କନକ ବ୍ୟୁରୋ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଓ ଉଦ୍ଧବ ଠାକରେଙ୍କ ଶିବସେନା ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛନ୍ତି । କିଛି ଆସନ ନେଇ ଏମଭିଏର ସହଯୋଗୀ ଦଳ କଂଗ୍ରେସ ଓ ଶିବସେନା ମଧ୍ୟରେ ଟଣାଓଟରା ଲାଗିରହିଛି । ମାତ୍ର ଆସନ ଭାଗବଣ୍ଟାରେ କଂଗ୍ରେସକୁ ମିଳିଥିବା ଆସନ ସଂଖ୍ୟାକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଖୁସି ନାହାଁନ୍ତି ।

Advertisment

ମହାବିକାଶ ଅଘାଡ଼ି ମଧ୍ୟରେ ଭାଗବଣ୍ଟାରେ ସମସ୍ତ ୩ ପକ୍ଷ ଯଥା କଂଗ୍ରେସ, ଶିବସେନା ଓ ଏନସିପିକୁ ୮୫ ଆସନ ମିଳିଛି । ମାତ୍ର ମୁମ୍ବାଇ ତଥା ଏହାର ଆଖପାଖ ଅଞ୍ଚଳରେ ଓ ବିଦର୍ଭ ବହୁ ଆସନକୁ ନେଇ କଂଗ୍ରେସ ଓ ଶିବସେନା ମଧ୍ୟରେ ଟଣାଓଟରା ଫଳରେ ଆସନ ବୁଝାମଣା ହୋଇପାରୁନଥିଲା ।

ଯାହାଫଳରେ ଏନସିପି ସୁପ୍ରିମ ଶରଦ ପାୱାର ତିନି ଦଳକୁ ୮୫ ଆସନ ଲେଖାଏଁ ଆସନରେ ଲଢ଼ିବାକୁ ରାଜି କରାଇଥିଲେ । ମାତ୍ର ଲୋକସଭା ନିର୍ବାଚନରେ କଂଗ୍ରେସ ସଫଳତା ଆଧାରରେ ଏହାକୁ ଯଥେଷ୍ଟ କମ ଥିଲା । କଂଗ୍ରେସ ୧୦୦ରୁ ୧୧୫ ଆସନ ଲଢ଼ିବାକୁ ଚାହୁଥିଲା । ଆସନ ବୁଝାମଣାରେ କଂଗ୍ରେସ ରାଜ୍ୟନେତାଙ୍କ ବିଫଳତାକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଆଜି ଉଭୟ କଂଗ୍ରେସ ଓ ଏନସିପି ନିଜର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛନ୍ତି । କଂଗ୍ରେସ ଜାରି କରିଥିବା ୨୩ଜଣିଆ ପ୍ରାର୍ଥୀ ତାଲିକରେ ନାଗପୁର ଦକ୍ଷିଣ ପାଇଁ ଗିରିଶ ପାଣ୍ଡବଙ୍କ ନାଁ ରହିଛି । ଏହି ଆସନକୁ ମଧ୍ୟ ଶିବସେନା ଉଦ୍ଧବ ଗୋଷ୍ଠୀ ନେବାକୁ ଚାହୁଛି । ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ବିରୋଧରେ କଂଗ୍ରେସର ଗିରିଷ ଲଢ଼ିବେ ।

ସେହିଭଳି କାମଥି ଆସନରେ ରାଜ୍ୟ ବିଜେପି ସଭାପତି ଚନ୍ଦ୍ରଶେଖର ବାଉଁକୁଲେଙ୍କ ବିରୋଧରେ କଂଗ୍ରେସ ନାଗପୁର ଜିଲ୍ଲା ପଞ୍ଚାୟତର ପୂର୍ବତନ ସଭାପତି ସୁରେଶ ୱାଇ ଭୋୟାରଙ୍କୁ ପ୍ରାର୍ଥୀ କରିଛି । ଅନ୍ୟପକ୍ଷରେ ଶିବସେନା ଜାରି କରିଥିବା ୧୫ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକାରେ ଜୟଶ୍ରୀ ମହାଜନକଙ୍କୁ ଜଲଗାଓଁ ଓ ମୁମ୍ବାଇର ପୂର୍ବତନ ମେୟର ଶ୍ରଦ୍ଧା ଯାଦବଙ୍କୁ ୱାଧଲାରୁ ପ୍ରାର୍ଥ କରିଛି ।