Sheikh Hasina Photograph: (Kanak News)
କନକ ବ୍ୟୁରୋ : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ । ବାଂଲା ଅନ୍ତର୍ଜାତୀୟ କ୍ରାଇମ୍ ଟ୍ରିବ୍ୟୁନାଲ୍ ଏପରି ବଡ଼ ରାୟ ଶୁଣାଇଛନ୍ତି । ବର୍ତ୍ତମାନର ୟୁନୁସ୍ ସରକାର ହସିନାଙ୍କ ବିରୋଧରେ କୋର୍ଟକୁ ଯାଇଥିଲେ । ଆଉ କୋର୍ଟ ତାଙ୍କ ରାୟରେ କହିଛନ୍ତି, ପ୍ରଦର୍ଶନକାରୀଙ୍କୁ ଦମନ ଏବଂ ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଶେଖ୍ ହସିନା । ମାନବତା ବିରୋଧୀ ଏହି ଅପରାଧ ଶେଖ ହସିନା ଏବଂ ତାଙ୍କ ସହଯୋଗୀଙ୍କ ନିର୍ଦ୍ଦେଶରେ କରାଯାଇଥିଲା ।
୨୦୨୪ ଜୁଲାଇ ଓ ଅଗଷ୍ଟ ମାସରେ ଛାତ୍ର ଆନ୍ଦୋଳନ । ୧୪୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କ ହୋଇଥିଲା ମୃତ୍ୟୁ । ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଶେଖ୍ ହସିନା ବୋଲି କହିଛନ୍ତି ବାଂଲାଦେଶର ଅନ୍ତରାଷ୍ଟ୍ରୀୟ ଅପରାଧ ଟ୍ରିବ୍ୟୁନାଲ୍ ।
ନଜର ପକାନ୍ତୁ କ’ଣ କହିଛନ୍ତି କୋର୍ଟ
ଅଭିଯୋଗ-୧: ଆନ୍ଦୋଳନ ରୋକିବା ବଦଳରେ ନିରୀହଙ୍କୁ ହତ୍ୟା ନିର୍ଦ୍ଦେଶ
ଅଭିଯୋଗ-୨: ପ୍ରଦର୍ଶନକାରୀଙ୍କୁ ଦମନ ଏବଂ ହତ୍ୟା ପାଇଁ ମାରାତ୍ମକ ଅସ୍ତ୍ରଶସ୍ତ୍ର ଏବଂ ଡ୍ରୋନ୍ ବ୍ୟବହାର ନିର୍ଦ୍ଦେଶ
ଅଭିଯୋଗ-୩: ହେଲିକପ୍ଟରରୁ ଛାତ୍ରଙ୍କ ଉପରେ ବୋମା ପକାଇବାକୁ ନିର୍ଦ୍ଦେଶ
ଅଭିଯୋଗ-୪: ପ୍ରଦର୍ଶନକାରୀଙ୍କୁ ଅପହରଣ କରିବା ସହ ଶବକୁ ଜଳାଇ ପ୍ରମାଣ ନଷ୍ଟ
ଅଭିଯୋଗ-୫: ତଦନ୍ତ ସଂସ୍ଥା ଉପରେ ଚାପ ପକାଇବା
ଆଉ ହସିନାଙ୍କ ସାଥ୍ ଦେଇଥିଲେ ପୂର୍ବତନ ଗୃହମନ୍ତ୍ରୀ ଓ ଆଇଜିପି ।
କୋର୍ଟ ୮୪ଟି ପ୍ରମାଣ ଓ ସାକ୍ଷ୍ୟ ଆଧାରରେ ହସିନାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୨୦୨୪ରେ ହସିନାଙ୍କ ସରକାର ଭାଙ୍ଗିବା ପରେ ବାଂଲାଦେଶରେ ଗଠନ ହୋଇଥିଲା ଅନ୍ତରୀଣ ସରକାର । କ୍ଷମତାକୁ ଆସିବା ପରେ ହସିନାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ତାଙ୍କୁ ଫାଶୀ ଦେବାକୁ ମହମ୍ମଦ ୟୁନୁସ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏପଟେ କୋର୍ଟଙ୍କ ରାୟ ପରେ ହସିନା କହିଛନ୍ତି, ଏପରି ରାୟ ପକ୍ଷପାତିତା ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଶୁଣାଣି ବେଳେ ତାଙ୍କ ପକ୍ଷ ଶୁଣାଯାଇନାହିଁ ।
ବାଂଲାଦେଶରେ ହିଂସା ଚାଲିଥିବା ବେଳେ ରାତି ଅଧିଆ ଭାରତ ପଳାଇ ଆସିଥିଲେ ଶେଖ୍ ହସିନା । କିଛି ଦିନର ଲୁଚକାଳି ପରେ ମିତ୍ରଦେଶ ଭାରତର ସାହାଯ୍ୟ ନେଇ ଦିଲ୍ଲୀରେ ଶରଣ ନେଇଥିଲେ । ସେତେବେଳେ ସଙ୍କେତ ମିଳିଥିଲା ଯେ, ତାଙ୍କ ଜୀବନ ପ୍ରତି ବିପଦ ରହିଛି ।
Follow Us