କନକ ବ୍ୟୁରୋ: ସେପ୍ଟେମ୍ବର ୨୧ରେ ଆମେରିକାରେ ବସିବ କ୍ୱାଡ୍ ସମ୍ମିଳନୀ । ୱିଲମିଙ୍ଗଟନରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ସାମିଲ ହେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ । ଉଭୟ ଜୋ ବାଇଡେନ ଓ ଫୁମିଓ କିସିଦାଙ୍କ ପାଇଁ ଏହା ହେବ ଶେଷ ଶିଖର ସମ୍ମିଳନୀ । 

ଆସନ୍ତା ବର୍ଷ ଏହି କ୍ବାଡ୍ ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେବ । ଜାତିସଂଘର ସାଧାରଣ ବୈଠକରେ ଯୋଗ ଦେବାକୁ ଭାରତର ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତରେ ଯାଉଥିବା ବେଳେ କ୍ୱାଡ୍ ସମ୍ମିଳନୀରେ ମଧ୍ୟ ସାମିଲ ହେବେ । ଚଳିତ ଥର ନ୍ୟୁୟର୍କ ପରିବର୍ତ୍ତେ ୱିଲମିଙ୍ଗଟନରେ ଶିଖର ସମ୍ମିଳନୀ କରିବାକୁ ସହଯୋଗୀଙ୍କ ମଧ୍ୟରେ ବିଚାର ବିମର୍ଶ ପରେ ନିଷ୍ପତ୍ତି ନିଆଯାଇଛି ।

ଏହି ପଦକ୍ଷେପ ଦ୍ୱାରା ଆମେରିକା ରାଷ୍ଟ୍ରପତି ଜୋ' ବାଇଡେନ୍ ରାଷ୍ଟ୍ରପତି ଭାବେ ତାଙ୍କର ଶେଷ ବର୍ଷରେ ସମାବେଶ ଆୟୋଜନ କରିବା ସହ ଆସନ୍ତା ବର୍ଷ ଏହି ସମ୍ମିଳନୀ ଆୟୋଜନ କରିବାର ସୁଯୋଗ ପାଇବ ଭାରତ । ୨୦୦୪ ମସିହାରେ ଆରମ୍ଭ ହୋଇଥିବା କ୍ବାଡ଼କୁ ୨୦୧୭ ମସିହାରେ ଆମେରିକା ଦ୍ୱାରା ପୁନରୁଦ୍ଧାର କରାଯାଇଥିଲା । ଆମେରିକା ସମେତ ଭାରତ, ଅଷ୍ଟ୍ରେଲିଆ ଓ ଜାପାନ ଏହାର ସଦସ୍ୟ ରାଷ୍ଟ୍ର। ୨୧ ତାରିଖରେ ବସିବାକୁ ଥିବା ଏହି ବୈଠକରେ ବିଭିନ୍ନ ବୈଶ୍ବିକ ପ୍ରସଙ୍ଗ ସ୍ଥାନ ପାଇପାରେ । ରୁଷ-ୟୁକ୍ରେନ ଓ ଇସ୍ରାଏଲ-ହମାସ ଯୁଦ୍ଧ ସହିତ ଜଳବାୟୁ ପରିବର୍ତ୍ତନ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିପାରନ୍ତି ବିଶ୍ବ ନେତୃତ୍ୱ ।