କନକ ବ୍ୟୁରୋ : ‘ମୁଁ ଆଉ ବଞ୍ଚିପାରିବି ନାହିଁ, ଦୟାକରି ମୋତେ କ୍ଷମା କର । ସେମାନେ ମୋତେ ମାନସିକ ସ୍ତରରେ ନିର୍ଯାତନା ଦେଇଛନ୍ତି, ଅପମାନିତ କରିଛନ୍ତି । ମୁଁ ସେମାନଙ୍କ ଯୋଗୁଁ ଦୀର୍ଘ ସମୟ ଧରି ଡିପ୍ରେସନରେ ଥିଲି…’ ଏହା ଥିଲା ଶାରଦା ୟୁନିଭର୍ସିଟିର ଛାତ୍ରୀ ଜ୍ୟୋତିଙ୍କ ଶେଷ କଥା । ଏକ ସୁଇସାଇଡ୍ ନୋଟରେ ନିଜର ଯନ୍ତ୍ରଣା ଲେଖି ହଷ୍ଟେଲ ରୁମରେ ଆତ୍ମହତ୍ୟା କରିଛନ୍ତି ଜ୍ୟୋତି । କିଛି ଦିନ ତଳେ ଓଡ଼ିଶାରେ ଅଧ୍ୟାପକଙ୍କ କାରଣରୁ ବାଲେଶ୍ବର FM ବିଶ୍ବବିଦ୍ୟାଳୟରେ ଛାତ୍ରୀ ଆତ୍ମାହୁତି ଘଟଣା ଥମିନଥିବା ବେଳେ ଏବେ ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରୁ ଛାତ୍ରୀ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି । 

Advertisment
sharda
sharda Photograph: (google)

ଗୁରୁଗ୍ରାମର ଅଶୋକ ବିହାରରେ ରହୁଥିବା ଜ୍ୟୋତି ଗ୍ରେଟର ନୋଏଡାର ଶାରଦା ୟୁନିଭର୍ସିଟିରେ ବିଡିଏସ୍ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ । ଶୁକ୍ରବାର ମଣ୍ଡେଲା ଗର୍ଲ୍ସ ହଷ୍ଟେଲରେ ନିଜ ରୁମ୍ ଭିତରେ ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଥିଲେ । ଏହା ସହିତ ସେ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଛାଡି ଯାଇଛନ୍ତି ଯେଉଁଥିରେ ଜ୍ୟୋତି ଦୁଇ ଜଣ ପ୍ରଫେସରଙ୍କୁ ନିଜ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି । ବର୍ତ୍ତମାନ ଏହି ମାମଲାରେ ଉକ୍ତ ଦୁଇ ଜଣ ପ୍ରଫେସରଙ୍କୁ ସସପେଣ୍ଡ କରାଯାଇଛି । ପୁଲିସ ମାମଲାର ତଦନ୍ତ କରୁଛି । ସୁଇସାଇଡ୍ ନୋଟରେ ଜ୍ୟୋତି ଲେଖିଛନ୍ତି ‘ଯଦି ମୋର ମୃତ୍ୟୁ ହୁଏ ତେବେ ଏଥିପାଇଁ ପିସିପି ଏବଂ ଡେଣ୍ଟାଲ ମେଡିକାଲର ଶିକ୍ଷକମାନେ ଦାୟୀ ରହିବେ । ମହେନ୍ଦ୍ର ସାର୍ ଏବଂ ଶେରୀ ମ୍ୟାମ୍ ମୋ ମୃତ୍ୟୁ ପାଇଁ ଦାୟୀ ଅଟନ୍ତି ।’ ଆଗକୁ ଜ୍ୟୋତି ଲେଖିଛନ୍ତି ‘ମୁଁ ଚାହେ ସେମାନେ ଜେଲ୍ ଯାଆନ୍ତୁ । ସେମାନେ ମୋତେ ମାନସିକ ସ୍ତରରେ ନିର୍ଯାତନା ଦେଇଛନ୍ତି, ଅପମାନିତ କରିଛନ୍ତି । ମୁଁ ସେମାନଙ୍କ ଯୋଗୁଁ ଦୀର୍ଘ ସମୟ ଧରି ଡିପ୍ରେସନରେ ଥିଲି । ମୁଁ ଚାହେ ସେମାନେ ମଧ୍ୟ ମୋର କଷ୍ଟକୁ ଅଙ୍ଗେ ନିଭାନ୍ତୁ । ଦୟାକରି ମୋତେ କ୍ଷମା କର, ମୁଁ ଆଉ ବଞ୍ଚିପାରିବି ନାହିଁ ।’ ଅନ୍ୟପକ୍ଷରେ ଘଟଣା ପରେ ପରିବାର ଲୋକ ଏବଂ ଛାତ୍ରମାନେ ଉତ୍ତେଜିତ ହୋଇ ବିରୋଧ ପ୍ରଦର୍ଶନ କରିଥିଲେ । ଛାତ୍ରମାନେ ପ୍ରଦର୍ଶନ କରି ନ୍ୟାୟ ଦାବି କରିଥିଲେ । ଏହି ସମୟରେ ପୁଲିସ ଏବଂ ଛାତ୍ରମାନଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ମଧ୍ୟ ହୋଇଥିଲା ।

