ଧୀରେ ଧୀରେ କଡ଼ ଲେଉଟାଉଛି କରୋନା । ନାଁ ଶୁଣିଲେ ଲାଗୁଛି ଭୟ । ପୁଣି ଏସିଆ ମହାଦେଶରେ ବଢ଼ିଲାଣି ସଂକ୍ରମଣ । ପୁରୁଣା ଭୟ ଲୋକଙ୍କ ମନରୁ ହଟିନଥିବା ବେଳେ ପୁଣି ନିଜ କାୟା ବିସ୍ତାର କଲାଣି ଏହି ମହାମାରୀ । ୨୦୧୯ରୁ ୨୦୨୨ ମଧ୍ୟରେ ପୂରା ବିଶ୍ୱକୁ ପ୍ରଭାବିତ କରିଥିଲା ଏହି ମହାମାରୀ । ପ୍ରଥମେ ଚୀନରେ ଦେଖା ଦେଇଥିବା ଏହି ଭୂତାଣୁ ଧୀରେ ଧୀରେ ପୂରା ବିଶ୍ୱକୁ କବଳିତ କରିଥିଲା ।
ଏସିଆ ମହାଦେଶରେ କରୋନା ଭୟ । ବଢୁଛି ସଂକ୍ରମଣ, ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଦକ୍ଷିଣ ପୂର୍ବ ଏସିଆର ସିଙ୍ଗାପୁର, ଚୀନ, ଥାଇଲାଣ୍ଡ ଓ ହଂକଂ ଭଳି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । କରୋନାର ଏକାଧିକ ଭ୍ୟାରିଏଣ୍ଟ ଯୋଗୁଁ ସଂକ୍ରମଣ ବଢୁଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏନେଇ ଚୀନ, ଥାଇଲାଣ୍ଡ, ସିଙ୍ଗାପୁରରେ ଆଲର୍ଟ ମଧ୍ୟ ଜାରି କରାଯାଇଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ରିପୋର୍ଟ ଅନୁସାରେ କରୋନା ମହାମାରୀରେ ବିଶ୍ୱରେ ମୋଟ ୭୭ କୋଟି ୭୭ ଲକ୍ଷରୁ ଅଧିକ ଲୋକେ ସଂକ୍ରମିତ ହୋଇଛନ୍ତି । ସେଥିମଧ୍ୟରୁ ୭୦ ଲକ୍ଷ ୯୫ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏବେ ପୁଣି ଏସିଆ ମହାଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ଦକ୍ଷଣ ପୂର୍ବ ଏସିଆର ସିଙ୍ଗାପୁର, ଚୀନ, ଥାଇଲାଣ୍ଡ ଓ ହଂକଂ ଭଳି ଦେଶରେ କରୋନାର ଏକାଧିକ ଭ୍ୟାରିଏଣ୍ଟ ଯୋଗୁଁ ସଂକ୍ରମଣ ବଢୁଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ସିଙ୍ଗାପୁରରେ ସଂକ୍ରମିତଙ୍କ ସଂଖ୍ୟା ୨୮%କୁ ବୃଦ୍ଧି ପାଇଛି । ଏପ୍ରିଲ ଶେଷ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ଥିଲା ୧୧,୧୧୦ । ମେ ପ୍ରଥମ ସପ୍ତାହରେ ଏହା ୧୪,୨୦୦କୁ ବୃଦ୍ଧି ପାଇଛି । ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ୩୦% ବଢ଼ିଛି । ଚୀନ ଓ ଥାଇଲାଣ୍ଡରେ ଆଲର୍ଟ ଜାରି କରାଯାଇଛି ।
ପୂର୍ବରୁ ଭାରତରେ କୋଭିଡର ୩ଟି ଲହର ଆସିଥିଲା । ୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଛି ମହାମାରୀ । ୨୦୨୦ ଜାନୁଆରିରେ ସାମ୍ନାକୁ ଆସିଥିଲା ପ୍ରଥମ ମାମଲା । ୨୦୨୦ ମାର୍ଚ୍ଚରେ ଦେଶବ୍ୟାପୀ ଲକ୍ଡାଉନ ଲାଗୁ ବି ହୋଇଥିଲା । ଜାନୁଆରି ୨୦୨୦ରୁ ଫେବ୍ରୁଆରି ୨୦୨୧ ଯାଏ କୋଭିଡର ପ୍ରଥମ ଲହର ରହିଥିଲା । ୧ କୋଟିରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ଦେଢ଼ ଲକ୍ଷରୁ ଅଧିକଙ୍କ ମୃତ୍ୟୁ ହୋଇଥିଲା ।
ସେହିପରି ମାର୍ଚ୍ଚ ୨୦୨୧ରୁ ମେ ୨୦୨୧ ଯାଏ କୋଭିଡର ଦ୍ୱିତୀୟ ଲହର ରହିଥିଲା । ଦ୍ୱିତୀୟ ଲହରରେ ଘାତକ ହୋଇଥିଲା ‘ଡେଲଟା’ ଭାରିଏଣ୍ଟ । ୧ ଲକ୍ଷ ୬୯ ହଜାର ଲୋକଙ୍କ ଜୀବନ ଯାଇଥିଲା । ଡିସେମ୍ବର ୨୦୨୧ରୁ ଫେବ୍ରୁଆରି ୨୦୨୨ ଯାଏ ତୃତୀୟ ଲହର ଆଣିଥିଲା ‘ଓମିକ୍ରନ’ ଭାରିଏଣ୍ଟ । ଓମିକ୍ରନ ଭାରିଏଣ୍ଟରେ ମୃତ୍ୟୁ ହାର ମାତ୍ର ୦.୨% ଥିଲା । ୫୦ ଲକ୍ଷରୁ ଅଧିକ ସଂକ୍ରମିତ, ୧୦,୪୬୫ ଜଣଙ୍କ ମୃତ୍ୟୁ ହୋଇଥିଲା ।
ପୂର୍ବରୁ କୋଭିଡର ଭୟାବହତା ଦେଖିଛି ଭାରତ । ଏବେ ପୁଣି ଏସିଆରେ ସଂକ୍ରମଣ ବଢୁଥିବାରୁ ଭାରତକୁ ଏନେଇ ଆଗରୁ ସଜାଗ ରହିବାକୁ ପଡ଼ିବ ।