Bihar Politics : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆଉ କେତେ ଯୋଜନା ଘୋଷଣା କରିବେ ନୀତିଶ ?

ପୂର୍ବରୁ ବିଭିନ୍ନ ପରୀକ୍ଷା ପାଇଁ ଆବେଦନ ଫି' ୫୦୦ ଟଙ୍କାରୁ ୧୫୦୦ ଟଙ୍କା ପର୍ଯ୍ୟନ୍ତ ରହୁଥିଲା । ଯାହା ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ବୋଝ ସଦୃଶ ଥିଲା । ଅନେକ ସମୟରେ ଅର୍ଥ ଅଭାବରୁ ମେଧାବୀ ଛାତ୍ରଛାତ୍ରୀମାନେ ଏକାଧିକ ପରୀକ୍ଷାରେ ଆବେଦନ କରିବାରୁ ବଞ୍ଚିତ ହେଉଥିଲେ

Nitish Kumar

Nitish Kumar Photograph: (Kanak News)

କନକ ବ୍ୟୁରୋ: ଏବେ ବିହାରକୁ ନେଇ ଭାରି ଚର୍ଚ୍ଚା । କାରଣ ବର୍ଷ ଶେଷ ଆଡ଼କୁ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଯେହେତୁ ନିର୍ବାଚନ ବର୍ଷ ତେଣୁ ପୁଳାପୁଳା ଯୋଜନା ଘୋଷଣା କରୁଛନ୍ତି ରାଜ୍ୟ ସରକାର । ଖାସ୍‌ କରି ପରୀକ୍ଷା ଫି କୁ ନେଇ ନୀତିଶ ଯେଉଁ ଯୋଜନା ଘୋଷଣା କରିଛନ୍ତି ତାହାକୁ ନେଇ ଭାରି ଚର୍ଚ୍ଚା ।   ରାଜ୍ୟର ସମସ୍ତ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରାରମ୍ଭିକ ପରୀକ୍ଷା ପାଇଁ ସମାନ ଶୁଳ୍କ ୧୦୦ ଟଙ୍କା ଘୋଷଣା କରିଛନ୍ତି, ଯେତେବେଳେ ମୁଖ୍ୟ ପରୀକ୍ଷା ପାଇଁ କୌଣସି ଶୁଳ୍କ ନିଆଯିବ ନାହିଁ ବୋଲି ଘୋଷଣା କରାଯାଇଛି ।

ନୀତିଶ କହିଛନ୍ତି, ଏହି ନିଷ୍ପତ୍ତି ସରକାରୀ ଚାକିରି ଖୋଜୁଥିବା ଲକ୍ଷ ଲକ୍ଷ ଯୁବକଙ୍କୁ ଲାଭ ଦେବ । ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶଙ୍କ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତିକୁ ନେଇ ଭାରି ଚର୍ଚ୍ଚା ଚାଲିଛି । ଘୋଷଣାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ୍‌ କରିଛନ୍ତି ବିହାର ସିଏମ୍‌ ।  କହିଛନ୍ତି, "ମୁଁ ଖୁସିର ସହିତ ଘୋଷଣା କରୁଛି ଯେ ରାଜ୍ୟସ୍ତରୀୟ ସରକାରୀ ଚାକିରି ପାଇଁ ସମସ୍ତ କମିସନ ଦ୍ୱାରା ପରିଚାଳିତ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରାରମ୍ଭିକ ପରୀକ୍ଷା (ପିଟି) ଫି ରେ ସମାନତା ଆଣିବା ଏବଂ ପ୍ରାର୍ଥୀମାନଙ୍କୁ ଫି ରେ ଯଥେଷ୍ଟ ରିହାତି ପ୍ରଦାନ କରିବା ପାଇଁ ଏମିତି ନିଷ୍ପତ୍ତି ନିଆଯାଇଛି। ବିହାର ସରକାରଙ୍କ ଏହି ନିଷ୍ପତ୍ତି ପଛର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆର୍ଥିକ ଦୁର୍ବଳତା କାରଣରୁ କୌଣସି ବି ଯୋଗ୍ୟ ପ୍ରାର୍ଥୀ ଯେପରି ସରକାରୀ ଚାକିରି ଆବେଦନରୁ ବଞ୍ଚିତ ନ ହୁଅନ୍ତି ।

