୍ତି ଅଧିକାରୀ ।