କନକ ବ୍ୟୁରୋ: କେବେ ଥମିବ ଋଷ-ୟୁକ୍ରେନ୍ ଯୁଦ୍ଧ ? କେବେ ଲାଗିବ ଯୁଦ୍ଧ ବିରାମ ? ଏମିତି କଣ ନିରୀହ ଲୋକଙ୍କ ଜୀବନ ଯାଉଥିବ ? ଏମିତି କଣ ଯବାନମାନେ ଯୁଦ୍ଧ ଭୂମୀରେ ନିଜ ନିଜ ଦେଶ ପାଇଁ ସହିଦ୍ ହେଉଥିବେ । ଏହିଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ସୋମବାର ତୁର୍କୀର ଇସ୍ତାନବୁଲରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନା ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ବୈଠକରେ ଉଭୟ ଦେଶର ମନୋଭାବକୁ ଦେଖିଲେ, ଗୋଟିଏ କଥା ସ୍ପଷ୍ଟ ହୋଇଗଲା ଯେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଏବେ ଯୁଦ୍ଧବିରତି ହୋଇପାରିବ ନାହିଁ । ତଥାପି, କିଛି ବିଷୟରେ ଦୁଇ ଦେଶ ମଧ୍ୟରେ ଏକ ସହମତି ମଧ୍ୟ ରହିଛି ।
ମୃତ ସୈନିକଙ୍କ ମୃତଦେହ ବିନିମୟ
ରିପୋର୍ଟ ଅନୁଯାୟୀ, ଶାନ୍ତି ଆଲୋଚନାରେ ଋଷ ଏବଂ ୟୁକ୍ରେନ ଯୁଦ୍ଧରେ ମୃତ ୬୦୦୦ ସୈନିକଙ୍କ ମୃତଦେହ ଆଦାନପ୍ରଦାନ କରିବାକୁ ରାଜି ହୋଇଛନ୍ତି । ଋଷ ପ୍ରତିନିଧି ମେଡିନସ୍କି କହିଛନ୍ତି, ମୃତଦେହଗୁଡ଼ିକୁ ଗ୍ରେ ଜୋନ୍ ଦେଇ ହସ୍ତାନ୍ତର କରାଯିବ । ତଥାପି, ଯେଉଁ ଅଞ୍ଚଳରେ ମୃତଦେହ ଆଦାନପ୍ରଦାନ ହେବ ସେଠାରେ ଯୁଦ୍ଧବିରତି ଜରୁରୀ ।
ଦୁଇ ଦେଶ ମଧ୍ୟରେ ଗଠନ ହେବ ସ୍ଥାୟୀ କମିଟି
ଋଷ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଏହି ଶାନ୍ତି ଆଲୋଚନାରେ ପ୍ରତ୍ୟେକ ୧୦୦୦ ଜଣ ଯୁଦ୍ଧବନ୍ଦୀଙ୍କ ବିନିମୟ ଉପରେ ମଧ୍ୟ ସହମତି ହୋଇଛି । ତଥାପି, ଏହି ପ୍ରକ୍ରିୟା କେବେ ଆରମ୍ଭ ହେବ ସେ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ । ଏଥିପାଇଁ ଏକ ସ୍ଥାୟୀ କମିଟି ଗଠନ ପାଇଁ ଉଭୟ ଦେଶ ସହମତ ହୋଇଛନ୍ତି । ଏହି କମିଟି ମାଧ୍ୟମରେ, ଭବିଷ୍ୟତରେ ଯୁଦ୍ଧବନ୍ଦୀଙ୍କ ବିନିମୟ ପ୍ରକ୍ରିୟା ଶୀଘ୍ର ଏବଂ ସୁଗମ ହେବ ବୋଲି ଆଶା ରହିଛି ।
ଯୁଦ୍ଧବିରତି ସମ୍ପର୍କରେ ଋଷର ସର୍ତ୍ତ
ଏସବୁ ଭିତରେ ୟୁକ୍ରେନ୍ ଆଗରେ ବଡ ସର୍ତ୍ତ ରଖିଛି ଋଷ । ଋଷ ସ୍ପଷ୍ଠ ଭାବେ କହିଛି, ୟୁକ୍ରେନ୍ ସେହି ଅଞ୍ଚଳଗୁଡିକରୁ ସେନା ପ୍ରତ୍ୟାହାର କରୁ ଯେଉଁ ଅଞ୍ଚଳକୁ ସେପ୍ଟେମ୍ବର ୨୦୨୨ରେ ଋଷ ଦଖଲ କରିଥିଲା । ଏହା ସହିତ ଋଷ ଆଉ ଏକ ସର୍ତ୍ତ ମଧ୍ୟ ରଖିଛି । ଏଥିରେ କୁହାଯାଇଛି, ୟୁକ୍ରେନକୁ ତା'ର ମାଟିରେ କୌଣସି ତୃତୀୟ ଦେଶର ସାମରିକ ଉପସ୍ଥିତିକୁ ନିଷିଦ୍ଧ କରିବା ଉଚିତ ।
ଋଷିଆନ ଦଲିଲରେ ଆହୁରି ପ୍ରସ୍ତାବ ଦିଆଯାଇଛି, "ୟୁକ୍ରେନ ସାମରିକ ଆଇନ ସମାପ୍ତ କରିବା ଏବଂ ନିର୍ବାଚନ କରାଇବା ଉଚିତ, ଯାହା ପରେ ଦୁଇ ଦେଶ ଏକ ବ୍ୟାପକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର କରିପାରିବେ । ୟୁକ୍ରେନ ନାଟୋରେ ଯୋଗଦାନ କରିବାର ପ୍ରୟାସ ବନ୍ଦ କରିବା ଉଚିତ । ୟୁକ୍ରେନିଆନ ସହିତ ସମକକ୍ଷ ଭାବରେ ଋଷିଆନ ଭାଷାକୁ ଦେଶର ସରକାରୀ ଭାଷା ଭାବରେ ମାନ୍ୟତା ଦେବ ।" ଋଷର ଏହି ଦାବି ପରେ କାହିଁ ଲାଗୁନି ଉଭୟ ଦେଶ ମଧ୍ୟରେ ଶୀଘ୍ର ଶାନ୍ତି ଫେରିବ ।