କନକ ବ୍ୟୁରୋ  : ରାତି ଭୋଜନରେ ରାଜନୀତି । ହଠାତ୍‌ ଆମେ ଏମିତି କାହିଁକି କୁହାଗଲା ତାହାକୁ ନେଇ ମନରେ ପ୍ରଶ୍ନ ଆସୁଥିବ । ହେଲେ ଗୁରୁବାର ରାତିରେ ଇଣ୍ଡିଆ ମେଣ୍ଟର ଭୋଜିକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ସେହି ବୈଠକରେ ୨୫ରୁ ଅଧିକ ବିରୋଧୀ ଦଳର ପ୍ରାୟ ୫୦ ଜଣ ବରିଷ୍ଠ ନେତା ଯୋଗ ଦେଇଥିଲେ । ଯାହା ବିରୋଧୀ ଏକତାର ଏକ ଦୃଶ୍ୟ ବୋଲି କେହି କେହି କହିଛନ୍ତି । କୁହାଯାଉଛି କି, ଏହି ଭୋଜିରେ ଆଗାମୀ ଦିନରେ ହେବାକୁ ଥିବା ବିହାର ନିର୍ବାଚନ ସମ୍ପର୍କରେ ଚର୍ଚ୍ଚା ହୋଇଛି । ଖାଲି ଏତିକି ନୁହେଁ ବରଂ ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଏବଂ ନିର୍ବାଚନୀ ପ୍ରକ୍ରିୟାରେ ଅନିୟମିତତା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ରଣନୀତି ପ୍ରସ୍ତୁତ ବି ହୋଇଛି ।

Advertisment

ଏହି ବୈଠକରେ ରାହୁଲ ଗାନ୍ଧୀ 'ଡେମୋକ୍ରାସି ଡେଷ୍ଟ୍ରୟେଡ୍' ଶୀର୍ଷକରେ ଏକ ପାୱାରପଏଣ୍ଟ ପ୍ରେଜେଣ୍ଟେସନ୍ ଦେଇଥିଲେ । ଏଥିରେ ସେ କର୍ଣ୍ଣାଟକର ଏକ ବିଧାନସଭା ଆସନରେ ବ୍ୟାପକ ଭୋଟ୍ ହେରଫେର ହୋଇଥିବା ନେଇ ଅଭିଯୋଗ ଆଣିଥିଲେ ଏବଂ ଏହାର ପ୍ରମାଣ ମଧ୍ୟ ଉପସ୍ଥାପନ କରିଥିଲେ। ରାହୁଲ  ଦାବି କରିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ସହଯୋଗରେ ବିଜେପି ୨୦୨୪ ଲୋକସଭା ନିର୍ବାଚନରେ ଜିତିବା ପାଇଁ ଏହିପରି ଅନୈତିକ ପନ୍ଥା ଅବଲମ୍ବନ କରୁଛି। ଯାହା ଗଣତନ୍ତ୍ର ପାଇଁ ବଡ଼ ବିପଦ ।

ବୈଠକରେ ସାମିଲ ହୋଇଥିବା ପ୍ରମୁଖ ନେତା:

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଅନ୍ୟ ପ୍ରମୁଖ ନେତାମାନଙ୍କ ମଧ୍ୟରେ ଏନସିପି-ଏସପି ମୁଖ୍ୟ ଶରଦ ପାୱାର, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଆରଜେଡି ନେତା ତେଜସ୍ୱୀ ଯାଦବ, ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ, ନ୍ୟାସନାଲ କନଫରେନ୍ସର ନେତା ଫାରୁକ୍ ଅବଦୁଲ୍ଲା, ପିଡିପିର ନେତ୍ରୀ ମେହବୁବା ମୁଫତି, ଟିଏମସିର ଅଭିଷେକ ବାନାର୍ଜୀ, ଡିଏମକେର ତିରୁଚି ଶିବା, ସିପିଆଇର ଡି ରାଜା, ସିପିଏମର ଏମଏ ବେବି ଏବଂ ଏମଏନଏମ ମୁଖ୍ୟ କମଲ ହାସନ ପ୍ରମୁଖ ଯୋଗ ଦେଇଥିଲେ । ଏହା ବ୍ୟତୀତ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମଧ୍ୟ ଉପସ୍ଥିତ ଥିଲେ ।

ବୈଠକର କି ଆଲୋଚନା ହେଲା

ବୈଠକରେ ବିହାରରେ ହେବାକୁ ଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) ଉପରେ ବିସୃତ ଆଲୋଚନା ହୋଇଛି । ତେଜସ୍ୱୀ ଯାଦବ ଏହି ପ୍ରସଙ୍ଗରେ ସମସ୍ତଙ୍କୁ ଅବଗତ କରାଇବା ସହ ଏହା ବିରୋଧରେ ବିହାରରେ ଏକ ବଡ଼ ଧରଣର ବିରୋଧ ପ୍ରଦର୍ଶନ କରାଯିବ ବୋଲି ଘୋଷଣା କରିଥିଲେ। 'ଇଣ୍ଡିଆ' ମେଣ୍ଟ ପକ୍ଷରୁ ଅଗଷ୍ଟ ୧୧ ତାରିଖରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟକୁ ଏକ ପଦଯାତ୍ରା କରିବାର ନିଷ୍ପତ୍ତି ମଧ୍ୟ ନିଆଯାଇଛି ।

ଏହା ସହିତ ନ୍ୟାସନାଲ କନଫରେନ୍ସର ନେତା ଫାରୁକ୍ ଅବଦୁଲ୍ଲା ଜମ୍ମୁ ଓ କଶ୍ମୀରକୁ ପୁଣିଥରେ ରାଜ୍ୟ ମାନ୍ୟତା ପ୍ରଦାନ କରିବା ପ୍ରସଙ୍ଗ ଉଠାଇଥିଲେ । ସେଠାରେ କେତେକ ପୁସ୍ତକ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ମଧ୍ୟ ସେ ଅସାମ୍ବିଧାନିକ ବୋଲି କହିଥିଲେ। ମୋଟ୍‌ ଉପରେ ରାତ୍ରୀ ଭୋଜନରେ କେମିତି ରାଜନୀତି ଚର୍ଚ୍ଚା ହେଲା ତାହାକୁ ନେଇ ପୂରା ଦେଶରେ ଚର୍ଚ୍ଚା ଚାଲିଛି ।