କନକ ବ୍ୟୁରୋ : ୬୧,୦୦୦ ଯୁବକ ଯୁବତୀଙ୍କୁ ବଡ଼ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୮ତମ ନିଯୁକ୍ତି ମେଳାରେ ୬୧,୦୦୦ ଯୁବକ ଯୁବତୀଙ୍କୁ ସରକାରୀ ସେବା ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ନିଯୁକ୍ତି ପତ୍ରକୁ ନେସନ୍ ବିଲ୍ଡିଂ ବା ରାଷ୍ଟ୍ର ନିର୍ମାଣ ଭାବେ ବର୍ଣ୍ଣନା କରିଛନ୍ତି ମୋଦୀ । ଅର୍ଥାତ୍ ଏହି ନିଯୁକ୍ତି ପତ୍ର ଦ୍ଵାରା କେବଳ ଯୁବକ ଯୁବତୀଙ୍କୁ ଚାରିକି ମିଳିବ ତା ନୁହେଁ, ଦେଶକୁ ଏକ ନୂଆ ଗତି ମିଳିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

Advertisment

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, ଆଜି ଏହି ଯୁବକମାନଙ୍କ ଜୀବନରେ ଏକ ନୂତନ ଆରମ୍ଭ ହେଲା । ଏହି ନିଯୁକ୍ତି ପତ୍ରଗୁଡ଼ିକୁ କେବଳ ଏକ ଦସ୍ତାବିଜ ନୁହେଁ, ବରଂ ଏହା ଏକ "ରାଷ୍ଟ୍ର ନିର୍ମାଣ ପାଇଁ ନିମନ୍ତ୍ରଣ ପତ୍ର" ଏବଂ ଏକ "ସଂକଳ୍ପ ପତ୍ର" । ଯାହା ଏକ ବିକଶିତ ଭାରତ ନିର୍ମାଣକୁ ତ୍ୱରାନ୍ୱିତ କରିବ ।

ମହିଳାଙ୍କୁ ପ୍ରାଧାନ୍ୟ

ଏହି ନିଯୁକ୍ତି ମେଳାର ଏକ ପ୍ରମୁଖ ସଫଳତା ହେଉଛି ମହିଳା ସଶକ୍ତିକରଣ । ଆଜିର କାର୍ଯ୍ୟକ୍ରମରେ ୮୦୦୦ ରୁ ଅଧିକ ମହିଳା ସରକାରୀ ସେବା ପାଇଁ ନିଯୁକ୍ତି ପତ୍ର ପାଇଛନ୍ତି । ଗତ ୧୧ ବର୍ଷ ମଧ୍ୟରେ ଦେଶର କାର୍ଯ୍ୟଶକ୍ତିରେ ମହିଳାମାନଙ୍କ ଅଂଶଗ୍ରହଣ ପ୍ରାୟ ଦ୍ୱିଗୁଣିତ ହୋଇଥିବା ନେଇ ପ୍ରଧାନମନ୍ତ୍ରୀ ମୋଦୀ ଗର୍ବ ଅନୁଭବ କରିଛନ୍ତି । ଏହି ପରିବର୍ତ୍ତନ ସମାଜରେ ବଢ଼ୁଥିବା ସମାନତା ଏବଂ ବିକାଶରେ ମହିଳାମାନଙ୍କ ଅବଦାନକୁ ସ୍ପଷ୍ଟ କରୁଛି ।

ଟେକ୍ନୋଲୋଜି ସହିତ ନିଜକୁ ଉନ୍ନତ କରିବାର ମନ୍ତ୍ର

ଦ୍ରୁତ ଗତିରେ ବଦଳୁଥିବା ଟେକ୍ନୋଲୋଜିର ଏହି ଯୁଗରେ, ପ୍ରଧାନମନ୍ତ୍ରୀ ମୋଦୀ ଯୁବପିଢ଼ିଙ୍କୁ ନିରନ୍ତର ଶିଖିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଦେଶର ଆବଶ୍ୟକତା ଏବଂ ପରିବର୍ତ୍ତନ ସହିତ ସରକାରୀ କର୍ମଚାରୀମାନଙ୍କୁ ମଧ୍ୟ ନିରନ୍ତର ନିଜକୁ ଅପଗ୍ରେଡ୍ କରିବାକୁ ପଡ଼ିବ ।