ସୂଚନା ଅନୁସାରେ, ଏହି ନୂତନ ନିୟମ ବିହାର ଲୋକ ସେବା ଆୟୋଗ (BPSC), ବିହାର କର୍ମଚାରୀ ଚୟନ ଆୟୋଗ (BSSC) ଏବଂ ବିହାର ପୁଲିସ୍‌ ଅଧୀନ ସେବା ଆୟୋଗ (BPSSC) ଭଳି ସମସ୍ତ ସରକାରୀ ସଂସ୍ଥା ଦ୍ୱାରା ଆୟୋଜିତ ପରୀକ୍ଷା କ୍ଷେତ୍ରରେ ଲାଗୁ ହେବ । ପୂର୍ବରୁ ବିଭିନ୍ନ ପରୀକ୍ଷା ପାଇଁ ଆବେଦନ ଫି' ୫୦୦ ଟଙ୍କାରୁ ୧୫୦୦ ଟଙ୍କା ପର୍ଯ୍ୟନ୍ତ ରହୁଥିଲା । ଯାହା ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ବୋଝ ସଦୃଶ ଥିଲା । ଅନେକ ସମୟରେ ଅର୍ଥ ଅଭାବରୁ ମେଧାବୀ ଛାତ୍ରଛାତ୍ରୀମାନେ ଏକାଧିକ ପରୀକ୍ଷାରେ ଆବେଦନ କରିବାରୁ ବଞ୍ଚିତ ହେଉଥିଲେ । 

ମୋଟ୍‌ ଉପରେ, ବିହାରରେ ୨୦୨୫ ମସିହା ଶେଷ ଆଡ଼କୁ ବିଧାନସଭା ନିର୍ବାଚନ ହେବାକୁ  ଯାଉଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଏହି ଘୋଷଣାକୁ ରାଜନୈତିକ ମହଲରେ ଏକ "ମାଷ୍ଟରଷ୍ଟ୍ରୋକ୍" ଭାବେ ଦେଖାଯାଉଛି । ରାଜ୍ୟର ଏକ ବଡ଼ ଭୋଟ୍ ବ୍ୟାଙ୍କ ହେଉଛନ୍ତି ଯୁବବର୍ଗ ଏବଂ ଛାତ୍ରଛାତ୍ରୀ । ଏହି ନିଷ୍ପତ୍ତି ସିଧାସଳଖ ଭାବେ ସେମାନଙ୍କୁ ପ୍ରଭାବିତ କରୁଥିବାରୁ ଏହା ଆଗାମୀ ନିର୍ବାଚନରେ ସରକାରଙ୍କ ପାଇଁ ଫାଇଦା ଆଣିପାରେ ବୋଲି ଆକଳନ କରାଯାଉଛି । ନୀତୀଶ କୁମାରଙ୍କ ନେତୃତ୍ୱରେ ହିଁ ଏନଡିଏ ମେଣ୍ଟ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବ ବୋଲି ସ୍ପଷ୍ଟ ହୋଇସାରିଛି। ତେଣୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ଗୋଟିଏ ପରେ ଗୋଟିଏ ଲୋକାଭିମୁଖୀ ଯୋଜନା ଘୋଷଣା କରୁଛନ୍ତି । 

ଛାତ୍ରଛାତ୍ରୀଙ୍କ ମହଲରେ ଖୁସିର ଲହରୀ

ସରକାରଙ୍କ ଏହି ନିଷ୍ପତ୍ତିକୁ ରାଜ୍ୟର ଛାତ୍ର ସଂଗଠନ ଗୁଡ଼ିକ ସ୍ୱାଗତ କରିଛନ୍ତି। ପାଟନାରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଅନେକ ଆଶାୟୀ ଏହାକୁ ଏକ ବଡ଼ ଆଶ୍ୱସ୍ତି ବୋଲି କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe