କନକ ବ୍ୟୁରୋ: ଆଉ କିଛିଦିନ ପରେ ଦିୱାଲୀ । ସାଧାରଣ ଭାବରେ ଦିୱାଲୀରେ ସମସ୍ତେ କିଛି ନା କିଛି ଗିଫ୍ଟ ପାଆନ୍ତି । ହେଲେ ଏଥର ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗିଫ୍ଟ ଦେବାକୁ ଯାଉଛନ୍ତି । ଏହି ଗିଫ୍ଟ କାର୍‌ ଓ ବାଇକ୍‌କୁ ନେଇ ବୋଲି କୁହାଯାଉଛି । କାରଣ ଜିଏସ୍‌ଟିରେ ବ୍ୟାପକ ସଂସ୍କାର ଆସିବାକୁ ଯାଉଛି । ଯାହାଦ୍ବାରା ଗାଡ଼ିର ଦାମ୍‌ ଶସ୍ତା ହୋଇପାରେ । ଯାହାକୁ ନେଇ ଏବେଠୁ ଚର୍ଚ୍ଚା ଚାଲିଛି । 

ମୋଦୀ ଦେବେ ଦିୱାଲୀ ଗିଫ୍ଟ
ଶସ୍ତା ହେବ କାର୍‌, ବାଇକ୍‌ ସହ…

ଜିଏସ୍‌ଟିରେ କି ସଂସ୍କାର ଆସିବ

Advertisment

ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଧୀନତା ଦିବସ ଅଭିଭାଷଣରେ ଜିଏସଟି ସଂସ୍କାରକୁ ଦେଶବାସୀଙ୍କ ପାଇଁ "ଦିୱାଲୀ ଉପହାର" ବୋଲି ଅଭିହିତ କରିଥିଲେ । ଏହି ନୂଆ ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜଟିଳ ଟିକସ ବ୍ୟବସ୍ଥାକୁ ସରଳ କରିବା। ବର୍ତ୍ତମାନର ୫%, ୧୨%, ୧୮% ଏବଂ ୨୮% ବିଶିଷ୍ଟ ଚାରି-ସ୍ତରୀୟ ଜିଏସଟି ସ୍ଲାବକୁ ବଦଳାଇ ଏକ ଦୁଇ-ସ୍ତରୀୟ ବ୍ୟବସ୍ଥା (୫% ଏବଂ ୧୮%) ଲାଗୁ କରାଯିବା ନେଇ ପ୍ରସ୍ତାବ ରହିଛି। ଏହି ପ୍ରସ୍ତାବ ଅନୁଯାୟୀ, ୧୨% ଏବଂ ୨୮% ଟିକସ ସ୍ଲାବକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇପାରେ ।

ଗାଡ଼ି ମୂଲ୍ୟ କେମିତି କମିବ?

ବର୍ତ୍ତମାନ ସମୟରେ, ପ୍ରାୟ ସମସ୍ତ ଯାତ୍ରୀବାହୀ କାର୍, ଏସୟୁଭି ଏବଂ ଦୁଇଚକିଆ ଯାନ ଉପରେ ୨୮% ଜିଏସଟି ଲାଗୁ ହେଉଛି। ଏହା ବ୍ୟତୀତ, ଗାଡ଼ିର ଇଞ୍ଜିନ କ୍ଷମତା ଏବଂ ଆକାର ଅନୁଯାୟୀ ୧% ରୁ ୨୨% ପର୍ଯ୍ୟନ୍ତ ଅତିରିକ୍ତ କ୍ଷତିପୂରଣ ସେସ୍ ମଧ୍ୟ ଆଦାୟ କରାଯାଉଛି । ଯାହା ଫଳରେ କେତେକ କ୍ଷେତ୍ରରେ ଗାଡ଼ି ଉପରେ ମୋଟ୍‌ ଟିକସ ଭାର ୫୦% ପର୍ଯ୍ୟନ୍ତ ପହଞ୍ଚିଯାଉଛି ।

ନୂଆ ଜିଏସଟି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ, ୨୮% ସ୍ଲାବରେ ଥିବା ଅଧିକାଂଶ ଗାଡ଼ି ୧୮% ସ୍ଲାବକୁ ଆସିଯିବ। ଏହାଦ୍ୱାରା କାର୍ ଏବଂ ବାଇକଗୁଡ଼ିକର ଏକ୍ସ-ଶୋରୁମ୍ ମୂଲ୍ୟରେ ସିଧାସଳଖ ହ୍ରାସ ହେବ । ଏମିତି ହେଲେ ଗାଡ଼ି କିଣୁଥିବା ଗ୍ରାହକ ବେଶ୍‌ ଖୁସି ହେବେ । 

କେଉଁ ଗାଡ଼ିଗୁଡ଼ିକ ଅଧିକ ଶସ୍ତା ହେବ?

ଏହି ଜିଏସଟି ସଂସ୍କାରର ସକାରାତ୍ମକ ପ୍ରଭାବ ମୁଖ୍ୟତଃ ମାସ୍-ମାର୍କେଟ୍ ସେଗମେଣ୍ଟ ଉପରେ ପଡ଼ିବ । ବିଶେଷଜ୍ଞଙ୍କ ମତରେ, ଟିକସ ହ୍ରାସ ହେବା ଦ୍ୱାରା କେବଳ ଗ୍ରାହକ ଲାଭବାନ ହେବେ ନାହିଁ  ବରଂ ଅଟୋମୋବାଇଲ ଶିଳ୍ପରେ ମଧ୍ୟ ଏକ ନୂତନ ଉତ୍ସାହ ଦେଖାଦେବ । ଯାହା ଅର୍ଥବ୍ୟବସ୍ଥାକୁ ଗତିଶୀଳ କରିବାରେ ସହାୟକ ହେବ। ତେବେ, ଲକ୍‌ଜ୍ୟୁରି କାର୍ ଏବଂ କିଛି ସ୍ୱତନ୍ତ୍ର ସାମଗ୍ରୀ ପାଇଁ ୪୦%ର ଏକ ନୂଆ ସ୍ଲାବ୍ ସୃଷ୍ଟି କରାଯାଇପାରେ। ଏହି ସଂସ୍କାରକୁ ନେଇ ଅନ୍ତିମ ନିଷ୍ପତ୍ତି ଜିଏସଟି ପରିଷଦର ଆଗାମୀ ବୈଠକରେ ନିଆଯିବ ଏବଂ ଦୀପାବଳି ସୁଦ୍ଧା ଏହା ଲାଗୁ ହେବାର ସମ୍ଭାବନା ରହିଛି ।