କନକ ବ୍ୟୁରୋ : ପ୍ରଥମ ଥର ପାଇଁ ସାଂସଦ ହୋଇଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଏଥିସହ ଗାନ୍ଧୀ ପରିବାରର ତୃତୀୟ ମହିଳା ସାଂସଦ ଭାବେ ନେଇଛନ୍ତି ଶପଥ । ମାଆ ସୋନିଆ ଗାନ୍ଧୀ ଓ ଭାଇ ରାହୁଲଙ୍କ ସହ ଆଜି ସଂସଦରେ ପହଞ୍ଚିଥିଲେ ପ୍ରିୟଙ୍କା । ଶପଥ ଗ୍ରହଣ ପାଇଁ ବାଚସ୍ପତି ଡାକିବା ପରେ ହାତରେ ସମ୍ବିଧାନ ବହି ଧରି ପହଞ୍ଚି ଯାଇଥିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଏହି ସମୟରେ ଗାନ୍ଧୀ ପରିବାରର ତିନିଜଣ ସଦସ୍ୟ ମାଆ ସୋନିଆ ଗାନ୍ଧୀ ଏବଂ ରାହୁଲ ଓ ପ୍ରିୟଙ୍କାଙ୍କୁ ଏକାଠି ଦେଖିବାକୁ ମିଳିଛି ।
ସାଂସଦ ଭାବେ ଶପଥ ନେବା ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଗୃହରେ ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବା ସହ ଦଳକୁ ମଜବୁତ କରିବାକୁ ଲଢ଼େଇ କରିବେ ବୋଲି କହିଛନ୍ତି । ପ୍ରିୟଙ୍କା ଶପଥ ନେବା ପରେ ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ । ବାଜା ବଜାଇ ଓ ବାଣ ଫୁଟାଇ ଉତ୍ସବ ମନାଯାଇଛି କଂଗ୍ରେସ ନେତା ଓ କର୍ମୀ । ସଂସଦ ବାହାରେ ପ୍ରିୟଙ୍କା ଓ ଅନ୍ୟ ସାଂସଦଙ୍କୁ ଛିଡ଼ା କରି ଫଟୋ ଉଠାଇଛନ୍ତି ରାହୁଲ ଗାନ୍ଧୀ । ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖର୍ଗେ, ଶଶି ଥରୁର ଓ ଅନ୍ୟ ନେତାମାନେ ଜଣାଇଛନ୍ତି ଶୁଭେଚ୍ଛାର ବାର୍ତ୍ତା ।
କେରଳର ୱାୟାନାଡ ଆସନରୁ ସାଂସଦ ଭାବେ ବିଜୟୀ ହେବା ପରେ ଆଜି ଲୋକସଭା ସାଂସଦ ଭାବେ ଶପଥ ନେଇଛନ୍ତି ପ୍ରିୟଙ୍କା । ପ୍ରଥମେ ରାହୁଲ ଗାନ୍ଧୀ ଉଭୟ ୱାୟାନାଡ ଓ ରାବେରେଲିରୁ ବିଜୟୀ ହେବା ପରେ ୱାୟାନାଡ ଆସନକୁ ଛାଡ଼ି ଦେଇଥିଲେ । ଏହାପରେ ଭଉଣୀ ପ୍ରିୟଙ୍କା ଏହି ଆସନରୁ ଲଢ଼ିବା ସହ ରାହୁଲଙ୍କଠାରୁ ଅଧିକ ଭୋଟ୍ରେ ବିଜୟୀ ହୋଇଥିଲେ । ଆଉ ଆଜି ପ୍ରଥମ ଥର ପାଇଁ ସଂସଦରେ ପ୍ରିୟଙ୍କାଙ୍କ ପାଦ ପଡ଼ିଛି ।