କନକ ବ୍ୟୁରୋ: ବିହାର ଗସ୍ତରେ ଏବେ ଅଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ୧୬ ଦିନିଆ ରାଲିରେ ସେ ଭୋଟ୍ ଚୋରିକୁ ନେଇ ବିଜେପି ଓ ନୀତିଶ ସରକାର ଉପରେ ଜୋରଦାର ବର୍ଷୁଛନ୍ତି । ଏହାରି ଭିତରେ ରାହୁଲଙ୍କ ଏହି ଯାତ୍ରାରେ ଆରଜେଡି ନେତା ତେଜସ୍ବୀ ଯାଦବ ସାମିଲ ହୋଇଛନ୍ତି । ଖାଲି ତେଜସ୍ବୀ ସାମିଲ ହୋଇଛନ୍ତି ତାହା ନୁହେଁ ବରଂ ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ ବି ସାମିଲ ହୋଇଛନ୍ତି । ତିନି ବିରୋଧୀ ଦଳର ନେତା ଏକାଠି ହୋଇଥିବାରୁ ଆଗାମୀ ଦିନରେ ବିହାରରେ ବଡ଼ ପରିବର୍ତ୍ତନ ହେବ ବୋଲି କୁହାଯାଉଛି ।
ସରଗରମ ବିହାର ରାଜନୀତି
ଏକାଠି ହେଲେ ରାହୁଲ, ତେଜସ୍ବୀ ଓ ଅଖିଳେଶ
ବିଜେପି ଭୋଟ୍ ବ୍ୟାଙ୍କକୁ ଭାଙ୍ଗିବାକୁ ହେଲା ମାଷ୍ଟର ପ୍ଲାନ୍
ବିହାରରେ ଖେଳ ହେବ କି
ଭାଙ୍ଗିଯିବ କି ନୀତିଶ କୁମାରସରକାର
ପୂରା ଦେଶରେ ଏବେ ଚର୍ଚ୍ଚାରେ ଅଛି ବିହାର । ଦୀର୍ଘଦିନ ହେବ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଅଛନ୍ତି । ଆଉ ଚଳିତବର୍ଷ ଶେଷ ଆଡ଼କୁ ଅଛି ବିହାର ବିଧାନସଭା ନିର୍ବାଚନ । ନୀତିଶ ଏବେ ଏନଡିଏ ମେଣ୍ଟରେ ଥିବାରୁ ବିହାରର ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ବ ଦେଖୁଛନ୍ତି । ହେଲେ ଏହି ସ୍ବପ୍ନ ସାକାର କରିବାକୁ ଏତେ ସହଜ ହେବ ନାହିଁ । କାରଣ ନୀତିଶଙ୍କ ମୁଖ୍ୟମନ୍ତ୍ରୀ ହେବା ରାସ୍ତାରେ ରୋକ୍ ଲଗାଇଛବାକୁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି ରାହୁଲ । ଖାସ୍ କରି ଏସ୍ଆଇଆର୍କୁ ନେଇ ରାହୁଲ ଗର୍ଜୁଛନ୍ତି । ରାହୁଲଙ୍କ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାରେ ସ୍ୱତନ୍ତ୍ର ବିଶେଷ ପୁନରୀକ୍ଷଣ (SIR) ନାମରେ ହେଉଥିବା ଅନିୟମିତତା ବିରୋଧରେ ସ୍ୱର ଉତ୍ତୋଳନ କରିବା। ବିରୋଧୀ ଦଳଗୁଡ଼ିକ ଏହାକୁ "ଭୋଟ ଚୋରି"ର ଏକ ଷଡ୍ଯନ୍ତ୍ର ବୋଲି କହିଛନ୍ତି ।
କି ଅଭିଯୋଗ କରୁଛନ୍ତି ରାହୁଲ ?
