କନକ ବ୍ୟୁରୋ : କଳଙ୍କିତ ଅଧ୍ୟାୟରେ ଲେଖା ହୋଇଛି କି ଆଇପିଏଲର ସଫଳତମ ଟିମର କାହାଣୀ । ସତରେ ମ୍ୟାଚ୍ ଫିକ୍ସିଂ କରୁଥିଲା କି ଚେନ୍ନାଇ ସୁପରକିଙ୍ଗ୍ସ ? ଏକଥା ଆମେ କହୁନାହୁଁ ବରଂ କହିଛନ୍ତି ଖୋଦ ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦୀ । ଚେନ୍ନାଇ ସୁପରକିଙ୍ଗ୍ସର ସଫଳତା ପଛରେ କଳଙ୍କିତ ଅଧ୍ୟାୟ ରହିଛି ବୋଲି ସେ ଦାବି କରିଛନ୍ତି । ସେ କହିଛନ୍ତି, ଚେନ୍ନାଇ ସୁପରକିଙ୍ଗ୍ସର ମାଲିକ ତଥା ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଏନ୍ ଶ୍ରୀନିବାସନ ମ୍ୟାଚ୍ ଅମ୍ପାୟାରଙ୍କ ସହ ଫିକ୍ସିଂ କରୁଥିଲେ । କେବଳ ସେତିକକି ନୁହେଁ ବର ଆଇପିଏଲ ଅକ୍ସନରେ ମଧ୍ୟ ହେରଫେର୍ କରୁଥିଲେ ।

Advertisment

ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦୀଙ୍କ ମନ୍ତବ୍ୟକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ଚେନ୍ନାଇ ସୁପରକିଙ୍ଗ୍ସ ବିରୋଧରେ ଆଣିଲେ ସାଙ୍ଘାତିକ ଅଭିଯୋଗ । ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରରେ ଲାଗିଛି । ଚେନ୍ନାଇ ଫ୍ୟାନ୍ସ ବି ଏକଥା ଶୁଣି ତାଜୁବ । ଆଇପିଏଲର ସଫଳତମ ଟିମ୍ ଚେନ୍ନାଇ ସୁପରକିଙ୍ଗ୍ସ ଫିକ୍ସିଂ କରୁଥିବା ନେଇ ପୋଡକାଷ୍ଟରେ ଦାବି କରିଛନ୍ତି । ଚେନ୍ନାଇ ଟିମର ମାଲିକ ଏନ୍ ଶ୍ରୀନିବାସନ ମ୍ୟାଚ୍ ଅମ୍ପାୟାରଙ୍କ ସହ ଫିକ୍ସିଂ କରୁଥିବା ନେଇ ଅଭିଯୋଗ ଆଣିଛନ୍ତି । ଏମିତିକି ଅକ୍ସନ ବେଳେ ଖେଳାଳିଙ୍କୁ ନେବା ପାଇଁ ମଧ୍ୟ ଷଡ଼ଯନ୍ତ୍ର ରଚିଥିବା ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।

ଲଲିତ କହିଛନ୍ତି, ଆଇପିଏଲର ଦ୍ୱିତୀୟ ସଂସ୍କରଣରେ ଇଂଲଣ୍ତର ପୂର୍ବତନ ଷ୍ଟାର ଅଲରାଉଣ୍ତର ଆଣ୍ତ୍ର୍ୟୁ ଫ୍ଲିନଟଫଙ୍କୁ ନିଜ ଟିମରେ ସାମିଲ କରିବା ପାଇଁ ଚେନ୍ନାଇ ଅକ୍ସନରେ ହେରଫେର୍ କରିଥିଲା । ସେ ତାଙ୍କୁ ଏଥିରେ ସାହାଯ୍ୟ କରିଥିଲେ । ଏଥିରେ କୌଣସି ସନ୍ଦେହ ନାହିଁ । ଏ ବିଷୟରେ ସବୁ ଟିମ୍ ମଧ୍ୟ ଜାଣିଥିଲେ । ଏହା ନ କରିଥିଲେ ସେ ଆଇପିଏଲ ହେବାକୁ ଦେଇ ନଥାନ୍ତେ । ସେ ଆଇପିଏଲ ବୋର୍ଡ ପାଇଁ କଣ୍ଟା ଥିଲେ । ମୁଁ ସବୁ ଟିମକୁ କହିଥିଲି କି ଫ୍ଲିନଟଫଙ୍କ ପାଇଁ କେହି ବିଡ୍ ଉଠାଇବେ ନାହିଁ । କାହିଁକି ନା ଶ୍ରୀନିବାସନ କହିଥିଲେ ତାଙ୍କୁ ଫ୍ଲିନଟଫ୍ ଦରକାର ।

ସେ ଆହୁରି କହିଛନ୍ତି, ଆଇପିଏଲରେ ଅମ୍ପାୟାର ଫିକ୍ସିଂ ନେଇ ଚେନ୍ନାଇ ତାଙ୍କ ଉପରେ ଅଭିଯୋଗ ଲଗାଇଲେ । ସେ ମଧ୍ୟ ତାଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ । ଏନ୍ ଶ୍ରୀନିବାସନ ଚେନ୍ନାଇ ମ୍ୟାଚ୍ ହେବା ପୂର୍ବରୁ ଅମ୍ପାୟାର ବଦଳାଇ ଦେଉଥିଲେ । ଯେତେବେଳେ ସେ ଏ ବିଷୟରେ ଜାଣିପାରିଲେ, ସେ ବିରୋଧ କରିଥିଲେ ।

ଲଳିତ ମୋଦୀଙ୍କ ଏଭଳି ମନ୍ତବ୍ୟ ଏବେ ଚେନ୍ନାଇ ଫ୍ୟାନ୍ସଙ୍କୁ ଦୋହଲାଇ ଦେଇଛି । କାହିଁକି ନା ପୂର୍ବରୁ ମଧ୍ୟ ମ୍ୟାଚ୍ ଫିକ୍ସିଂ ଓ ବେଟିଙ୍ଗକୁ ନେଇ ଦଳକୁ ୨ ବର୍ଷ ପାଇଁ ବ୍ୟାନ କରାଯାଇଥିଲା । ୨୦୧୬ ଏବଂ ୨୦୧୭ ରେ ଚେନ୍ନାଇ ସୁପକିଙ୍ଗ୍ସକୁ ବ୍ୟାନ କରାଯାଇଥିଲା । ତେବେ ଲଳିତଙ୍କ ମନ୍ତବ୍ୟ ସତ ନା ମିଛ, ଏନେଇ କ୍ରିକେଟପ୍ରେମୀ ଦ୍ୱନ୍ଦ୍ୱରେ ଅଛନ୍ତି । ଆଇପିଏଲର ସଫଳତମ ଟିମ୍ ତାଲିକାରେ ଚେନ୍ନାଇ ସୁପରକିଙ୍ଗ୍ସ ରହିଛି । ଆଇପିଏଲରେ ମୋଟ ୫ ଥର ଟ୍ରଫି ହାତେଇବାରେ ସଫଳ ହୋଇଛି ।