କନକ ବ୍ୟୁରୋ : ବାରାମତୀ ବିଧାନସଭା ଆସନ । ୧୯୯୧ ମସିହାରୁ ଏଠାରୁ ଲଗାତାର ଜିତି ଆସୁଥିବା ଅଜିତ ପାୱାରଙ୍କ ପାଇଁ ଗତ ଲୋକସଭା ନିର୍ବାଚନ ମୁଣ୍ଡବିନ୍ଧାର କାରଣ ପାଲଟିଲା । କାରଣ ଭଉଣୀ ସୁପ୍ରିୟାଙ୍କଠୁ ହାରିଥିଲେ ପତ୍ନୀ ସୁନେତ୍ରା । ଏଥିପାଇଁ ଅଜିତ ପାୱାର ବିଧାନସଭା ନିର୍ବାଚନ ପାଇଁ ଆସନ ପରିବର୍ତ୍ତନ କରିବାକୁ ଚାହୁଁଥିଲେ । ମାତ୍ର ଶେଷ ମୁହୁର୍ତ୍ତରେ ସେହି ବାରାମତୀରୁ ନିଜେ ପ୍ରାର୍ଥୀ ହୋଇଛନ୍ତି । ଆଉ ଅଜିତଙ୍କୁ ସାମ୍ନା କରିବାକୁ ଏନସିପି ସୁପ୍ରିମ ଶରଦ ପାୱାର ପୁଣିଥରେ ଆଉ ଏକ ଚକମା ଦେଇଛନ୍ତି । ଅଜିତଙ୍କ ଭାଇ ଶ୍ରୀନିବାସ ପାୱାରଙ୍କ ପୁଅ ଯୁଗେନ୍ଦ୍ର ପାୱାରଙ୍କୁ ଏନସିପି ଶରଦ ଗୋଷ୍ଠୀ ଟିକେଟ ଦେଇଛି । ଗତ ଲୋକସଭା ନିର୍ବାଚନରେ ଭଉଣୀ-ଭାଉଜ ଭଳି ଏଥରକ ଦାଦା-ପୁତୁରା ଲଢ଼େଇକୁ ନେଇ ବାରାମତୀ ଦୃଷ୍ଟି ଆକର୍ଷଣ କରୁଛି ।

Advertisment

ଗତ ବିଧାନସଭା ନିର୍ବାଚନରେ ଅଜିତ ଏନସିପି ପ୍ରାର୍ଥୀ ଭାବେ ୮୩%ରୁ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ତାପୂର୍ବ ନିର୍ବାଚନରେ ମଧ୍ୟ ୬୫% ଭୋଟ ପାଇଥିଲେ । କୁହାଯାଏ ଶରଦ ପାୱାରଙ୍କ ପରେ ଅଜିତ ପାୱାର ହିଁ ବାରାମତୀର ସର୍ବେସବା । ଏପରି ସମୟରେ ନିଜ ପତ୍ନୀ ସୁନେତ୍ରର ବାରମତୀରୁ ଭଉଣୀ ସୁପ୍ରିୟାଙ୍କଠୁ ପଛରେ ପଡିବାକୁ ସେ ସହଜରେ ଗ୍ରହଣ କରିପାରିନାହାଁନ୍ତି ।

ଅନ୍ୟପକ୍ଷରେ ୧୯୬୭ରୁ ବାରାମତୀ ବିଧାନସଭା ଓ ଲୋକସଭା ଆସନରୁ ବହୁବାର ପ୍ରତିନିଧିତ୍ୱ କରୁଛନ୍ତି ଏନସିପି ସୁପ୍ରିମ ଶରଦ ପାୱାର । ପରେ ରାଜ୍ୟସଭାକୁ ନିର୍ବାଚନ ହେବା ପରେ ଝିଅ ସୁପ୍ରିୟା ସୁଲେ ବାରାମତୀ ଲୋକସଭା ଆସନ ଜିତି ଆସିଛନ୍ତି । ମାତ୍ର ଏନସିପିକୁ ବିଭାଜିତ କରି ଅଜିତ ପାୱାର ମହାୟୁତିରେ ସାମିଲ ହେବାରୁ ବାରାମତୀ ଭୋଟରମାନେ ଠିକ ଭାବରେ ଗ୍ରହଣ କରିପାରିନାହାଁନ୍ତି । ଯାହା ଗତ ଲୋକସଭା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି ।

ଏପରି ସମୟରେ ଶରଦ ନିଜ ନାତି ଯୁଗେନ୍ଦ୍ରଙ୍କୁ ପୁଅ ଅଜିତଙ୍କ ବିରୋଧରେ ଟିକେଟ ଦେବାକୁ ଏକ ମାଷ୍ଟରଷ୍ଟ୍ରୋକ କୁହାଯାଉଛି । ବିଦେଶରୁ ପାଠପଢ଼ା ସାରି ଯୁଗେନ୍ଦ୍ର ବାରାମତୀ ଆସନରେ ଶରାୟୁ ଫାଉଣ୍ଡେସନ ନାମରେ ସାମାଜିତକ ସେବା କରି ଆସୁଛନ୍ତି । ଏହା ସହିତ ଶରଦ ପାୱାରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଦ୍ୟା ପ୍ରତିଷ୍ଠାନର ଦାୟିତ୍ୱ ମଧ୍ୟ ତୁଳାଉଛନ୍ତି । ଏବେ ଫଳାଫଳ ସ୍ଥିର କରିବ ବାରାମତୀର ନୂଆ ପାୱାରଙ୍କୁ ଜନତାଙ୍କ ଗ୍ରହଣ କରୁଛନ୍ତି ନା ପୁରୁଣା ପାୱାରଙ୍କୁ ପୁଣି ଆପଣାଉଛି ।