Shashi Tharoor Photograph: (Internet)
କନକ ବ୍ୟୁରୋ : ମୁହଁ ଖୋଲିଲେ ଶଶି ଥରୁର । ଗତକାଲି କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକକୁ ଏଡ଼ାଇଦେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମରେ ସାମିଲ ହେବା ଘଟଣାକୁ ନେଇ ଯେଉଁ ରାଜନୈତିକ ବୟାନବାଜୀ ଦେଖିବାକୁ ମିଳିଥିଲା ତା ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର । ସେ ସମାଲୋଚକମାନଙ୍କୁ ସ୍ପଷ୍ଟ ଭାବରେ ଜବାବ ଦେଇ କହିଛନ୍ତି, ସେ କେବେ ବି କଂଗ୍ରେସର ଲକ୍ଷ୍ମଣ ରେଖାକୁ ଉଲ୍ଲଂଘନ କରିନାହାଁନ୍ତି । ଏହା କହିବା ସହ ସେ ଅପରେସନ ସିନ୍ଦୂର ବିଷୟରେ କିଛି ଏପରି ବୟାନ ଦେଇଛନ୍ତି ଯାହାକୁ ହଜମ କରିବା ଦଳୀୟ ନେତୃତ୍ୱ, ବିଶେଷକରି ରାହୁଲ ଗାନ୍ଧୀଙ୍କ ପାଇଁ କଷ୍ଟକର ହେବ । ଅପରେସନ ସିନ୍ଦୂର ଉପରେ ଶଶି ଥରୁରଙ୍କ ମତ ଦଳ ଭିତରେ ଦ୍ୱନ୍ଦ୍ୱକୁ ଆହୁରି ତୀବ୍ର କରିପାରେ ।
ଥରୁର କହିଛନ୍ତି, ସେ ସଂସଦରେ କେବେ ଦଳୀୟ ସୀମା ଉଲ୍ଲଂଘନ କରିନାହାଁନ୍ତି ଏବଂ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ତାଙ୍କର ମତାମତ ସର୍ବଦା ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ଦେଇଛି । ଥରୁର ଆହୁରି କହିଛନ୍ତି କି, ଅପରେସନ ସିନ୍ଦୂରକୁ ନେଇ ଦଳ ଏବଂ ତାଙ୍କ ମଧ୍ୟରେ ମତଭେଦ ରହିଛି । ତଥାପି ସେ କେବେବି ତାଙ୍କ ବୟାନକୁ ବଦଳାଇନାହାନ୍ତି । ସେ ଏବେ ବି ଅପରେସନ ସିନ୍ଦୂର ଉପରେ ତାଙ୍କ ମତରେ ଅଟଳ ଅଛନ୍ତି । ଜାତୀୟ ସ୍ୱାର୍ଥ କ୍ଷେତ୍ରରେ ରାଜନୀତିକୁ ପଛରେ ପକାଇ ଦିଆଯିବା ଉଚିତ ।
ଅଧିକ ପଢ଼ନ୍ତୁ : ଗୁରୁତ୍ଵପୂର୍ଣ୍ଣ ବୈଠକକୁ ଏଡ଼ାଇଦେଲେ ଥରୁର, କାହିଁକି କାର୍ଯ୍ୟାନୁଷ୍ଠାନ ନେଇପାରୁନି କଂଗ୍ରେସ?
ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଉକ୍ତିକୁ ମନେପକାଇ କହିଛନ୍ତି, "ଯଦି ଭାରତର ଅସ୍ତିତ୍ୱ ରହିବ ନାହିଁ, ତେବେ କିଏ ବଞ୍ଚିବ?" ଯେତେବେଳେ ଦେଶର ସୁରକ୍ଷା କଥା ଆସେ, ସେତେବେଳେ ଭାରତ ପ୍ରଥମେ ଆସେ । ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ମତଭେଦ ଗଣତନ୍ତ୍ରର ଅଂଶ ଏବଂ ଏକ ଉତ୍ତମ ଭାରତ ଗଠନ ପ୍ରକ୍ରିୟାରେ ଯୋଗଦାନ କରେ । କିନ୍ତୁ ଯେତେବେଳେ ଜାତୀୟ ସ୍ୱାର୍ଥର କଥା ଆସେ, ଦେଶକୁ ଦଳଠାରୁ ଉପରେ ରଖାଯିବା ଉଚିତ । ଥରୁର ସ୍ପଷ୍ଟ କରିଥିଲେ ଯେ ସେ ସଂସଦରେ କେବେ ବି ଏପରି ବୟାନ ଦେଇନାହାଁନ୍ତି ଯାହା ଦଳର ଦୃଷ୍ଟିକୋଣରୁ ବିଚ୍ୟୁତ ହୁଏ ।
ଜଣେ ପର୍ଯ୍ୟବେକ୍ଷକ ଏବଂ ଲେଖକ ଭାବରେ, ସେ ପହଲଗାମ ଘଟଣା ପରେ ଏକ ଖବରକାଗଜ ସ୍ତମ୍ଭ ଲେଖିଥିଲେ, ଯେଉଁଥିରେ ସେ ଦଣ୍ଡ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଯୁକ୍ତି ବାଢ଼ିଥିଲେ ଏବଂ କହିଥିଲେ, ବିକାଶ ଉପରେ ଧ୍ୟାନ ଦେଉଥିବା ଭାରତକୁ ପାକିସ୍ତାନ ସହିତ ଦୀର୍ଘକାଳୀନ ମୁକାବିଲାରେ ଲିପ୍ତ ହେବା ଉଚିତ୍ ନୁହେଁ ଏବଂ ଯେକୌଣସି କାର୍ଯ୍ୟ କେବଳ ଆତଙ୍କବାଦୀ ଶିବିରଗୁଡ଼ିକୁ ଟାର୍ଗେଟ କରିବା ପର୍ଯ୍ୟନ୍ତ ସୀମିତ ତାହା ହେବା ଉଚିତ୍ ।
Follow Us