କଂଗ୍ରେସର ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ରାହୁଲଙ୍କ ଯାତ୍ରା ୧୭ ଅଗଷ୍ଟରେ ସାସାରାମରୁ ଆରମ୍ଭ ହୋଇଥିଲା ଏବଂ ଏହା ୨୦ରୁ ଅଧିକ ଜିଲ୍ଲା ଦେଇ ୧୩୦୦ କିଲୋମିଟରରୁ ଅଧିକ ପଥ ଅତିକ୍ରମ କରିବ । ଯାତ୍ରା ସମୟରେ ନେତାମାନେ ଜନସାଧାରଣଙ୍କୁ ଭୋଟର ତାଲିକାରେ ହେଉଥିବା ଅନିୟମିତତା ବିଷୟରେ ସଚେତନ କରାଉଛନ୍ତି । ବିରୋଧୀ ଦଳଙ୍କ ଅଭିଯୋଗ ଅନୁଯାୟୀ, ନିର୍ବାଚନ ଆୟୋଗ ଏବଂ ବିଜେପି ମିଳିତ ଭାବେ ଭୋଟର ତାଲିକାରୁ ଲକ୍ଷଲକ୍ଷ ଗରିବ ଏବଂ ପ୍ରବାସୀ ଭୋଟରଙ୍କ ନାମ ହଟାଇ ଦେଉଛନ୍ତି। ଯାହାକି ଏକ ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ସିଧାସଳଖ ଆକ୍ରମଣ। ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ଏହା ବିହାର ବିଧାନସଭା ନିର୍ବାଚନକୁ ପ୍ରଭାବିତ କରିବାର ଏକ ସୁପରିକଳ୍ପିତ ଷଡ୍ଯନ୍ତ୍ର ।
ରାହୁଲଙ୍କ ଅଭିଯୋଗ
କାଉଣ୍ଟର ଆଟାକ୍ କଲା ନୀତିଶ ସରକାର
ରାହୁଲଙ୍କ ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛି ନୀତିଶ ସରକାର । ଅଭିଯୋଗକୁ ଖଣ୍ଡନ କରିବା ସହିତ ଜେଡିୟୁ ସରକାରରେ ମନ୍ତ୍ରୀ ଥିବା ଅଶୋକ ଚୌଧୁରୀ କଟାକ୍ଷ କରି କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଧନ୍ୟବାଦ ଦେବା ଉଚିତ୍ । କାରଣ ତାଙ୍କ ଦ୍ୱାରା ନିର୍ମିତ ଭଲ ରାସ୍ତା ଯୋଗୁଁ ହିଁ ଏତେ ବଡ଼ ଯାତ୍ରା ସମ୍ଭବ ହୋଇପାରୁଛି। ସେହିପରି ଅନ୍ୟ ଜଣେ ମନ୍ତ୍ରୀ ଶ୍ରବଣ କୁମାର ରାହୁଲ ଗାନ୍ଧୀଙ୍କୁ ଫ୍ୟୁଜ୍ ବଲ୍ବ ବୋଲି କହିବା ସହ ଏହି ଯାତ୍ରା କୌଣସି ଲାଭ ଦେବ ନାହିଁ ବୋଲି କହିଛନ୍ତି । ସେପଟେ ତେଜସ୍ବୀ ବି ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ନୀତିଶ ସରକାରର ଦୂରଦୃଷ୍ଟି ନାହିଁ । କେବଳ ଯୋଜନାକୁ କପି ପେଷ୍ଟ କରୁଛନ୍ତି ।
ମୋଟ୍ ଉପରେ ବିହାରକୁ ନେଇ ରାଜନୀତି ସରଗରମ ହେଲାଣି । କଂଗ୍ରେସର ରାଲି ବିଧାନସଭା ନିର୍ବାଚନ ଉପରେ ନିଶ୍ଚିତ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି । ତେବେ ସମୟ କହିବ ଆଗାମୀ ଦିନରେ ବିହାର ରାଜନୀତିର ପାଣିପାଗ କୁଆଡ଼େ ଯାଉଛି ।