Jyoti
Jyoti Photograph: (google)

ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଜ୍ୟୋତି ରୁମରେ ଏକୁଟିଆ ଥିଲେ ଏବଂ ଅନ୍ୟ ସାଙ୍ଗମାନେ ବାହାରକୁ ଯାଇଥିଲେ । ସନ୍ଧ୍ୟା ପ୍ରାୟ ୭ଟା ବେଳେ ଜଣେ ଛାତ୍ରୀ ରୁମକୁ ଆସିଥିଲେ ଏବଂ ରୁମର କବାଟ ଭିତରୁ ବନ୍ଦ ଥିଲା । ଛାତ୍ରୀ ଜଣକ ପୁଲିସକୁ କହିଥିଲେ ଯେ ସେ ଦୁଇଥର ଧକ୍କା ଦେବାରୁ କବାଟ ଖୋଲି ଯାଇଥିଲା । ଦେଖିଲା ବେଳକୁ ଜ୍ୟୋତି ପଙ୍ଖାରେ ଝୁଲୁଥିଲେ । ଏହାପରେ ସେ ୱାର୍ଡେନ ଏବଂ ଅନ୍ୟ ଛାତ୍ରମାନଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ । ଛାତ୍ରମାନେ କହିଛନ୍ତି ଜ୍ୟୋତିଙ୍କ ଉପରେ ଏକ ମିଥ୍ୟା ସାଇନ୍ କରିବାର ଅଭିଯୋଗ ଲଗାଯାଇଥିଲା । ଯେଉଁ କାରଣରୁ ସେ ବହୁତ ଅସୁବିଧାରେ ଥିଲେ । ତିନି ଦିନ ଧରି ତାଙ୍କୁ ପିସିପି ବିଭାଗରୁ ବାହାର କରି ଦିଆଯାଇଥିଲା । ଫାଇଲ HODଙ୍କୁ ଦିଆଯାଇଥିଲା । HOD ଜ୍ୟୋତିଙ୍କୁ ପରିବାରକୁ ଡାକିବା ପାଇଁ କହିବା ସହ ନିଜେ ଫାଇଲରେ ସାଇନ୍ କରିବା କଥା ମଧ୍ୟ କହିଥିଲେ । ସୋମବାର ଦିନ ପରିବାର ଆସିଥିଲେ ତା’ପରେ ଯାଇ ଜ୍ୟୋତି ଫାଇଲ ଫେରି ପାଇଥିଲେ । କିନ୍ତୁ ବାରମ୍ବାର ଫେଲ୍ କରିଦେବାକୁ ଧମକ ଦେବାରୁ ଜ୍ୟୋତି ଡିପ୍ରେସନରେ ଥିଲେ ଏବଂ କାନ୍ଦୁଥିଲେ । ଏହି ଘଟଣାକୁ ନେଇ ଛାତ୍ରମାନେ କହିଥିଲେ ଯେ ’ଏତେ ଟର୍ଚ୍ଚର ଜଣେ କେମିତି ସହିବ ?’