କନକ ବ୍ୟୁରୋ : ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇଥିବା ବେଳେ ଦୁଇ ଦେଶ ମଧ୍ୟରେ ଆସିଛି ତିକ୍ତତା । ଆଉ ଏହି ସମୟରେ ସାଂଘାଇ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଚୀନ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାପାନ ପରେ ଚୀନରେ ପହଞ୍ଚିଛନ୍ତି ମୋଦୀ । ଚୀନର ତିଆନଜିନ ସହରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ରେଡ୍ କାର୍ପେଟରେ ଭବ୍ୟ ସ୍ୱାଗତ କରାଯାଇଛି ।
ଦୀର୍ଘ ୭ ବର୍ଷ ପରେ ଏହା ମୋଦୀଙ୍କ ପ୍ରଥମ ଚୀନ ଗସ୍ତ । ଚୀନର ତିଆନଜିନ ସହରରେ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ପହିଲାରେ ହେବା SCO ସମ୍ମିଳନୀ । ଯେଉଁଥିରେ ୧୦ଟି ଦେଶର ରାଷ୍ଟ୍ରମୁଖ୍ୟ ସାମିଲ୍ ହେବେ । ଏହି ଅବସରରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ ଆଲୋଚନା କରବେ ମୋଦୀ । ଆସନ୍ତାକାଲି ଜିନପିଙ୍ଗଙ୍କ ସହ ମୋଦୀଙ୍କ ଦ୍ୱିପାକ୍ଷିକ ବୈଠକ ରହିଛି ।
ସେହିପରି ସେପ୍ଟେମ୍ବର ପହିଲା ଅର୍ଥାତ୍ ସୋମବାର ଦିନ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ମୋଦୀ । ଏହାଦ୍ୱାରା ଭାରତର ଉଭୟ ଚୀନ ଓ ଋଷିଆ ସହ ସମ୍ପର୍କ ଅଧିକ ମଜଭୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀଙ୍କ ଚୀନ ଗସ୍ତ ଏମିତି ସମୟରେ ହୋଇଛି, ଯେଉଁ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଟାରିଫ୍ ଲଗାଇଛନ୍ତି । ଟ୍ରମ୍ପ ୫୦ ପ୍ରତିଶତ ଶୁଳ୍କ ଲଗାଇବା ଯୋଗୁଁ ଭାରତ ଉପରେ ସିଧାସଳଖ ପ୍ରଭାବ ପଡିଛି । ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି । ଋଷଠାରୁ ତେଲ କିଣୁଥିବାରୁ ଅତିରିକ୍ତ ୨୫ ପ୍ରତିଶତ ଏଭଳି ମୋଟ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି ଟ୍ରମ୍ପ । ତେଣୁ ଏଭଳି ଏକ ଘଡ଼ିସନ୍ଧି ସମୟରେ ମୋଦୀ ଚୀନରୁ ଆମେରିକାକୁ କଡ଼ା ବାର୍ତ୍ତା ଦେବାକୁ ଲକ୍ଷ୍ୟ ରଖିଛନ୍ତି ।