କନକ ବ୍ୟୁରୋ : ମହାକାଶରୁ ଫେରିଲେ ଶୁଭାଂଶୁ । ଖୁସିରେ ଝୁମି ଉଠିଲା ପୁରା ଭାରତ । ଐତିହାସିକ ଅକ୍ସିଆମ-୪ ମିଶନ ପୂରା କରି ଭାରତ ପାଇଁ ଇତିହାସ ରଚିଛନ୍ତି ଶୁଭାଂଶୁ । ଯାହା ଆଗାମୀ ଦିନରେ ଭାରତୀୟ ମହାକାଶ ବିଜ୍ଞାନକୁ ନୂଆ ଦିଶା ଦେଖାଇବ ।

Advertisment

ଏ ସେହି ବହୁ ପ୍ରତିକ୍ଷିତ ମୁହୂର୍ତ୍ତ । ଯାହାକୁ ପୁରା ଦେଶ ଅପେକ୍ଷା ରହିଥିଲା । ଡ୍ରାଗନ କ୍ୟାପ୍‌ସୁଲରୁ ପୃଥିବୀ ପୃଷ୍ଠରେ ପାଦ ପକାଇବା କ୍ଷଣି ସମଗ୍ର ଦେଶ କହିଥିଲା ସ୍ୱାଗତଂ ଶୁଭାଂଶୁ । କାନ୍ଦି ପକାଇଥିଲେ ବାପା ମାଆ । ଖୁସିରେ ଝୁମି ଉଠିଥିଲେ ଦେଶବାସୀ । କାରଣ ୧୮ ଦିନ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ରହଣି ପରେ ପୃଥିବୀପୃଷ୍ଠକୁ ସୁରକ୍ଷିତ ଭାବେ ଫେରିଥିଲେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ପ୍ରଶାନ୍ତ ମହାସାଗରର କାଲିଫର୍ଣ୍ଣିଆ ତଟ ନିକଟରେ ଲ୍ୟାଣ୍ଡ କରିଥିଲା ସ୍ପେଶ ଏକ୍ସର ଡ୍ରାଗନ କ୍ୟାପସୁଲ । ସାଥୀ ୩ ମହାକାଶଚାରୀଙ୍କ ସହ ସୁରକ୍ଷିତ ଭାବେ ଶୁଭାଂଶୁ ବାହାରିବା ପରେ ପୂରା ବିଶ୍ୱ ଆଶ୍ୱସ୍ତ ହୋଇଥିଲା ।

ଶୁଭାଂଶୁ ପୃଥିବୀ ପୃଷ୍ଠରେ ପାଦ ଦେବା ପରେ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ ସେୟାର କରି ଶୁଭେଚ୍ଛା ଜଣାଇଛନ୍ତି । ଶୁଭାଂଶୁଙ୍କ ଏହି ଯାତ୍ରା ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ ପ୍ରେରଣା ସାଜିବ । ଗଗନଯାନ ମିଶନ ଦିଶାରେ ଏହା ବେଶ ସହାୟକ ହେବ । ଦୀର୍ଘ ୨୨ ଘଣ୍ଟାରୁ ଅଧିକ ସମୟର ବିପଦପୂର୍ଣ୍ଣ ଯାତ୍ରା ପରେ ମହାକାଶରୁ ପୃଥିବୀ ପୃଷ୍ଠରେ ପହଞ୍ଚିଛନ୍ତି ଶୁଭାଂଶୁ । ଆଗାମୀ ୧୦ ଦିନ ଶୁଭାଂଶୁଙ୍କୁ ସଙ୍ଗରୋଧରେ ରଖାଯିବ । ଏହି ସମୟରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ।

ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ସଫଳତାର ସହ ମିଶନ ଶେଷ କରି ପୃଥିବୀପୃଷ୍ଠକୁ ଫେରିଥବା ପ୍ରଥମ ଭାରତୀୟ ହେଉଛନ୍ତି ଶୁଭାଂଶୁ ଶୁକ୍ଳା । ଏହି ଐତିହାସିକ ମିଶନ ଆଗକୁ ଭାରତ ପାଇଁ ବିଭିନ୍ନ ମହାକାଶ ମିଶନରେ ବେଶ ସହାୟକ ସାଜିବ ।