କନକ ବ୍ୟୁରୋ: ଜମିଲାଣି ବିହାର ରାଜନୀତି । ଖାସ୍ କରି ରାହୁଲ ଗାନ୍ଧୀ ବିହାରରେ ୧୬ ଦିନିଆ ଡେରା ପକାଇବା ପରେ ଏବେ ବିହାର ରାଜନୀତି ଆହୁରି ଉଷ୍ମ ହେଲାଣି । କାରଣ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିହାରରେ ରାଲି କରିବା ସହିତ କେମିତି ଭୋଟ୍ ଚୋରି ନହେବ ସେନେଇ ବୈଠକ କରୁଛନ୍ତି । ଆଉ ଏହାରି ଭିତରେ ପ୍ରଶାନ୍ତ କିଶୋର କହିଛନ୍ତି, ରାହୁଲ ବିହାରର ସବୁ ଜିଲ୍ଲାର ନାଁ ଜାଣିନାହାନ୍ତି । ସେ ବିହାରରେ ବୁଲିଲେ କୌଣସି ପ୍ରଭାବ ପଡ଼ିବ ନାହିଁ ।
ରାହୁଲଙ୍କୁ ବିହାରର ଜିଲ୍ଲାର ନାଁ ଜଣାନାହିଁ
ସେ ବିହାର ଆସିଲେ କଣ କରିବେ
ଏମିତି କହି ବର୍ଷିଲେ ପ୍ରଶାନ୍ତ କିଶୋର
ପ୍ରଶାନ୍ତଙ୍କ ଟାର୍ଗେଟ୍ରେ ରାହୁଲ
କହିଲେ, ବିହାର ସହ ରାହୁଲଙ୍କର ନାହିଁ କୌଣସି ସମ୍ପର୍କ
ବିହାର ରାଜନୀତିକୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା ହେଲାଣି । କାରଣ ବର୍ଷ ଶେଷ ଆଡ଼କୁ ବିହାରରେ ନିର୍ବାଚନ ହେବାକୁ ଯାଉଛି । ତେଣୁ ଏବେଠୁ ବିଭିନ୍ନ ରାଜନୈତିକ ଦଳ ବିହାରରେ ଡେରା ପକାଇଲେଣି । ଆଉ ଏଥିରୁ ବାଦ୍ ପଡ଼ିନାହାନ୍ତି ରାହୁଲ ଗାନ୍ଧୀ । ୧୬ ଦିନିଆ ପଦଯାତ୍ରା କରି କେନ୍ଦ୍ର ସରକାର ଓ ବିହାର ସରକାରଙ୍କ ଉପରେ ପ୍ରବଳ ବର୍ଷୁଛନ୍ତି । ଏମିତିକି କଂଗ୍ରେସ ବି ବିହାର ଦଖଲର ସ୍ବପ୍ନ ଦେଖୁଛି । ହେଲେ ପ୍ରଶାନ୍ତଙ୍କ ବୟାନ ପରେ କଂଗ୍ରେସର ବିହାର ଦଖଲ କରିବା ସ୍ବପ୍ନ କେବଳ ସ୍ବପ୍ନରେ ହିଁ ରହିଯିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।
ପ୍ରଶାନ୍ତ ନିଜର 'ଜନ ସୁରାଜ' ପଦଯାତ୍ରା ସମୟରେ ମୁଜାଫରପୁରରେ ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି, "ରାହୁଲ ଗାନ୍ଧୀଙ୍କର ବିହାର ସହ କ'ଣ ସମ୍ପର୍କ ଅଛି? ସେ ବିହାରର ଜିଲ୍ଲାର ନାଁ ମଧ୍ୟ କହିପାରିବେ ନାହିଁ । ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ଲୋକମାନେ ଶେଷଥର ପାଇଁ ରାହୁଲ ଗାନ୍ଧୀଙ୍କୁ କେବେ ରାଜ୍ୟରେ ଦେଖିଥିଲେ କିମ୍ବା ବିହାର ସମ୍ବନ୍ଧୀୟ କୌଣସି ପ୍ରସଙ୍ଗରେ ତାଙ୍କୁ କହିବାର ଶୁଣିଥିଲେ । କିଶୋର ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଦୀର୍ଘ ୪୦ ବର୍ଷର ଶାସନ କାଳରେ ବିହାରକୁ ବରବାଦ କରିଦେଇଛି, ଯାହା ଫଳରେ ରାଜ୍ୟରେ ଦଳର ଭୋଟ୍ ଅଂଶ ମାତ୍ର ୫ ପ୍ରତିଶତକୁ ଖସି ଆସିଛି । ଏହାପରେ ବି ସେ କେମିତି ବିହାର ଦଖଲର ସ୍ବପ୍ନ ଦେଖୁଛନ୍ତି ସେନେଇ ପ୍ରଶ୍ନ କରିଛନ୍ତି ପ୍ରଶାନ୍ତ କିଶୋର ।
ରାହୁଲଙ୍କ ନାଁରେ ପ୍ରଶାନ୍ତଙ୍କ ସାଙ୍ଘାତିକ ଅଭିଯୋଗ
କହିଲେ, ଭୋଟରଙ୍କୁ ମୁର୍ଖ ବନାଇବା ସହଜ ନୁହେଁ
ପ୍ରଶାନ୍ତ କିଶୋର। ବିଚକ୍ଷଣ ରାଜନୈତିକ ସମୀକ୍ଷକ । କୁହାଯାଏ ସେ ଯେଉଁ ରାଜ୍ୟରେ ଯାଇ ଯେଉଁ ଦଳ ପାଇଁ କାମ କରନ୍ତି ସେ ଦଳ ସେ ରାଜ୍ୟରେ ବିଜୟ ହୁଏ । ହେଲେ ଏଥର ବିହାରକୁ ନେଇ ରାହୁଲଙ୍କ ସେ ଯେଉଁପରି ଭାବରେ ସମାଲୋଚନା କରିଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସଫାସଫା କହିଛନ୍ତି, ବିହାରର ଭୋଟରଙ୍କୁ ମୁର୍ଖ ବନାଇବା ଏତେ ସହଜ ନୁହେଁ । ଯେଉଁ ସମୟରେ ବେକାର ଯୁବକମାନେ ଦୁଆର ଦୁଆର ବୁଲୁଥିଲେ କିମ୍ବା କରୋନା ସମୟରେ ପ୍ରବାସୀ ଶ୍ରମିକମାନେ ଘରକୁ ଚାଲି ଚାଲି ଫେରୁଥିଲେ, ସେତେବେଳେ ରାହୁଲ ଗାନ୍ଧୀ କେଉଁଠି ଥିଲେ? ଦିଲ୍ଲୀରେ ବସି କେବଳ ବୟାନ ଦେଲେ ଲୋକଙ୍କର କେହି ବିଶ୍ବାସଭାଜନ ହୁଅନ୍ତି ନାହିଁ ବୋଲି ପ୍ରଶାନ୍ତ କହିଛନ୍ତି ।
କଂଗ୍ରେସକୁ ଚ୍ୟାଲେଞ୍ଜ ଦେଲେ ରାହୁଲ
କହିଲେ, ସାହସ ଅଛି ତ ଗାଁରେ ରହି ଦେଖାନ୍ତୁ
ପ୍ରଶାନ୍ତ ରାହୁଲଙ୍କୁ ତୀବ୍ର ସମାଲୋଚନା କରିବା ପରେ କହିଛନ୍ତି, ସହରରେ ରହି ନେତା ହେବାର ସ୍ବପ୍ନ ଦେଖିବା ବୃଥା । ଯଦି ସାହସ ଅଛି ତେବେ ବିହାରର ଏକ ଗାଁରେ ଗୋଟିଏ ରାତିକାଟି ଦେଖାନ୍ତୁ ରାହୁଲ । ସେପଟେ କଂଗ୍ରେସ ଏନେଇ ପ୍ରଶାନ୍ତଙ୍କ ଉପରେ ଜୋରଦାର ବର୍ଷିଛି । କହିଛି, ପ୍ରଶାନ୍ତ ବିଜେପିର ଏଜେଣ୍ଟ। ତାଙ୍କ କଥାରେ କୌଣସି ବାସ୍ତବତା ନାହିଁ । ବିହାରରେ ଏଥର କଂଗ୍ରେସ ଭଲ ପ୍ରଦର୍ଶନ କରିବ ସେଥିରେ କୌଣସି ସନ୍ଦେହ ନାହିଁ । ତେବେ ଆଗାମୀ ଦିନରେ ସମୟ କହିବ ବିହାରରେ ରାଜନୀତିରେ କିଏ କରୁଛି ରାଜ ।