କନକ ବ୍ୟୁରୋ : ପହଲଗାମ ଆତଙ୍କୀ ହମ୍‌ଲା ପୁଣି ଥରେ ଭାରତ-ପାକିସ୍ତାନ ସମ୍ପର୍କରେ ତିକ୍ତତା ବଢ଼ାଇଛି । ଏହି ବର୍ବର କାଣ୍ଡରେ ଚାଲିଗଲା ୨୬ଟି ନିରୀହ ଜୀବନ । ଏ ଆତଙ୍କବାଦୀ ଆକ୍ରମଣ ସାରା ଦେଶକୁ ସ୍ତବ୍ଧ କରି ଦେଇଛି । ସ୍ମୃତି ସାଉଁଟିବାକୁ ଯାଇଥିବା ପର୍ଯ୍ୟଟକଙ୍କୁ ପହଲଗାମରେ ମୃତ୍ୟୁ ଅପେକ୍ଷା କରିଥିବ, କେହି କେବେ କଳ୍ପନା କରିନଥିଲେ । ଏହି ଘଟଣା ପରେ ଘନଘନ ଉଚ୍ଚସ୍ତରୀୟ ବୈଠକ ହେଉଛି । ଏହାକୁ ନେଇ ପାକିସ୍ତାନର ସେନା ଅଧିକାରୀଙ୍କ ମଧ୍ୟରେ ବି ଛନକା ପଶିଛି । ଜାତୀୟ ମିଡିଆ ରିପୋର୍ଟ ମୁତାବକ କେନ୍ଦ୍ର ସରକାରଙ୍କ ଆକ୍ସନ ମୋଡ୍‌ ଦେଖି ପାକିସ୍ତାନରେ ବି ହଇଚଇ ସୃଷ୍ଟି ହେଲାଣି । ଏଲ୍‌ଓସି ନିକଟରେ ଥିବା ସମସ୍ତ ପ୍ରଶିକ୍ଷଣ ଶିବିରଗୁଡ଼ିକୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । 

Advertisment

୨୦୧୬ ଉରୀ ଆତଙ୍କୀ ଆକ୍ରମଣ ଓ ୨୦୧୯ ପୁଲୱାମା ଆଟାକ୍‌ ପରେ ଭାରତ ସର୍ଜିକାଲ ଷ୍ଟ୍ରାଇକ୍ ଓ ଏୟାର ଷ୍ଟ୍ରାଇକ୍‌ କରିଥିଲା । ଯାହାଦ୍ୱାରା ଅନେକ କ୍ଷତି ସହିଥିଲେ ଆତଙ୍କୀ ସଂଗଠନ । ସେହି ସମୟରେ ହିଁ ଆତଙ୍କବାଦକୁ ଭାରତ କୌଣସି ମତେ ପ୍ରଶୟ ଦେବ ନାହିଁ ବୋଲି ସନ୍ଦେଶ ଦେଇଥିଲା । ପହଲଗାମ ଆତଙ୍କୀ ଆକ୍ରମଣ ପରେ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ସାଉଦି ଆରଦ ଗସ୍ତକୁ କାଣ୍ଟଛାଣ୍ଟ କରି ଫେରି ଆସିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ଗତକାଲି ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ପ୍ରତିରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ସିସିଏସ୍ ବୈଠକ କରିଥିଲେ । ଏଥିରେ ତିନି ସେନାମୁଖ୍ୟ ବି ସାମିଲ ଥିଲେ । ଏହାପରେ ପାକିସ୍ତାନ ନାଗରିକଙ୍କୁ ଭାରତ ମନା ହୋଇଛି । ୧୯୬୦ ସିନ୍ଧୁ ଜଳ ସନ୍ଧିକୁ ବି ରଦ୍ଦ କରାଯାଇଛି । 

ପହଲଗାମ ବର୍ବର କାଣ୍ଡର ବଦଲା ନେବାକୁ ରକ୍ତ ଚାଉଳ ଚୋବାଉଛନ୍ତି ପୂରା ଦେଶବାସୀ । ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଓ ଏୟାର ଷ୍ଟ୍ରାଇକ୍‌ ଭଳି କାଉଣ୍ଟର ଆଟାକ୍‌ କିମ୍ବା ତାଠାରୁ କୌଣସି ବଡ଼ ପଦକ୍ଷେପ ନେବାକୁ ଦାବି କରିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ । ସେପଟେ ମୋଦୀ ବି କହିଛନ୍ତି ଯେ, ପହଲଗାମ ବର୍ବରକାଣ୍ଡ ଘଟାଇଥିବା ଆତଙ୍କୀ ୭ ପାତାଳରେ ଲୁଚିଥିଲେ ବି ବଞ୍ଚିପାରିବେ ନାହିଁ । ଆତଙ୍କବାଦୀଙ୍କୁ ମାଟିରେ ମିଶାଇବା ସମୟ ଆସିଯାଇଛି ।

ଗତ ଏପ୍ରିଲ ୨୨ ତାରିଖରେ ପହଲଗାମରେ ଛୁଟି କଟାଉଥିବା ନିରୀହ ପର୍ଯ୍ୟଟକଙ୍କ ଉପରେ ଗୁଳିମାଡ଼ କରିଥିଲେ ଆତଙ୍କୀ । କେତେକ ପର୍ଯ୍ୟଟକଙ୍କୁ ପଏଣ୍ଟ୍‌ ବ୍ଲାଙ୍କରୁ ଗୁଳି କରାଯାଇଥିଲା । ସବୁଠାରୁ ବଡ଼ କଥା ହେଉଛି ମୃତ୍ୟୁ ପୂର୍ବରୁ ମୃତକଙ୍କୁ ସେମାନଙ୍କ ନାଁ ଓ ଧର୍ମ ବିଷୟରେ ପଚରା ଯାଇଥିଲା । ଏହାପରେ ତାଙ୍କ ଉପରେ ଗୁଳି ବର୍ଷଣ କରିଦେଇଥିଲେ ଆତଙ୍କୀ । ଜବାବରେ ଭାରତ ଡିଜିଟାଲ ଷ୍ଟ୍ରାଇକ୍ ପରେ ଏବେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିବ ନା ଆଉ କିଛି ବଡ଼ ରଣନୀତି କରି ଶତ୍ରୁକୁ ନିପାତ କରିବ, ତାହା ଉପରେ ଏବେ ସାରା ବିଶ୍ୱର ନଜର ।