କନକ ବ୍ୟୁରୋ : ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ମାସେ ପୂରିଛି । କିନ୍ତୁ ଆଜି ବି ସେଦିନର ସେହି ଲୋମଟାଙ୍କୁରା କାହାଣୀ ମନରୁ ଯାଇନି । ଆତଙ୍କବାଦୀଙ୍କ ନରସଂହାର କାହାଣୀ ମନକୁ ଆସିଲେ ଛାତି ଥରି ଉଠୁଛି । ଅନ୍ୟପଟେ ମୋଦୀ ଆତଙ୍କୀ ଓ ସେମାନଙ୍କୁ ପ୍ରତିପାଳନ କରି ଆସୁଥିବା ଦେଶ ପାକିସ୍ତାନକୁ ଦେଇଛନ୍ତି କଡା ଚେତାବନୀ ।

Advertisment

ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇଥିଲେ ବି ଭାରତୀୟଙ୍କ ଭିତରେ ଆକ୍ରୋଶ କମିନି । ଦେଶ ଭିତରେ ଓ ଦେଶ ବାହାରେ ଆତଙ୍କୀ ଓ ସେମାନଙ୍କ ଆଡ୍ଡାକୁ ଭାରତୀୟ ସେନା ଧ୍ୱଂସ କରିଥିଲେ ବି ମନକୁ ଶାନ୍ତି ମିଳିନି । ଯେଉଁମାନେ ନରସଂହାର କରିଥିଲେ ଓ ଆତଙ୍କୀଙ୍କୁ ସହଯୋଗ କରିଥିଲେ ସେମାନଙ୍କୁ ଖୋଜି ମାରିବାକୁ ଏବେ ବି ଅପରେସନ ଜାରି ରହିଛି । ଏହାରି ଭିତରେ ଆଜି ରାଜସ୍ଥାନ ବିକାନେରରୁ ଅପରେସନ୍ ସିନ୍ଦୂର ସଫଳତା ନେଇ ତିନି ସେନାଙ୍କୁ ପ୍ରଶଂସା କରିବା ସହ ଶତ୍ରୁ ଦେଶ ଓ ଆତଙ୍କବାଦୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତ ପ୍ରଧାନମନ୍ତ୍ରୀ ।

ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଗୁଳିଚଳାଇଥିବା ୪ ଆତଙ୍କବାଦୀଙ୍କୁ ଏଯାଏଁ ଧରାଯାଇ ପାରିନି । ହେଲେ ଘାଟିରେ ଲୁଚିଥିବା ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରିବାକୁ ଲାଗି ପଡ଼ିଛନ୍ତି ସୁରକ୍ଷାକର୍ମୀ।  କିସ୍ତୱାରରେ ଏନକାଉଣ୍ଟରରେ ନିପାତ ହୋଇଛନ୍ତି ୨ ଆତଙ୍କବାଦୀ । ୨ ସପ୍ତାହ ମଧ୍ୟରେ ୮ ଜଣଙ୍କୁ ମାରି ସଫା କରିଛନ୍ତି ସୁରକ୍ଷାକର୍ମୀ ।

ଅପରେସନ ସିନ୍ଦୂରର ସଫଳତା ନେଇ ଅବଗତ କରାଇବାକୁ ବିଶ୍ୱର ବିଭିନ୍ନ ଦେଶରେ ଭାରତୀୟ ପ୍ରତିନିଧି ଦଳ ପହଞ୍ଚିଛନ୍ତି । ଜେଡିୟୁ ସାଂସଦ ସଞ୍ଜୟ ଝାଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ମଣ୍ଡଳୀ ଜାପାନର ବିଭନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଶ୍ରୀକାନ୍ତ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଟିମ୍ ୟୁଏଇ, ଲାଇବେରିଆ ଯାଇଛନ୍ତି ।

ପହଲଗାମରେ ଆତଙ୍କବାଦୀ ୨୬ ଜଣଙ୍କୁ ହତ୍ୟା କରିବା ଅପରେସନ ସିନ୍ଦୂର ଜରିଆରେ ଭାରତ କରିଥଲା ପ୍ରଚଣ୍ଡ ପ୍ରହାର । ପ୍ରଥମେ ୯ଟି ଆତଙ୍କୀ ଆଡ୍ଡା ମାଟିରେ ମିଶାଇବା ପରେ ପାକିସ୍ତାନର ୧୧ଟି ଏୟାରବେସକୁ ନଷ୍ଟଭ୍ରଷ୍ଟ କରିଦେଇଥିଲା ଭାରତୀୟ ବାୟୁସେନା । ଫଳରେ ଡରିମରି ଅସ୍ତ୍ରବିରତି ପାଇଁ ଗୁହାରି କରିଥିଲା ପାକିସ୍ତାନ ।