କନକ ବ୍ୟୁରୋ: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ରିପୋର୍ଟରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି । ଦେଶର ପାଖାପାଖି ୮ ହଜାର ସ୍କୁଲରେ ପିଲା ନାଁ ଲେଖାଇନାହାନ୍ତି କିନ୍ତୁ ନିଯୁକ୍ତ ଅଛନ୍ତି ୨୦ ହଜାର ଶିକ୍ଷକ । ତା’ହେଲେ ଏ ୨୦ ହଜାର ଶିକ୍ଷକ କାହାକୁ ପାଠ ପଢ଼ାଉଛନ୍ତି? କେନ୍ଦ୍ରର ରିପୋର୍ଟ ପରେ ଏବେ ଛିଡ଼ା ହୋଇଛି ପ୍ରଶ୍ନର ପାହାଡ଼ ।
ଅଧିକ ପଢ଼ନ୍ତୁ--- ମାଡ଼ି ଆସୁଛି ବାତ୍ୟା ‘ମୋନ୍ଥା’ ; ମୁକିବାଲା ପାଇଁ ଯୋଦ୍ଧା ତୟାର
ଶିକ୍ଷା କ୍ଷେତ୍ରରେ ଦେଶବ୍ୟାପୀ ଏତେ ବଡ଼ ଦୁର୍ନୀତି ଚାଲିଥିବାବେଳେ କେମିତି ଚୁପ୍ ବସିଛନ୍ତି କେନ୍ଦ୍ର ସରକାର? ସାରା ଦେଶରେ ୨୦୨୪-୨୫ ଶିକ୍ଷା ବର୍ଷ ଲାଗି ପାଖାପାଖି ୮ ହଜାର ସ୍କୁଲରେ ଜଣେ ବି ଛାତ୍ରଛାତ୍ରୀ ନାଁ ଲେଖାଇ ନାହାନ୍ତି । ତଥ୍ୟ ଅନୁସାରେ ପଶ୍ଚିମବଙ୍ଗରେ ସର୍ବାଧିକ ୩,୮୧୨ ସ୍କୁଲ ଥିଲେ ଯେଉଁଠି ଜଣେ ବି ପିଲାର ନାମ ଲେଖା ହୋଇ ନାହିଁ । ଏହା ପଛକୁ ରହିଛି ତେଲେଙ୍ଗାନାର ୨,୨୪୫ଟି ସ୍କୁଲ । ହେଲେ ଛାତ୍ରଛାତ୍ରୀ ବିହୀନ ସ୍କୁଲରେ ନିଯୁକ୍ତ ଅଛନ୍ତି ମୋଟ୍ ୨୦,୮୧୭ ଜଣ ଶିକ୍ଷକ । ସବୁଠୁ ବଡ଼କଥା ହେଲା ପଶ୍ଚିମବଙ୍ଗର ଏପରି ସ୍କୁଲରେ ୧୭,୯୬୫ ଜଣ ଶିକ୍ଷକ ଅଛନ୍ତି ।
ଶିକ୍ଷାମନ୍ତ୍ରାଳୟଙ୍କ ତଥ୍ୟ ଅନୁସାରେ ୨୦୨୩-୨୪ ଶିକ୍ଷା ବର୍ଷରେ ଏହି ପରି ଶୂନ ନାମଲେଖା ସ୍କୁଲ ସଂଖ୍ୟା ୧୨,୯୫୪ ଥିଲା । ତେବେ ୨୦୨୪-୨୫ରେ ଏହା ହ୍ରାସ ହୋଇ ୭,୯୯୩କୁ ପହଞ୍ଚିଛି । ହରିୟାଣା, ମହାରାଷ୍ଟ୍ର, ଗୋଆ, ଆସାମ, ହିମାଚଳପ୍ରଦେଶ ଛତିଶଗଡ଼, ନାଗାଲାଣ୍ଡ, ସିକ୍କିମ ଓ ତ୍ରିପୁରାରେ ଏପରି ଗୋଟେ ବି ସ୍କୁଲ ନଥିଲା । ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ‘ସ୍କୁଲ ଶିକ୍ଷା’ ରାଜ୍ୟର ବିଷୟ । ତେଣୁ ଏ ଦିଗରେ ସେମାନେ ଗୁରୁତ୍ବ ଦେବେ । ଏପଟେ ପୁଡୁଚେରୀ, ଲକ୍ଷଦ୍ୱୀପ, ଦାଦର ଓ ନଗରହାଭେଲୀ, ଆଣ୍ଡାମାନ ଓ ନିକୋବର ଦ୍ୱୀପ ସମୂହ, ଦାମନ ଡ୍ୟୁ ଓ ଚଣ୍ଡିଗଡ଼ ଭଳି କେନ୍ଦ୍ର ଶାସିତ ରାଜ୍ୟମାନଙ୍କରେ ଏପରି ଶୂନ ନାମଲେଖା ସ୍କୁଲ ଗୋଟେ ହେଲେ ବି ନାହିଁ ।
ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଦେଶର ୩୩ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଜଣେ ଶିକ୍ଷକ ଥିବା ୧ ଲକ୍ଷରୁ ଅଧିକ ସ୍କୁଲରେ ପାଠ ପଢୁଛନ୍ତି । ଏପରି ସ୍କୁଲଙ୍କ ସଂଖ୍ୟା ଆନ୍ଧ୍ରପ୍ରଦେଶରେ ସବୁଠୁ ଅଧିକ । ଯେଉଁଠି ଜଣେ ଜଣେ ଶିକ୍ଷକ ଶହ ଶହ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି । ଆଉ କେନ୍ଦ୍ର ଓ ରାଜ୍ୟର ଏଭଳି ଅବହେଳା ଯୋଗୁ ଶିକ୍ଷା କ୍ଷେତ୍ରରେ ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/10/27/empty-schools-2025-10-27-19-03-10.jpg)