କନକ ବ୍ୟୁରୋ : ଭାରତ ଆମେରିକା ମଧ୍ୟରେ ବିବାଦ ଭିତରେ ଚୀନ୍‌ ଏବେ ଭାରତ ସହ ଉତ୍ତମ ସମ୍ପର୍କ ରଖୁଥିବା ଦେଖାଯାଇଛି । ଅବଶ୍ୟ ଏହା ପଛରେ କି ରାଜନୀତି ରହିଛି ତାହା ତ ଅଲଗା କଥା । ହେଲେ ପୂର୍ବଅପେକ୍ଷା ଏବେ ଭାରତର ନିକଟତର ହେବାକୁ ଚୀନ୍‌ ଇଚ୍ଛା କରୁଛି ।  ଯାହାକୁ ନେଇ ଚର୍ଚ୍ଚା ଜୋର ।  

Advertisment

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ଭାବ୍ୟ ଚୀନ୍ ଗସ୍ତକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇଛି । ଯାହାକୁ ଚୀନ୍ ସରକାରୀ ଗଣମାଧ୍ୟମ ‘ଗ୍ଲୋବାଲ୍ ଟାଇମ୍ସ’ "ବି ଛାପିଛି । ଏହି ଗସ୍ତ ଏପରି ଏକ ସମୟରେ ହେଉଛି ଯେତେବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଭାରତୀୟ ସାମଗ୍ରୀ ଉପରେ ଅତିରିକ୍ତ ଶୁଳ୍କ ଲଗାଇବାକୁ ଘୋଷଣା କରିଛି । ଯାହା ଭାରତ-ଚୀନ୍ ସମ୍ପର୍କରେ ଏକ ନୂଆ ସମୀକରଣ ସୃଷ୍ଟି କରିଛି ।

ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧, ୨୦୨୫ ପର୍ଯ୍ୟନ୍ତ ତିଆନଜିନ୍‌ରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ଯୋଗ ଦେଇପାରନ୍ତି । ତେବେ ସାତ ବର୍ଷ ମଧ୍ୟରେ ମୋଦୀ ଚୀନ୍‌ ଗସ୍ତରେ ଯାଉଥିବାରୁ ଚର୍ଚ୍ଚା ହେବା ସ୍ବାଭାବିକ କଥା । ୨୦୨୦ ମସିହାରେ ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ଆସିଥିଲା କିନ୍ତୁ ଅକ୍ଟୋବର ୨୦୨୪ରେ କାଜାନଠାରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ପରିସ୍ଥିତିରେ ସୁଧାର ଆସିବାର ସଙ୍କେତ ମିଳିଛି । ସେପଟେ, ଚୀନ୍‌ର ସରକାରୀ ମିଡିଆ 'ଗ୍ଲୋବାଲ୍ ଟାଇମ୍ସ' ଏହି ଗସ୍ତକୁ ସ୍ୱାଗତ କରି ଏକ ସମ୍ପାଦକୀୟରେ ଲେଖିଛି ଯେ ଏହା "ଡ୍ରାଗନ୍ ଓ ହାତୀର ଏକାଠି ନାଚିବାର ଏକ ନୂଆ ଅଧ୍ୟାୟ" ଆରମ୍ଭ କରିବାର ସୁଯୋଗ ।

ଟ୍ରମ୍ପଙ୍କ ପାଇଁ ବଦଳିବ କି ଏସିଆ ରାଜନୀତି

ମୋଦୀଙ୍କ ଏହି ସମ୍ଭାବ୍ୟ ଗସ୍ତ ସେତେବେଳେ ହେଉଛି ଯେତେବେଳେ ଆମେରିକା ସହ ଭାରତର ସମ୍ପର୍କରେ ତିକ୍ତତା ଆସିଛି । ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ଆମେରିକା, ଭାରତ ଋଷଠାରୁ ତେଲ କିଣୁଥିବା ଅଭିଯୋଗରେ ଭାରତୀୟ ସାମଗ୍ରୀ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି କରିବାକୁ ଘୋଷଣା କରିଛି । ଚୀନ୍ ନିଜେ ମଧ୍ୟ ଆମେରିକାର ଶୁଳ୍କ ନୀତିର ଶିକାର ହୋଇଥିବାରୁ, ସେ ଭାରତ ଉପରେ ଲାଗୁ ହୋଇଥିବା ଏହି ଶୁଳ୍କକୁ "ଶୁଳ୍କର ଅପବ୍ୟବହାର" ବୋଲି କହି ନିନ୍ଦା କରିଛି ।

ଯଦିଓ ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦ ସମେତ ଅନେକ ମତଭେଦ ରହିଛି, ତଥାପି ଆତଙ୍କବାଦ ଦମନ, ବାଣିଜ୍ୟ ଏବଂ ସାଂସ୍କୃତିକ ଆଦାନପ୍ରଦାନ ଭଳି କ୍ଷେତ୍ରରେ ସହଯୋଗର ଅନେକ ସମ୍ଭାବନା ରହିଛି । ମୋଦୀଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତାକୁ କମ୍ କରି ଏକ ନୂଆ ସହଯୋଗର ବାତାବରଣ ସୃଷ୍ଟି କରିବାର ସମ୍ଭାବନା ରଖୁଛି । ବାହ୍ୟ ଆର୍ଥିକ ଚାପ ଏବଂ ଆଭ୍ୟନ୍ତରୀଣ କୂଟନୈତିକ ପ୍ରୟାସ ମଧ୍ୟରେ ଭାରତ-ଚୀନ୍ ସମ୍ପର୍କ ଏକ ନୂଆ ମୋଡ଼ ନେଇପାରେ ବୋଲି ଆଶା କରାଯାଉଛି ।