କନକ ବ୍ୟୁରୋ: କର୍ଣ୍ଣାଟକର ଗୋକର୍ମରେ ରାମତୀର୍ଥ ପର୍ବତ ଉପରେ ଏକ ନିର୍ଜନ ତଥା ବିପଜ୍ଜନକ ଗୁମ୍ଫାରୁ ପୁଲିସ ଜଣେ ରୁଷୀୟ ମହିଳା ଏବଂ ତାଙ୍କର ୨ ଝିଅଙ୍କୁ ପାଇଛି। ଜୁଲାଇ ୯ ତାରିଖ ସନ୍ଧ୍ୟା ୫ଟାରେ ପାଟ୍ରୋଲ ସମୟରେ ଗୋକର୍ନ ପୁଲିସ ଘଞ୍ଚ ଜଙ୍ଗଲ ମଧ୍ୟରୁ ଏକ ଅସ୍ଥାୟୀ ଆବାସସ୍ଥଳରୁ ୩ ଜଣଙ୍କୁ ଠାବ କରିଥିଲା । ପର୍ଯ୍ୟଟକମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବାପାଇଁ ଗୋକର୍ମ ପୁଲିସ ଷ୍ଟେସନ୍ର ଇନ୍ସପେକ୍ଟର ଶ୍ରୀଧର ଏସିଆର ଏବଂ ତାଙ୍କ ଟିମ୍ ରାମତୀର୍ଥ ପର୍ବତ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ସେମାନେ ଏକ ଗୁମ୍ଫା ନିକଟରେ ଲୋକଙ୍କ ଯାତାୟତ ଜାଣିପାରିଥିଲେ । ଏହାପରେ ତଲାସୀ କରିବାପରେ ପୁଲିସ ଟିମ୍ ଜଣେ ରୁଷୀୟ ମହିଳା ନିନା କୁଟିନା ଏବଂ ତାଙ୍କ ୨ ଝିଅ ପ୍ରେମା ଏବଂ ଆମାଙ୍କୁ ପାଇଥିଲେ ।
ଗୁମ୍ଫାରେ କାହିଁକି ରହୁଛନ୍ତି ପ୍ରଶ୍ନ କରିବାରୁ ନିନା ଦାବି କରିଥିଲେ ଯେ ସେ ଏକାନ୍ତରେ ଧ୍ୟାନ କରିବାପାଇଁ ଗୋଆରୁ ଗୋକର୍ଡ ଆସିଛନ୍ତି । ସହରାଞ୍ଚଳର କୋଳାହଳ ଠାରୁ ଦୂରରେ ରହି ସେ ଗୁମ୍ଫାରେ ଧ୍ୟାନ ଓ ପ୍ରାର୍ଥନା କରିବାପାଇଁ ପସନ୍ଦ କରିଥିବା କହିଛନ୍ତି । ତେବେ ଉକ୍ତ ରୁଷୀୟ ମହିଳାଙ୍କ ଉଦ୍ଦେଶ୍ୟ ଆଧ୍ୟାତ୍ମିକ ହୋଇଥିଲେ ସୁଦ୍ଧା ମହିଳା ଜଣଙ୍କ ନିଜ ପିଲାମାନଙ୍କୁ ନେଇ ଉକ୍ତ ସ୍ଥାନରେ ରହିବା ଅତି ବିପଜ୍ଜନକ । ପୁଲିସ ଏଥିପାଇଁ ଚିନ୍ତା ପ୍ରକଟ କରିବା ସହ ମହିଳାଙ୍କୁ ଗୁମ୍ଫା ଛାଡ଼ିବାପାଇଁ ବୁଝାଇବାରେ ସକ୍ଷମ ହୋଇଥିଲା ଏବଂ ତାଙ୍କୁ ପାହାଡ଼ ତଳକୁ ଆଣିଥିଲା । ମହିଳାଙ୍କ ଅନୁରୋଧକ୍ରମେ ତାଙ୍କୁ କୁମତା ତଲୁକର ବାଙ୍କିକୋଡ଼ଲା ଗ୍ରାମରେ ଜଣେ ୮୦ ବର୍ଷୀୟା ମହିଳା ସାଧୁ ଯୋଗରତ୍ନ ସରସ୍ଵତୀଙ୍କ ଦ୍ଵାରା ପରିଚାଳିତ ଏକ ଆଶ୍ରମରେ ରଖାଯାଇଥିଲା ।
ପୁଲିସ ଟିମ୍ ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି । ତେବେ ନିନା ତାଙ୍କ ପାସପୋର୍ଟ ଏବଂ ଭିସା ସଂକ୍ରାନ୍ତରେ କିଛି କହିବାପାଇଁ ଆଗ୍ରହପ୍ରକାଶ କରିନାହାନ୍ତି । ସେସବୁକୁ ସେ ଘଞ୍ଚ ଜଙ୍ଗଲରେ ଛାଡ଼ି ଆସିଥିବା କହିଥିଲେ । ପରେ ଗୋକର୍ନ ପୁଲିସ ଏବଂ ଜଙ୍ଗଲ ଅଧିକାରୀଙ୍କ ମିଳିତ ତଦନ୍ତ ପରେ ଜଣାପଡ଼ିଲା ଯେ ନିନା ଭିସା ନିୟମ ଉଲଂଘନ କରିଛନ୍ତି । ଭିସା ଉଲଂଘନ ପାଇଁ ଉକ୍ତ ମହିଳା ଏବଂ ତାଙ୍କ ୨ ଝିଅଙ୍କୁ ମହିଳା ଏବଂ ଶିଶୁ ବିକାଶ ବିଭାଗ ଦ୍ଵାରା ପରିଚାଳିତ ଏକ ମହିଳା ରିସେପସନ୍ ସେଣ୍ଟରର ସୁରକ୍ଷାମୂଳକ ହେପାଜତରେ ରଖାଯାଇଛି । ଉକ୍ତ ପରିବାରକୁ ଖୁବ୍ଶୀଘ୍ର ରୁଷ୍ ପଠାଇବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ତାଙ୍କୁ ଖୁବ୍ଶୀଘ୍ର ବେଙ୍ଗାଲୁରୁର ଏଫ୍ଆରଓ କର୍ତ୍ତୃପକ୍ଷଙ୍କ ନିକଟରେ ହାଜର କରାଯିବ ।