କନକ ବ୍ୟୁରୋ: ଉତ୍ତର ସାଉଦି ଆରବରେ ପ୍ରଥମ ଥର ପାଇଁ ତୁଷାରପାତ ହୋଇଛି । ଧଳାଚାଦର ଘୋଡ଼େଇ ହୋଇଥଲା ହଜାର ହଜାର ବର୍ଗ କିଲୋମିଟର ବ୍ୟାପୀ ମରୁଭୂମି ଅଞ୍ଚଳ। ଧଳା ଆଚ୍ଛାଦିତ ବାଲିଆ ପାହାଡ ଏବଂ ବରଫ ଜମିଥିବା ଦୃଶ୍ୟ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିଗଲା । 

Advertisment

ଶୁଷ୍କ ମରୁରେ ଜଳଜଳ ଜଳବାୟୁ ପରିବର୍ତ୍ତନ 
ଧୁ ଧୁ ମରୁବାଲି ଉପରେ ଅଚାନକ ତୁଷାରପାତ!
୩ ଦଶନ୍ଧି ପରେ ଶୀତଦିନିଆ ବିରଳ ଦୃଶ୍ୟ 

କନକ ବ୍ୟୁରୋ : ଜାମ୍ମୁ କାଶ୍ମୀର କି କେଉଁ ପାର୍ବତ୍ୟାଞ୍ଚଳ ନୁହେଁ । ମରୁ ଦେଶ ସାଉଦି ଆରବରେ ତୁଷାର ପାତ । ଯେଉଁଠି ବର୍ଷା ବି ବିରଳ, ସେଠି ଅଚାନକ ତୁଷାରପାତ ହୋଇଛି । ବରଫ ଆଚ୍ଛାଦିତ ହୋଇଛି ମରୁଭୂମି । କଥାଟି ଶୁଣିବା କ୍ଷଣି କାନକୁ ବିଶ୍ୱାସ କରିବା ସହଜ ନୁହେଁ । ହେଲେ ଏହା ସତ । ଚଳିତବର୍ଷ ମରୁଭୂମି ସମେତ ଉଚ୍ଚ ବାଲୁକାସ୍ତୁପ ଗୁଡ଼ିକୁ ଧଳା ଚାଦରରେ ଘୋଡ଼େଇ ହୋଇଥିବା ଦେଖିବାକୁ ମିଳିଛି । ବରଫମୟ ଦୃଶ୍ୟ ଖୁବ୍‌ ରୋମାଞ୍ଚ ସୃଷ୍ଟି କରିଛନ୍ତି । ଲୋକେ ଏହାକୁ ମନ ଭରି ଉପଭୋଗ କରିଛନ୍ତି । ୩୦ ବର୍ଷ ପରେ ତୁଷାରପାତର ଦୃଶ୍ୟକୁ କିଏ ମୋବାଇଲରେ ତ ଆଉ କିଏ କ୍ୟାମେରାରେ କଏଦ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ନିଜ ଅନୁଭବକୁ ବଖାଣିଛନ୍ତି । ସାଧାରଣ ଲୋକେ ଏହାକୁ ଉପଭୋଗ କରୁଥିଲେ ବି, ଚିନ୍ତିତ ଅଛନ୍ତି ପରିବେଶବିତ । ଏଭଳି ଅସ୍ୱାଭାବିକତା ପଛର ଜଳବାୟୁ ପରିବର୍ତ୍ତନ ଏକ ବଡ଼ କାରଣ ବୋଲି କୁହାଯାଉଛି ।

ଜଳବାୟୁ ପରିବର୍ତ୍ତନର ପ୍ରଭାବ କହିଲେ, ପ୍ରଥମେ ମନକୁ ଆସେ ମେରୁ ନଚେତ୍ ଉପକୂଳ ଅଞ୍ଚଳ । ମେରୁରେ ବରଫ ତରଳିବା ସହ, ସମୁଦ୍ର ଜଳସ୍ତର ବଢ଼ିବ, ଜୁଆର ମାଡ଼ି ଆସିବ, ନଦନଦୀ ବାଟହୁଡ଼ିବ, ଜଳ ପ୍ରଦୂଷଣ, ବାୟୁ ପ୍ରଦୂଷଣ, ମୃତ୍ତିକା କ୍ଷୟ, ଜଙ୍ଗଲ କ୍ଷୟ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଚର୍ଚ୍ଚା କରୁ । ହେଲେ ମରୁଭୂମି ବି ଜଳବାୟୁ ପରିବର୍ତ୍ତନ ଯୋଗୁ କେତେମାତ୍ରାରେ ପ୍ରଭାବିତ ହୋଇପାରେ ! ସାଉଦି ଆରବ ଦୃଶ୍ୟକୁ ଦେଖିଲେ ସ୍ପଷ୍ଟ ଦେଖାଗଲାଣି । ପର୍ବତ ଶିଖରରୁ ମରୁଭୂମି ପର୍ଯ୍ୟନ୍ତ, ସବୁ ବରଫରେ ଆଚ୍ଛାଦିତ ।

ଏଇ କିଛିଦିନ ତଳେ ଉତ୍ତର ସାଉଦି ଆରବରେ ବର୍ଷା ପବନ ଯୋଗୁଁ ଥଣ୍ଡା ବଢ଼ିଯାଇଥିଲା । ବନ୍ୟା ସ୍ଥିତି ମଧ୍ୟ ଉପୁଜିଥିଲା । ତା' ପରେପରେ ପାରଦ ଖୁବ୍‌ ତଳକୁ ଖସିଗଲା । ଯାହା ତୁଷାରପାତ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କଲା । ଜାବାଲ୍ ଅଲ୍ ଲଜ୍ ଏବଂ ଟ୍ରୋଜେନା ଉଚ୍ଚଭୂମି ସମେତ ତାବୁକ୍ ନିକଟବର୍ତ୍ତୀ ଅଞ୍ଚଳରେ, ତାପମାତ୍ରା ମାଇନସ୍‌ ୪ ଡିଗ୍ରି ହୋଇଗଲା । ଫଳରେ ୨୬ଶହ ମିଟର ଉଚ୍ଚରୁ ତୁଷାର ପାତ ହୋଇଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି ।